ପାଷାଣର ଭାଷା

ସେ ହଜି ଯାଇଛି ଜନମହାର୍ଣ୍ଣବର କେଉଁ ଏକ ଅଦେଖା ତରଙ୍ଗ ତଳେ କ୍ଷୁଦ୍ର ଏକ ଶାମୁକା ଟିଏ ଭଳି। ତା’ ଉପରେ ଏତେ ବଡ ବିସ୍ତୀର୍ଣ୍ଣ ଆକାଶ, ତା’ ତଳେ ପ୍ରଶସ୍ତ ମାଟିର ବୁକୁରେ ଅଗଣିତ ନଗ୍ର, ଜନ-ପଦ,ସବୁଜ ବନାନୀ ଓ ରୁକ୍ଷ ପ୍ରାନ୍ତର। ତା’ ଭିତରେ କେବଳ ଯେ ସେ ନିଜକୁ ହଜାଇ ଦେଇନି, ହଜାଇ ଦେଇଛି ନିଜର ଠିକଣା ମଧ୍ୟ।
ସେ ନିରୁଧିଷ୍ଟ ହେବାର ଯେ ପ୍ରାକ୍ କଥନ କିଛି ନାହିଁ, ସେୟା ନୁହେଁ ବରଂ ନିରୁଦେଶ୍ୟର ସୀମା ସ୍ପର୍ଶ ପୂର୍ବରୁ ନିଜର ଠିକଣାକୁ ତା’ ମନ ସିଲଟରୁ ଲିଭାଇ ଦେବାକୁ ବାଧ୍ୟ ହୋଇଛି ସେ।
ମାନସିକ ଅନ୍ତର୍ଦ୍ୱନ୍ଦରେ ଦୋଳାୟମାନ ମୁହୂର୍ତ୍ତ ଗୁଡିକୁ ତାର ଶାନ୍ତିକାମୀ ମାର୍ଗକୁ କରି ଦେଇଛି ଧ୍ୱସ୍ତ ବିଧ୍ୱସ୍ତ ଓ ବିପର୍ଯ୍ୟସ୍ତ, ଆଉ ସେ ସବୁର ସମାଧାନ ଦିଗରେ ଦିଗରେ କିଛିଟା ପଦକ୍ଷେପ ନେବା ପୂର୍ବରୁ ବହି ଆସୁଥିବା ବଢି ପାଣି ଭଳି ପ୍ରଳୟର ଏକ ବୀଭତ୍ସ ସ୍ରୋତଟିଏ ତା’ ଉପର ଦେଇ ମାଡି ଯାଉଛି। ଆଉ ତା’ ଭିତରୁ ସେ କଣିକାଏ ସୁଖକୁ ମଧ୍ୟ ସାଉଁଟି ପାରିନି ଅଥଚ ବଢି ପାଣିର ଗୋଳିଆ ଜଳ ଭଳି ସବୁକିଛି ଆବିଳତାରେ କ ମାକ୍ତ ହୋଇଯାଇଛି।
ବାସ୍, ତା’ ପରଠୁ ସେ ନିଜକୁ ହଜାଇ ଦେଇଛି କେଉଁଠି। ଦିନେ ସେ ନିଜକୁ ନହଜାଇବାର ସ୍ୱପ୍ନ ଦେଖୁଥିବା ବେଳେ ଏବେ ଆଉ ନିଜର ଠିକଣାବି ଖୋଜି ପାଉ ନାହିଁ। ବାରମାସୀ ଚଢେଇ ଭଳି ଏମିତି ରୂପଟା ତାର ପରିବର୍ତ୍ତନ ହୋଇଗଲା କେମିତି? ନିଜକୁ ଏବେ ଖାଲି ଖୋଜି ବୁଲୁଛି ହଜି ଯାଇଥିବା କପୋତୀର ଶିଶୁଭଳି ଅହରହ। ଅଥଚ ତାର ଆଉ କିଛି ମନେ ପଡୁନାହିଁ। ନିଜକୁ ସେ ଅନେକ ପ୍ରବୋଧେଇଛି କିନ୍ତୁ କିଛି ବୁଝୁ ପାରୁନାହିଁ। ତାକୁ ଠିକ୍ ପ୍ରତୀୟମାନ ହୁଏ ଯେ,ଏହି ତୃତୀୟ ବିଶ୍ଵର ସେ ଜଣେ ଈଶ୍ଵର ନଥିଲା କି ସମଗ୍ର ମାନବିକ ଚେତନା ଉର୍ଦ୍ଧ ସ୍ଥିତ ଯୌନ-ଜଡ଼-ମଣିଷ ଟିଏ ଭଳି ଯୌନକ୍ଷୁଧାକୁ ଆଂଶିକ ମାତ୍ରାରେ ଦମନ କାରିପାରି ନଥିଲା। ଏ କଥା ସ୍ପଷ୍ଟ ମନେ ଅଛି ଯେ ନିରୁଦ୍ଧିଷ୍ଟ ପୂର୍ବ ଦିନ ମଧ୍ୟ ରାତ୍ରି ଯାଏ ସେ ତା’ ରୋଗୀଣା ସ୍ତ୍ରୀକୁ ବାରମ୍ବାର ଧର୍ଷଣ କରିଥିଲା। ଯନ୍ତ୍ରଣା-ଦଗ୍ଧା ସ୍ତ୍ରୀର ଆକୁଳ କ୍ରନ୍ଦନ ତା’ ମାନସପଟରେ କୌଣସି ପ୍ରଭାବ ବିସ୍ତାର କରିପାରିନି ବରଂ ସେ କ୍ଷୁଧିତ ହିଂସ୍ର ଶାର୍ଦ୍ଦୁଳ ଭଳି ବାରମ୍ବାର ଝାମ୍ପ ଦେଇଛି ତା’ ଉପରକୁ। କିଛି ବୁଝି ପାରୁନି ଏମିତି ହଠାତ ସେ କାମୁକ-ରାକ୍ଷାସ ପାଲଟି ଗଲା କେମିତି! ପୂର୍ବରୁ ସମୟ ପାଇଲେ ସେ ଗୀତା ପଢୁଥିଲା, ରାମାୟଣ ଚର୍ଚ୍ଚା କରୁଥିଲା ଆଉ ବେଳେ ବେଳେ ନିଜର ପିଲାଙ୍କୁ ସଂଯମ ଓ ଶିଷ୍ଟାଚାର ଶିକ୍ଷା ଦେଉଥିଲା। ଅଥଚ ତା’ ଅଫିସକୁ ନୂଆକରି ସେଇ ଲେଡି ଷ୍ଟେନୋ ଜଣଙ୍କ ଆସିବା ପରଠୁ ତା’ ଭିତରେ ସବୁ କିଛି ଓଲଟ ପାଲଟ ହୋଇଗଲା। କୀଚକ ପରି ତାର ସଂଯମର ବାଲି-ବନ୍ଧ ବେଳକୁ ବେଳ ଭୁଶୁଡି ପଡିଲା। ଜନୈକା ଲେଡି ଷ୍ଟେନୋର ରଙ୍ଗିଲା ଓଠ, ଦରମୁକୁଳିତ କଳିକାର ହସନ୍ତ-ମୁଖ-ମାଧୁରୀ ଓ ଚମ୍ପକ-ଗୌର-ଶରୀର ପ୍ରତି କ୍ରମଶଃ ପ୍ରଲୋଭିତ ହୋଇ ପଡ଼ିଲା। ସେ ମଧ୍ୟ ସେହି ପ୍ରାଇଭେଟ କମ୍ପାନୀର ତଳ ପାହ୍ୟା କିରାଣୀ ଥିଲା। ମହାଭାରତର କଳ୍ପିତ ସତୀ ଦ୍ରୋପଦୀ ଠାରୁ ଲେଡି ଷ୍ଟେନୋ ଯେ କୌଣସି ରୂପରେ କମ ନଥିଲା ଏ କଥା କ୍ରମଶଃ ତା’ ମନ ଭିତରେ ଆନ୍ଦୋଳିତ ହେବା ପରେ ସକ୍ରିୟ ଦୁର୍ଦ୍ଧଷ ଦୁଃଶାସନ ଭଳି ଦିନେ ତାର ବିଭତ୍ସ ଶରୀରକୁ ଉପଭୋଗ କରିବାକୁ ଯାଇ ଚାକିରିରୁ ବହିସ୍କୃତ ହୋଇଗଲା। ପ୍ରାକ୍-ଆଦିମ ଯୁଗରେ ମଣିଷ ଭିତରେ ଯେ ଯୌନ କ୍ଷୁଧା ନଥିଲା ଏକଥା କହିବା ସମ୍ଭବ ନୁହେଁ ପରନ୍ତୁ ଯୌନ ସମ୍ଭୋଗ ପାଇଁ କିଛି ନୀତି ନିୟମ ନଥିଲା ଏହା ସ୍ଵୀକାର୍ଯ୍ୟ। ଅଥଚ ସେଦିନ ସେ ଲେଡି ଷ୍ଟେନୋର ଅକୁଣ୍ଠ ଅନୁରୋଧ ରକ୍ଷା କରିବାକୁ ଯାଇ ଉପର ହାକିମଙ୍କ ଦ୍ଵାରା ବିତାଡିତ ହୋଇଗଲା।
ତା’ ମନରେ ଏବେ ମଧ୍ୟ ସେଇ ଗୋଟିଏ ପ୍ରଶ୍ନବାଚୀ? ଉପର ହାକିମ କ’ଣ ଜଣେ ଯୌନ ଜଡ଼ ମଣିଷଟାଏ। ସେ କେବେ କଣ କୌଣସି ନିଶାର୍ଦ୍ଧ ରାତ୍ରିରେ ତା’ ସ୍ତ୍ରୀକୁ ବିବସ୍ତ୍ର କରୁନି!! ସେ ଷ୍ଟେନୋର ଯୌବନକୁ ଏକାନ୍ତ ମୁହୂର୍ତ୍ତରେ ଉପଭୋଗ କରିବାକୁ ଚାହିଁନିକି?? ଯଦି ସେ ରାମଚନ୍ଦ୍ରଙ୍କ ଦ୍ଵିତୀୟ ସଂସ୍କରଣ ବୋଲି ନିଜକୁ ମନେକରେ ତା’ ହେଲେ ନିବୁଜ କୋଠରୀ ଭିତରେ ଲେଡି ଷ୍ଟେନୋ ସହ କ’ଣ କରୁଥିଲା ଘଣ୍ଟା ଘଣ୍ଟା ଧରି!!! କିନ୍ତୁ ତଫାତ ଏତିକି ଯେ ବଡ ଲୋକର ଫମ୍ପା ଆଭିଜାତ୍ୟ ଓ ଅହମିକା ତଳେ ଗରିବ ମାନେ ନିଷ୍କରୁଣ ଆଉ ନିଷ୍ପ୍ରଭ ମନେ ହୁଅନ୍ତି।
ତା’ ପରେ ସେ ଅର୍ଥାନ୍ୱେଷଣରେ ସହରର ଏ ଗଳିରୁ ସେ ଗଳିକୁ ଘୁରି ବୁଲିଛି ଦିବାରାତ୍ରି। ଆତ୍ମୀୟତାର ଛାପାମରା ଅନେକ ସହୃଦ ବ୍ୟକ୍ତିଙ୍କ ଠାରେ ହାତ ପାତିଛି କିନ୍ତୁ ଫମ୍ପା ସାନ୍ତ୍ୱନା ବ୍ୟତୀତ କିଛି ପାଇନି। ମନ ଭିତରୁ ଅନିଚ୍ଛା ସତ୍ୱେ ଯୌନ କ୍ଷୁଧାକୁ ଦୂରେଇ ଦେବାକୁ ଚେଷ୍ଟା କରିଛି ଅଥଚ ଦୂରେଇ ଦେଇ ପାରିନି ପେଟର କ୍ଷୁଧାକୁ। କେଉଁ ଅନନ୍ତ କାଳରୁ ମଣିଷଙ୍କୁ ଏ ଦୁଇଟି କ୍ଷୁଧା କବଳିତ କରି ରଖିଛି। ସୃଷ୍ଟିର ବିକାଶ ଠାରୁ ବିଲୟ ପର୍ଯ୍ୟନ୍ତ ମଣିଷ ଏଇ କାଳର କରାଳ ସ୍ରୋତରେ ବିଲୀନ ହୋଇ ଯାଇ ପାରେ ମାତ୍ର ଏ ଅନନ୍ତ କ୍ଷୁଧା ତୃଷ୍ନାରୁ ମୁକ୍ତି ପାଇପାରିବନି।
ସାଧାରଣ ଫର୍ମୁଲାର ମଣିଷଟିଏ ସେ କେବେଳ ବଞ୍ଚି ରହିଛି ବୈଚିତ୍ରହୀନ ଭାବେ। ଜୀବନ ଯନ୍ତ୍ରଣାର ଉଇ ହୁଙ୍କାଟିଏ ତା’ ଚାଟିପଟେ ମୁଣ୍ଡ ଟେକିଲା ଧିରେ ଧିରେ। ଆକ୍ଷେପ, କଟୁକ୍ତି, ସମାଲୋଚନା, କ୍ଷୁଧା, ଅଭାବ ଓ ଅନାଟନରେ ଅହରହ ନିଷ୍ପେସିତ ହୋଇଯିବା ପରେ ଦିନେ ରାତ୍ରିରେ ସେ ଘୁରନ୍ତା ପଙ୍ଖାରେ ନିଜ ଗଳାକୁ ଫାଶି ଦେଇ ଲଟକେଇଦେଲା। କିନ୍ତୁ ତାର ଦୁର୍ଯୋଗ ଦଉଡ଼ି ଛିଣ୍ଡି ଗଲା ଅଥଚ ସେ ମରି ପାରିଲାନି। ସେହି ଦୃଶ୍ୟ ଅବଲୋକନରେ ପାଞ୍ଚ ଜନ୍ମିତ ନାବାଳକ କ୍ଷୁଧିତ ସନ୍ତାନଙ୍କ ବିକଳ ଚିତ୍କାର ତାର ଶୋଣିତ ଧାରାକୁ ଆହୁରି ଉତ୍ତପ୍ତ କରିଦେଲା। ଚାରିପଟର ପୃଥିବୀ ଦିଶିଲା ତାକୁ ଅତି ବିଭତ୍ସ, ଭୟାନକ ଓ ବିବର୍ଣ୍ଣ ନର୍କ କୁଣ୍ଡଟିଏ ଭଳି। ହାତର ମାଂସପେଶୀ ଗୁଡିକୁ ଆହୁରି ଶକ୍ତ କରି ଦେଲା ସେ। ଗଭୀର ଉତ୍ତେଜନାରେ ତା’ ମସ୍ତିଷ୍କର ସ୍ନାୟୁ ଗୁଡିକ ଉତ୍ତେଜିତ ହେବାରେ ଲାଗିଲା। ସେ ପାଲଟି ଗଲା ଗୋଟାଏ ମସ୍ତବଡ ନରହନ୍ତା, ଜହ୍ଲାଦ। କାଚ ଗ୍ଲାସରେ ବିଷ ମିଶ୍ରିତ ଗରମ ଦୁଗ୍ଧକୁ ଏକା ସାଙ୍ଗରେ ସମସ୍ତଙ୍କୁ ପିଇବାକୁ ବାଧ୍ୟକଲା। ସେ କିନ୍ତୁ ବିଷ ଗଳାଧଃକରଣର ଅବ୍ୟବହିତ ପୂର୍ବରୁ ସ୍ତ୍ରୀ ଓ ସନ୍ତାନ ବର୍ଗଙ୍କ ମିଳିତ-ତିବ୍ର-କରୁଣ-କ୍ରନ୍ଦନ-ଧ୍ୱନୀର ତରଙ୍ଗ ନିରନ୍ତର ଅମାର ପ୍ରତି ସ୍ଥରେ ସ୍ଥରେ ସୃଷ୍ଟି କଲା ଏକ କରୁଣ ମୂର୍ଛିତ-ତରଙ୍ଗାୟିତ କମ୍ପନ। ନିଜେ ପିଇବାରୁ ବଞ୍ଚିତ ଆଉ ଅନ୍ୟଙ୍କୁ ପିଆଇବାରେ ଅକ୍ଷମତା ତାର ପ୍ରଜ୍ଵଳିତ ଦୁଃଖ-ଶିଖାକୁ ପ୍ରତି ମୁହୂର୍ତ୍ତରେ ଉଜ୍ବିବିତ କରୁଥିବା ବେଳେ ପଡ଼ୋଶୀଙ୍କ ପଦାଘାତରେ ଭାଙ୍ଗି ପଡିଥିବା ଘରର ଝରକା ଓ କବାଟର କିଳେଣୀ ଖୋଲିଯିବା ପୁର୍ବରୁ ଅନ୍ଧାରର ଅମା ଭିତରେ ସେ କେଉଁଠି ନେଶି ହୋଇଗଲା।
ତାର ଛ’ ଫୁଟ ଡେଙ୍ଗା ପତଳା ଶରୀରର କୌଣସି ଭୌଗୋଳିକ ପରିବର୍ତ୍ତନ ହୋଇନି ସତ କିନ୍ତୁ ଅତୀତର ସେଇ ଐତିହାସିକ ପଦକ୍ଷେପ ତାକୁ କେଉଁ ଏକ ନିଷିଦ୍ଧ ଇଲାକା ଭିତରକୁ ଠେଲି ଦେଇଛି ଅବାଂଛିତ ଭାବେ। ଏଇଟି ତା’ ଚାରିପଟର ପୃଥିବୀରେ ଅପରିଚିତର ଉଇହୁଙ୍କାଟିଏ ମୁଣ୍ଡ ଟେକିଛି ଆଉ ତାରି ଭିତରେ ସେ ଅହରହ ରାମ ନାମ ଜପୁଛି ଦସ୍ୟୁ ରତ୍ନାକରରୁ ବାଲ୍ମୀକିରେ ରୂପାନ୍ତରିତ ହେବାର ସ୍ୱପ୍ନ ନେଇ।
—————————
ଡ଼.ଅଶୋକ କୁମାର ଷଡଙ୍ଗୀ, ଭଞ୍ଜନଗର।

 610 total views,  2 views today

Leave a Reply

Your email address will not be published. Required fields are marked *