ବଖରାଏ ଘର
***********
ଖୁବ ଭଲ ଥିଲା ବଖରାଏ ଘର, ସେ ଭିତରେ ପଢ଼ା ଲେଖା ପାଇଁ ଟେବୁଲଟିଏ, ନିତ୍ୟ ବ୍ୟବହାର୍ଯ୍ୟ ଲୁଗାପଟା ପାଇଁ ଆଲଣାଟିଏ, ଶେଯ, ଟିଭି ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷସବୁ l ଗୋଟିଏ କଣରେ ହିଟର ଟେ, ସେଇଠି ହୋଇଯାଏ ରନ୍ଧାବଢ଼ା ଓ ତା ପାଖ ଖାଲିଜାଗାରେ ଖିଆପିଆ l କେବେ କେବେ ଲାଇନ କଟିଲେ ବାହାରେ ପଡ଼ିଥିବା ଚୁଲିରେ ଖାଦ୍ୟ ରାନ୍ଧିବାକୁ ପଡିଥାଏ l ଏତେ ଜିନିଷଙ୍କ ଭିଡରେ ଚାଲୁଥିଲା ସୁନ୍ଦର ଜୀବନ l
ତଥାପି ଅନ୍ୟମାନଙ୍କର ଉନ୍ନତମାନର ତଥା ବ୍ୟବସ୍ଥିତ ଘରଗୁଡିକ ଦେଖି କେଉଁଠି ନା କେଉଁଠି ସୁନ୍ଦର ଘରଟିଏର ସ୍ବପ୍ନ ସାକାର ହେବାକୁ ସୁଯୋଗ ଉଣ୍ଡୁଥିଲା ନୀଳିମାଦେବୀଙ୍କର l ଠିକ ଦେଢ଼ବର୍ଷ ପରେ ସେ ସ୍ୱପ୍ନର କଳ୍ପବୃକ୍ଷଟି କାୟା ବିସ୍ତାର କରିବାକୁ ଲାଗିଲା l ହେଲା ପସନ୍ଦ ମୁତାବକ ଘର, ଆନନ୍ଦର ସୀମା ରହିଲା ନାହିଁ l ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ବଖରା ଦିଆଗଲା, ଖୁସି ହେଲେ ସମସ୍ତେ l ମନ ମୁତାବକ ବଖରାରେ ଆପଣାର ଇଛା ମୁତାବକ ସାଜସଜ୍ଜା ଚାଲିଲା କିଛିଦିନ ଧରି, ଭିତରେ ଭିତରେ ଖୁସି ହିଁ ଖୁସି ଲକ୍ଷ୍ୟ କରୁଥିଲେ ନୀଳିମା ଦେବୀ l ପ୍ରକୃତରେ ଏମିତି ଘରଟିଏ ଆଗରୁ ଦରକାର ଥିଲା l ସେ ଯାହାହେଉ ସମସ୍ତଙ୍କ ଖୁସି ଘରଟିକୁ ବୈକୁଣ୍ଠକରି ଗଢିତୋଳୁଥିଲା l ଏହି ଖୁସିକୁ ସେ ମରିବା ପର୍ଯ୍ୟନ୍ତ ଆଖିରେ ଦେଖୁଥାନ୍ତୁ ବୋଲି ଭଗବାନଙ୍କୁ ବାରମ୍ବାର ପ୍ରଣାମ କରି କୃତଜ୍ଞତା ଜ୍ଞାପନ କରୁଥିଲେ l ଦିନେ ନୀଳିମା ଦେବୀ ଲକ୍ଷ୍ୟ କଲେ ବଡ଼ ପୁଅ ଜଳଖିଆ ଖାଇବା ସମୟରେ ଅଫିସ ବାହାରିଯାଉଛି, ନ ଖାଇ ଯାଇଥିବାହେତୁ ମନଦୁଃଖ କଲେ ଓ ବୋହୁ ପାଖକୁ ଗଲେ କାରଣ ଜାଣିବା ପାଇଁ l “ବୋହୁ, ଜଗୁ ନ ଖାଇ ଅଫିସ ଚାଲିଗଲା ଯେ “..କହି କହି ବୋହୁ ବଖରାକୁ ପଶିଗଲେ lଯାହାଦେଖିଲେ ତାଙ୍କ ଆଶ୍ଚର୍ଯ୍ୟର ସୀମା ରହିଲାନାହିଁ, ବୋହୁ ଜଳଖିଆ ଖାଉଛି l ” ଆରେ, ଇଏ କଣ ! ତଳେ ସମସ୍ତେ ଡାଇନିଂରେ ଅପେକ୍ଷାରେ ଅଛନ୍ତି, ଆଉ ତୁ… ” ଆଉ କହିପାରୁନଥିଲେ ନୀଳିମା ଦେବୀ l ଖାଇବା ପରି ହୀନ କଥାଟିକୁ ସେ କହିଥାନ୍ତେ ବା କିପରି !
ସାନ ବୋହୁ ବଖରାଆଡକୁ ଗଲେ l ଭିତରୁ କବାଟ ବନ୍ଦ l ଆଠଟା ବାଜିଲାଣି, ଅଥଚ କବାଟ ଖୋଲିନି ଏ ଯାଏଁ ! ଅଭିମାନରେ ଆଉ ନ ଡାକି ଧୀରେ ତଳକୁ ଓହ୍ଲାଉଥିଲେ, “ଏ କଣ ତାଙ୍କ ସ୍ୱପ୍ନର ଘର ! ଆଗରୁ ରନ୍ଧା ଖାଦ୍ୟର ବାସ୍ନାରେ ଜଳଖିଆର ନିର୍ଦ୍ଧାରିତ ସମୟ ପୂର୍ବରୁ ପହଁଚିଯାଉଥିଲେ ପିଲାମାନେ, ଚାରିପାଖେ ବେଢ଼ି ଯାଉଥିଲେ, ମା’, ମୋତେ ଆଗ, ମୋତେ ବେଶୀ କହି ବ୍ୟସ୍ତ କରିପକାଉଥିଲେ l ସେଥିରେ ବେଶୀ ଖୁସି ହୋଇଯାଉଥିଲେ ସେ l ରାତିରେ ପଢା ସମୟରୁ ବିଭିନ୍ନ ଆଳ କରି ରୋଷେଇ ହେଉଥିବା ଖାଦ୍ୟକୁ ଦେଖି, ବାସ୍ନା ଆହରଣ ପୁର୍ବକ ସମ୍ମତି ସୂଚକ ହସ ଦେଇ ପୁଣି ଚାଲି ଯାଉଥିଲେ ପଢିବାପାଇଁ, ନୀଳିମା ଦେବୀ ସେଇଠୁ ସାଉଁଟିନେଉଥିଲେ ପିଲାଙ୍କ ଖୁସି l
ନଅଣ୍ଟ ପଡୁଥିବା ବଖରାଏ ଘରକୁ ପାଞ୍ଚ ବଖରା କରିଦେଲେ ପିଲାଙ୍କ ଖୁସିପାଇଁ, କିନ୍ତୁ ଖୁସି ଯେ ଭାଗ ଭାଗ ହୋଇଯିବ , ସ୍ନେହ ଟୁକୁଡା ଟୁକୁଡା ହୋଇଯିବ, ଆପଣାର ପଣରେ ଏତେ ଜଡତା ଆସିଯିବ, ଏକଥା କିଏ ଜାଣିଥିଲା ! ଏବେ ଜଳଖିଆ ସମୟରେ ପିଲାଙ୍କୁ ଫୋନ କରି ଡାକିବାକୁ ପଡେ, ରାତିରେ କିଏ କେମିତି ବାହାରୁ ଖାଇ ଆସିଛନ୍ତି ବୋଲି କହନ୍ତି, ସ୍ତ୍ରୀ ମାନଙ୍କ ପାଇଁ ପାର୍ସଲ ନେଇଆସନ୍ତି ଆଉ ବୋହୁ ମାନେ ଦେହ ଭଲ ନ ଥିବାର ବାହାନା କରି ନିଜ ନିଜ ବଖରାରେ ଖାଇନିଅନ୍ତି l ଏସବୁ ଲକ୍ଷ୍ୟ କରନ୍ତି ନୀଳିମା ଦେବୀ କିନ୍ତୁ କିଛି କହିବାକୁ ପସନ୍ଦ କରନ୍ତିନାହିଁ l ସହଜେ ତ ତାଙ୍କ ବଖରାଏ ଘରର ଗଛିତ ସ୍ନେହ, ଶ୍ରଦ୍ଧା ଓ ଆପଣାପଣ ଭାଗ ହୋଇସାରିଲାଣି, ପୁଣି କିଛି କହି ସାଇ ପଡ଼ିଶାରେ ଲୋକହସା ହେବାକୁ ସେ ଭୟ କରୁଛନ୍ତି l ସେଇ ବଖରାଏ ଘର ଭିତରେ ଥିବା ଆପଣାପଣ, ସ୍ନେହ, ଆନ୍ତରିକତା, ପ୍ରେମ, ଭଲପାଇବା ଯେମିତି ପାଞ୍ଚ ବଖରାର ଭାଇ ଭାଗ ପରି ବାଣ୍ଟ ହୋଇସାରିଛି l ମାଟି ଘରର ସ୍ନେହ ସରାଗ ସବୁ ଯେମିତି ଛଡ଼, ସିମେଣ୍ଟ ସଂସ୍ପର୍ଶରେ ଆସି ଜଡ଼ ପାଲଟିଯାଇଛି l ଆଉ ତାଙ୍କର ସେ ସ୍ୱପ୍ନର ସୌଧ ଦରକାର ହେଉନଥିଲା, ସେ ଝୁରୁଥିଲେ ସେ ମାଟି ଘର ବଖରାକର ଭଲ ପାଇବାର ବାସ୍ନାସହ ସ୍ନେହ, ପ୍ରେମ, ଆପଣାପଣ, ପିଲାଙ୍କଅଳି ଅଝଟ, ଏକାଠି ଖାଇବା, ଶୋଇବା ଇତ୍ୟାଦି ଇତ୍ୟାଦି….ଯାହା ଛଡ଼, ସିମେଣ୍ଟର ସ୍ପର୍ଶରେ ଜଡ଼ ପାଲଟିଯାଇଛି l
ଚିନ୍ମୟୀ ମହାପାତ୍ର
ଅନଗୁଳ
Chinmayee Mohapatra
Angul.