*ବିଶ୍ୱ ଦେଖ ମଧୁମୟ ରେ ଜୀବନ!*
ଲେଖକ / କବି : ଗଙ୍ଗାଧର ମେହେର
ପୁସ୍ତକ / କାବ୍ୟ : ଅର୍ଘ୍ୟଥାଳୀ(୧୯୧୮)(କବି ବିଶ୍ୱର ମଧୁମୟ ରୂପକୁ ଅତ୍ୟନ୍ତ ସୁନ୍ଦର ଭାବରେ ଉପଲବ୍ଧି କରି ପାରି ଥିଲେ। ଏହାକୁ ବର୍ଣ୍ଣନା କରିବାକୁ ଯାଇ କବି ଲେଖନ୍ତି-)
ବିଶ୍ୱ ଦେଖ ମଧୁମୟ ରେ ଜୀବନ!
ବିଶ୍ଵ ଦେଖ ମଧୁମୟ
ମଧୁର ଝରଣ କରିବ ହରଣ
ତୋ’ ପାପ ମରଣଭୟ ରେ ଜୀବନ !
ଜନନୀର ସ୍ନେହ ଜାୟାର ପ୍ରଣୟ
ବୁଧ-ବନ୍ଧୁ ସଦାଳାପ,
ଜନକ ଆଦର ଏକ ଏକ ଝର
ତଡ଼ି ଦେଉଛନ୍ତି ତାପରେ ଜୀବନ!
ନବ ନବ କର୍ମ ନବ ନବ ମର୍ମ
ନବ ନବ ଜ୍ଞାନପଥ,
ନବୀନ ଆଲୋକେ ଦେଖାନ୍ତି ଏ ଲୋକେ
ମଧୁ ଝର ଶତ ଶତ ରେ ଜୀବନ!
ମଧୁମୟ ବନେ ମଧୁମୟ ସ୍ୱନେ
ଗାଇ ମଧୁମୟ ଗୀତି,
ବିହଙ୍ଗମଗଣ ପୂରାନ୍ତି ଶ୍ରବଣ
ମଧୁ ଢାଳି ନିତି ନିତି ରେ ଜୀବନ!
ଦିନେ ଦିନପତି ରାତ୍ରେ ରକ୍ଷତତି
ସହିତ କୁମୁଦବନ୍ଧୁ,
ବିଚରି ଗଗନେ ଅଖିଳ ଭୁବନେ
ବିତରନ୍ତି ଜ୍ୟୋତି ମଧୁ ରେ ଜୀବନ!
ମହୀ ମହୀଧରେ ସରିତ ସାଗରେ
ସରେ ବନ ଉପବନେ,
ଦେଖ ଫୁଲକୁଳ ପଲ୍ଲବ କଲ୍ଲୋଳ
ମଧୁ ମାଖିଛନ୍ତି ଘନେ ରେ ଜୀବନ!
ବିଶ୍ୱନାଥଙ୍କର କରୁଣାକନ୍ଦର
ମଧୁ ଝର ଜନ୍ମସ୍ଥଳ,
ଚାହିଁ ଝର ପ୍ରତି ଉଚ୍ଚ କଲେ ଗତି
ପାଇବୁ କରୁଣାଚଳ ରେ ଜୀବନ!
ହେଲେହେଁ ତୁ ସାନ କରୁଣାନିଧାନ
ରାଜ୍ୟରେ କରିଛୁ ବାସ,
ବଢ଼ାଇଲେ କର ତାଙ୍କ ଶ୍ରୀପୟର
ଲାଭେ ନ ହେବୁ ନିରାଶ ରେ ଜୀବନ!
ସର୍ପଦଷ୍ଟ ଜନ ମୁଖରେ ଲବଣ
ଦେଲେ ବୋଲିଥାଏ ମାଟି,
ଜ୍ଞାନଭ୍ରଷ୍ଟେ ମଧୁ ନ ଲାଗିଲେ ସ୍ୱାଦୁ
ଜ୍ଞାନଗଦ ପିଅ ବାଟିରେ ଜୀବନ!