:::କିଏ ତୁମେ ଅଭିସାରିକା:::
ସ୍ଵପ୍ନର ନାୟିକା, ମନର ଯାଜ୍ଞିକା
ଶୟନେ ସପନେ,ପ୍ରତି ଶବ୍ଦବ୍ରହ୍ମେ
ମୋ ମନ ମନ୍ଦିର , ଅଗ୍ନିରୂପ ଶିଖା ।
କିଏ ତୁମେ ଅଭିସାରିକା
ମଳୟ କୁ ମଧୁ ମାସ ଛୁଇଁଯିବା
ପୂର୍ବରୁ ଓଠର କିଆରୀରେ ବୁଣି
ଦେଲ ଅମାପ ପ୍ରୀତିର ସ୍ପର୍ଶ ବନ୍ୟା ।
କିଏ ତୁମେ ଅଭିସାରିକା
ନାୟିକା ନୁହଁ କି ମୋ ପ୍ରେମିକା ନୁହଁ
କିନ୍ତୁ ମନ ହୁଏ, ତୁମେ ମୋ ଶକ୍ତି
ତୁମେ ମୋ ରଙ୍ଗ, ତୁମେ ମୋ ବାସ୍ନା
ଆଉ ତୁମେ ମୋ ଅଦମ୍ୟ କାମନା ।
କିଏ ତୁମେ ଅଭିସାରିକା
ଆଜିବି ମନେପଡେ ଅଳସୀ ରାତି
ଆସିଥିଲ ତୁମେ ହେ ଶୃଙ୍ଗାର ସାଥୀ
ରଜନୀଗନ୍ଧାର ମହକରେ ସ୍ବପ୍ନ-
ସୌଦାଗର ସାଜି କଥା ଦେଇଥିଲ
ଜହ୍ନ ଦେଶେ ରାଜା,ରାଣୀ ହେବା ପାଇଁ ।
କିଏ ତୁମେ ଅଭିସାରିକା
ଝାପାସା ନିଦରେ ଦୃଷ୍ଟିପାତ ହୁଏ
କେବଳ ତୋ ପାଦ ଚିହ୍ନ,ହାତ ସ୍ପର୍ଶ
ବରହୀ,ମୋହିନୀ,ବଂଶୀ କୋକି ସ୍ଵର ।
କିଏ ତୁମେ ଅଭିସାରିକା
ମୋ ଆଖିର ରଶ୍ମୀ, ମୋ ଛାତିର ଅସ୍ମି
ମୋ ହରିଣୀ କଟି, ମୋ ରଜନୀ ସାଥି
ତୁମ ବିରହରେ ଦିନ ତମାମ ପାଗଳ-
ଭଅଁର ସାଜି ଖୋଜିବୁଲେ ତୋ ବାସ୍ନା ।
କିଏ ତୁମେ ଅଭିସାରିକା
ଯଦି ତୁମେ ଦେବୀ ହେବ, ମୁଁ ଦିଅଁ ହେବି
ଯଦି ତୁମେ ଯୋଗୀ ହେବ,ମୁଁ ଭୋଗୀ ହେବି
ଯଦି ତୁମେ ଅହଲ୍ୟା ହେବ, ମୁଁ ରାମହେବି।
କିଏ ତୁମେ ଅଭିସାରିକା
ଶୁଣିଥିଲି କଷ୍ଟ କଲେ ରାଧା ମିଳେ
କିନ୍ତୁ ମୁଁ କୃଷ୍ଣ ହେବାକୁ ଚାହେଁ ନାହିଁ
ମୋ ମଥାରେ ହାତ ରଖି କହିଦିଅ
ତୁମେ ହିଁ ମୋର ଅକଳ୍ପନୀୟ ପ୍ରିୟସୀ।
ପବିତ୍ର ବେହେରା
ବାହାଲପୁର, ଗଞ୍ଜାମ
ଦୂରଭାଷ-୭୭୮୮୮୮୬୬୦୨