ଝୁମ୍ପୁଡିଆ ଭାଗ୍ୟର ଆତ୍ମସମୀକ୍ଷା

ତୁମ ପ୍ରୀତିର ଅଶାନ୍ତ କ୍ଷୁଧା
ଚାଟିନେଲା ନିମିଷେ ମୋର ପଞ୍ଜରା ତଳୁ ସବୁ ଦୁଃଖ
ଆଖିକୁ ଦେଇ ବହଳ ବହଳ ନିଦ
ତୁମକୁ ସ୍ୱପ୍ନରେ ଦେଖିବା ପାଇଁ……..

ଲେଖେ ବାଧ୍ୟହୋଇ ଫାଜିଲ ପ୍ରେମର ଦରପୋଡା ଭାଷା
ନିଶ୍ୱାସ ରେ ଯେବେ ବହିଆସେ
ତୁମ ପ୍ରେମର ଦକ୍ଷିଣା ପବନ
ପଞ୍ଜରା ତଳ ହାଡ଼ ମଧ୍ୟରୁ……..

ମୋର ବ୍ୟସ୍ତବାୟା ମନକୁ
ଅରଣା ମହିଁଷିଟିଏ ବାଟ ଉଗାଳୁଛି
ପ୍ରେମିକ ଟିଏ ହେବା ପୂର୍ବରୁ ନିଜ ଝୁମ୍ପୁଡିଆ ଭାଗ୍ୟର
ଆତ୍ମସମୀକ୍ଷା କରିବାକୁ କହୁଛି…….

ସମୟର ହରରଙ୍ଗୀ ମଧ୍ୟାହ୍ନରେ
ମାଟିର ଏ କଞ୍ଚା ଦେହଟାକୁ ସିଝାଇ
ତୁମ ସ୍ମୃତିର ପାହାଡ଼ ଚଢ଼େ ବାୟା ହାତୀ ପରି
ସବୁ ଆଶାକୁ ମକଚି ଦେଇ ବତାସ ବେଗରେ…….

ବାଟ ଉଗାଳନ୍ତି ତୁମ ପ୍ରତିଛବି ଅଙ୍କାଥିବା ପଥରଗୁଡ଼ା
ଆକାଶ ବି ଡାକେ ବାହୁ ପ୍ରସାରିତ କରି
କଥା ହେବାକୁ ଜହ୍ନ ସାଥିରେ ପଚାରିବାକୁ ତୁମ ଠିକଣା
ତୁମେ ଅପ୍ସରୀ ଯେଣୁ ଜହ୍ନ ରାଇଜର…….

ହୃଦୟ କଥା ବୁଝିବାକୁ କେହି ନାହିଁ
ଦୁହିଁ ହୋଇଯାଆନ୍ତି ସବୁ ଅଶାଗୁଡା
ମୁକୁଳା ଆକାଶ ତଳେ, ମାଟିର ମଥାନ ଉପରେ
ସେକି ବାସି ରୁଟି ଜୀଵନ ତାୱାରେ……

ତୁମେ କଣ ଆସିବ ସେହି ଜହ୍ନ ରାଇଜରୁ
ଢାଳିବାକୁ ପ୍ରେମ ପ୍ରୀତୋଦକ
ଆଙ୍କିବାକୁ ନୂତନ ସୂର୍ଯ୍ୟୋଦୟ ର ଚିତ୍ର
ଶିଖାଇ ମୋତେ ବଞ୍ଚିବାର ପଦ୍ମତୋଳା…..

*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା , ମୁଖ୍ୟ ସଚିବ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*

 374 total views,  1 views today

Leave a Reply

Your email address will not be published. Required fields are marked *