*ଆସରେ ଧରିବା ଜହ୍ନ*
ଦଳେ ପିଲାମାଙ୍କଡ଼ ପୋଖରୀରେ ଜହ୍ନକୁ ଦେଖିଲେ । ଆକାଶର ଜହ୍ନକୁ ପାଣି ଭିତରେ ଦେଖି ମାଙ୍କଡ଼ମାନଙ୍କ ଖୁସି କହିଲେ ନସରେ । ସେମାନଙ୍କ ଭିତରୁ ଜଣେ କହିଲା ” ଆରେ ଦେଖରେ, ପୋଖରୀ ଭିତରେ ଜହ୍ନ ! ଚାଲ, ତାକୁ ଧରିବା । ”
ଜହ୍ନକୁ କେମିତି ଧରିବେ ସମସ୍ତେ ଉପାୟ ପାଞ୍ଚିଲେ । ସମସ୍ତେ ଉପାୟ ପାଞ୍ଚୁଥିବା ବେଳେ ଜଣେ ଜହ୍ନକୁ ଆଗ ଧରିବା ପାଇଁ ବ୍ୟସ୍ତ ହୋଇପଡ଼ିଲା । ତେଣୁ ସେ କିଛି ଚିନ୍ତା ନକରି ପୋଖରୀ ଭିତରକୁ ମାରିଲା ଗୋଟାଏ କୁଦା । ହେଲେ ଜହ୍ନ କାଇଁ ? ପାଣି ଭିତରୁ ଜହ୍ନ ଏକବାର ଛୁ ।
ପାଣିରେ ପହଁରୁଥିବା ମାଙ୍କଡ଼ଟି କହିଲା, “ଆରେ, କୁଆଡ଼େ ଗଲା ଜହ୍ନ ? ” ଅନ୍ୟମାନେ ଗଛ ଉପରୁ କହିଲେ- ” ତୋ କୁଦାରେ ବୋଧହୁଏ ସେ ଡରିଗଲା । ” ଓଦା ଜୁଡୁବୁଡୁ ମାଙ୍କଡ଼ଟି ଗଛକୁ ଚଢ଼ି ଅନ୍ୟମାନଙ୍କ ସହ ଡାଳରେ ବସିଲା ।
କିଛି ସମୟ ଗଲା । ମାଙ୍କଡ଼ମାନେ ପୁଣି ଦେଖିଲେ ପୋଖରୀ ଭିତରେ ଜହ୍ନ । ଜହ୍ନକୁ ବାରମ୍ବାର ଅତି ପାଖରେ ଦେଖି ପୁଣି ଇଚ୍ଛା ହେଲା ତାକୁ ଧରିବା ପାଇଁ ।
ଏଥର ସେମାନେ ଗୋଟିଏ ନୂଆ ଯୋଜନା କଲେ । ଯୋଜନା କଲାବେଳେ ଚୁପ୍ ଚୁପ୍ କଥାହେଲେ, ନହେଲେ ହୁଏତ ଜହ୍ନ ଶୁଣିନେବ । ସେମାନେ ସ୍ଥିର କଲେ, ଜଣେ ଅନ୍ୟ ଜଣକର ହାତ ଧରାଧରି ହୋଇ ଗଛରୁ ତଳକୁ ଲଟକିବେ ଓ ଚୁପ୍ ଚାପ୍ ଜହ୍ନକୁ ଧରି ପକାଇବେ ।
ଏହିପରି ଯୋଜନା କରି ସେମାନେ ଆରମ୍ଭ କରିଦେଲେ ଜହ୍ନକୁ ଧରିବା କାମ । ଏତେବେଳଯାଏ ବୁଢ଼ା ମାଙ୍କଡ଼ଟିଏ ଗଛରେ ଥାଇ ଏମାନଙ୍କର କାମ ଦେଖୁଥାଏ ।
ମାଙ୍କଡ଼ମାନେ ହାତ ଧରାଧରି ହୋଇ ଡାଳରେ ଲଟକୁଥିବା ବେଳେ ପ୍ରଥମ ମାଙ୍କଡ଼ଟି ଧରିଥିବା ଡାଳଟି ହଠାତ୍ ମୋଡ଼୍ କରି ଭାଙ୍ଗିଗଲା ।
ତା’ପରେ…….ତା’ପରେ…….ତା’ପରେ……. କଣ ହେଲା ?