: ସ୍ମୃତି ଗୋ ତୁମେ :
ସ୍ମୃତି ଗୋ ତୁମେ ଫେରିବକି
ଏ ହତାଶା ରାଇଜର ପ୍ରବାସୀକୁ,
ତୁମେ ଦେହେ ତଲ୍ଲିନ ସେ ମୁହୂର୍ତ୍ତ
ତୁମ ଗର୍ଭେ ପୂରିତ ଚିତ୍ର ସମସ୍ତ
ଫେରାଇ ଦେବାକୁ ଆଶାଟିଏ ଦେବକି ||
ସ୍ମୃତି ଗୋ ତୁମେ ରହିବକି
ଏ ଦରିଦ୍ର ରାଇଜର ପ୍ରବାସୀକୁ,
ଅସୁମାରୀ ପ୍ରେମର ସେ ପରସ
ଅମୃତ ବାରିଧି ସଦୃଶ ଆଶିଷ
ସାଉଁଟି ନେବାକୁ ଅନୁମତି ଦେବକି ||
ସ୍ମୃତି ଗୋ ତୁମେ ଶୁଣିବକି
ଏ ଅଜ୍ଞାନ ରାଇଜର ପ୍ରବାସୀକୁ,
ଅବିଚ୍ଛେଦ୍ୟଙ୍ଗ ସମ ସେ ସଂସ୍କାର
ଅଳଙ୍କାର ପ୍ରାୟ ଶିକ୍ଷା ଓ ଜ୍ଞାନର
ଦର୍ଶନ କରିବାକୁ ଆକାଂକ୍ଷା ଦେବକି ||
ସ୍ମୃତି ଗୋ ତୁମେ କହିବକି
ଏ ପ୍ରତିକ୍ଷିତ ରାଜ୍ୟର ପ୍ରବାସୀକୁ,
ମୋର ଶରୀରର ସମସ୍ତ ଉର୍ଜା
ଅର୍ଦ୍ଧ ଭାଗର ମୋ ଜୀବନ ପ୍ରଦୀପ
କାହିଁ ଲିଭାଇ ଦେଲ ଉତ୍ତର ଦେବକି ||
ସ୍ମୃତି ଗୋ ତୁମେ ଦେଖିବକି
ଏ ନିର୍ଜନ ରାଜ୍ୟର ପ୍ରବାସୀକୁ,
ଅପୂରଣୀୟ ସେ କାହାଣୀ ସବୁ
ଅହମିକା ସମ ଏ ମୋ ଭାବନା ସବୁ
ସମ୍ପୂର୍ଣ କରିବାକୁ ସାହସ ଦେବକି ||
ସ୍ମୃତି ଗୋ ତୁମେ ପାରିବକି
ଏ ଅନ୍ଧକାର ରାଜ୍ୟର ପ୍ରବାସୀକୁ,
ତା’ ଗତ ଜୀବନର ସେ ଆଲୋକ
ପ୍ରିତୀମୟ ସର୍ବ ଆଖିର ପଲକ
ଭେଟି ଦେବାକୁ ଥରେ ସାନ୍ତ୍ୱନା ଦେବକି ||
*******
Hruday Ranjan Parida
#ହୃଦୟ_ରଂଜନ_ପରିଡ଼ା
#ସୁନାପାଳ_ବିଂଝାରପୁର_ଯାଜପୁର
ଖୁବ ସୁନ୍ଦର……❤️❤️