ଗୃହ ପ୍ରବେଶ
ପ୍ରଚ୍ଛଦପଟ୍ଟରେ ଅତୀତ ହଜୁଛି,
ଆମ୍ବ ତୋରଣ, ଜଣାଏ ସ୍ଵାଗତ,
ହାତରେ ଗୁଞ୍ଜେ ଚୁଡ଼ିର ଝଣକ,
ପାଉଁଜି ସ୍ଵରେ କରେ ପୁଲକିତ !
ସଂସାରଟେ ଛାଡି ସଂସାରଟେ ଲାଗି,
ଅଳତା ଗାରେ ଆଙ୍କେ ରୂପରେଖ,
ଆଭିଜାତ୍ୟ ତା’କୁ ଅନେକ ଯୁଗର,
ଆଜି ନବ ବଧୂ କରିଛି ଦେଖ I
‘ଧନ ଧାନ୍ୟ ଖାଲି ନୁହଁଇ ସମ୍ପତ୍ତି,
ପରିବାର ସୁଖ ଶ୍ରେଷ୍ଠ ସମ୍ପଦ,
‘କୂଳର ମର୍ଯ୍ୟାଦା, ଜାତିର ଉତ୍ଥାନ’,
ଜାଗ୍ରତ ରଖ ଆସିଲେ ବିପଦ I
ମାତୃ ରୂପ ତା’ର, ମାତୃତ୍ଵକୁ ଡାକେ,
ଶାଶୁ ତା ବୋହୂକୁ କୋଳେଇ ଦିଏ I
“କନ୍ୟା ତୁଲ୍ୟ ନୁହଁ, କନ୍ୟା ତୁ ଘରର”,
କହି ଆଦରେ ପାଛୋଟି ନିଏ I
ହସ୍ତାନ୍ତର କରେ ତାକୁ ଭବିଷ୍ୟତ,
ମୁଣ୍ଡରେ ଦେଇ ନାଲି ଓଢଣାଟି,
ପଣତ କାନିର ଚାବି ପେନ୍ଥାରେ,
ଧରାଏ ଘରର ମୂଳଦୁଆଟି !
ରଞ୍ଜିତ କୁମାର ସାହୁ
ଯୁକ୍ତରାଷ୍ଟ୍ର ଆମେରିକା