ବିଷୟ: ଗଙ୍ଗାପାର
(ରାଗ- କଳସା)
ଜାନକୀ ମହାନ୍ତ
( ସ୍ୱରଚିତ ରାମାୟଣ ଭାଗ-୪)
ରାମ ନାମ ସୁଧା ସମ ଲାଗେ ସର୍ବୋତ୍ତମ
ରାମ ନାମ ଥିଲେ ମିଳେ ବୈକୁଣ୍ଠର ଧାମ ।୧।
ବିଶ୍ୱାମିତ୍ର ଋଷି ସାଥେ ଶ୍ରୀରାମ ଲକ୍ଷ୍ମଣ
ଋଷିଯଜ୍ଞ ରକ୍ଷା ଇଚ୍ଛି ଗମିଲେ ଯେ ବଣ।୨।
ଦେବରକ୍ଷା ଋଷିଯଜ୍ଞ ରକ୍ଷା ସମାପନେ
ବେନି ଭ୍ରାତା ତାଡ଼କା ନାଶିଣ ଥିଲେ ବନେ ।୩।
ଖର ସୁବାହୁ ଦୂଷଣ କରିଲେ ନାଶନ
ରାମ ବ୍ରହ୍ମାସ୍ତ୍ରରେ ଶିର କରନ୍ତି ଛେଦନ ।୪।
ଗଉତମ ଋଷି ଜାୟା ଅହଲ୍ୟା ପାଷାଣୀ
ଅଭିଶପ୍ତା ସ୍ୱାମୀ ଶାପେ ସତ୍ୟ ଯୁଗେ ପୁଣି ।୫।
ଶ୍ରୀରାମ ପୁରୁଷୋତ୍ତମ ସେ କୋଦଣ୍ଡ ଧାରୀ
ପଦସ୍ପର୍ଶେ ଥିଲେ ରାମ ଅହଲ୍ୟା ଉଦ୍ଧାରି ।୬।
ଏଥୁଅନ୍ତେ ବିଶ୍ୱାମିତ୍ର ବୋଇଲେ ସଧୀରେ
ଶ୍ରୀରାମ ସୌମିତ୍ରୀ ଚାଲ ଜନକପୁରୀରେ ।୭।
ରାଜର୍ଷି ଜନକ କରିଛନ୍ତି ଆୟୋଜନ
ସୀତା ସ୍ୱୟଂମ୍ବର ଲାଗି ଅଛି ନିମନ୍ତ୍ରଣ ।୮।
ରଘୁକୁଳ ତିଳକ ଯେ ଗୁରୁଙ୍କ ବଚନେ
ଗମନ କରନ୍ତି ସାଥେ ମିଥିଳା ଭବନେ ।୯।
ମହୋଲ୍ଲାସେ ପହଞ୍ଚିଲେ ଭାଗିରଥୀ ତୀରେ
ସୁବିସ୍ତୀର୍ଣ୍ଣ ପୂଣ୍ୟତୋୟା ମନ୍ଦାକିନୀ ଧାରେ ।୧୦।
ହିମାଳୟ ଅଚଳେ ଗଙ୍ଗୋତ୍ରୀ ହିମବାହ
ତହୁଁ ଉତ୍ପତ୍ତି ଜାହ୍ନବୀ ପାପ କରେ କ୍ଷୟ ।୧୧।
ସରଗୁ ଧରାରେ ଆଣିଥିଲେ ଭାଗୀରଥ
ସଗର ବଂଶଜେ କରି ଥିଲେ ମୋକ୍ଷ ପ୍ରାପ୍ତ ।୧୨।
ଶିବଜଟା ଦେଇ ଗଙ୍ଗା ଆସିଣ ଧରାରେ
କପିଳ ମୁନିଙ୍କ ଶାପୁ ପିତୃଙ୍କୁ ଉଦ୍ଧାରେ।୧୩।
ଯୋଡ଼ହସ୍ତେ ରାମ କଲେ ଗଙ୍ଗେ ପ୍ରଣିପାତ
ରଘୁବୀର କୋଳେ ପାଇ ଗଙ୍ଗା ପୁଲକିତ।୧୪।
ବେନିଜନ ପଚାରନ୍ତି ଆସ ହେ କୈବର୍ତ୍ତ
ଆମ୍ଭଙ୍କୁ ଯେ ଗଙ୍ଗାପାର କର ହେ ତ୍ୱରିତ ।୧୫।
ଧୀବର ଉବାଚେ ରାମ କଥା ଅଛି ଶୁଣି
ପଦ ରଜ ସ୍ପର୍ଶେ ହୁଏ ଶିଳା ଯେ ରମଣୀ ।୧୬।
ଜଣାଅଛି ମୋତେ ରାମଙ୍କ ଗୁଣ ଗାରିମା
ହେଲେ ମର୍ମ କଥା କହିବି କର ହେ କ୍ଷମା ।୧୭।
ଅନୁଜ କୋପରେ ହୋଇ ଗଲେ ଥରହର
ସମଗ୍ର ଦେବତା ଉନ୍ମତ୍ତ ଯା’ ପଦସ୍ପର୍ଶର ।୧୮।
ଏଡ଼େ ବଡ଼ ବାକ୍ୟ କହୁ ସାମାନ୍ୟ ଧୀବର
ସୌମିତ୍ର ଉଠାନ୍ତି କୈବର୍ତ୍ତରେ କୋଦଣ୍ଡର ।୧୯।
ଏହା ଶୁଣି ରାମ ଭାଷନ୍ତି ଶୁଣ କୈବର୍ତ୍ତ
ତା’ର ପ୍ରାରବ୍ଧର କଚ୍ଛପ ରୂପ ବୃତ୍ତାନ୍ତ ।୨୦।
ସତ୍ୟ ଯୁଗେ କ୍ଷୀର ସିନ୍ଧୁ ନୀରେ ଥିଲୁ ତୁହି
ଇଚ୍ଛି ଥିଲୁ ବିଷ୍ଣୁ ଙ୍କର ପଦ ସ୍ପର୍ଶ ପାଇଁ ।୨୧।
ସେହି ଘଡ଼ି ହେଲା ଆଜି ଆସି ଉପନୀତ
ତୋ’ ମନୋବାଞ୍ଛା ପୂର୍ଣ୍ଣ କରି ଦେବି କୈବର୍ତ୍ତ ।୨୨।
କୌଶଲ୍ୟା ନନ୍ଦନ ତୁମ ଅପୂର୍ବ କୀରତି
ମୋ ଦଦରା ନାବ କାଳେ ହେବ ନାରୀ ମୂର୍ତ୍ତି।୨୩।
ଉଦର ପୋଷଣ ପାଇଁ ଏକଇ ବିଧାନ
ନାବ ନାରୀ ହେଲେ ଭେଳା ବୁଡ଼ି ଯିବ ଜାଣ।୨୪।
କୈବର୍ତ୍ତ ଭାଷଇ ଶୁଣ ଆହେ ଭାବଗ୍ରାହୀ
ପ୍ରଥମେ ପାଦ ଧୋଇବି ମୋର ସର୍ତ୍ତ ଏହି ।୨୫।
ଏକଥା ଶ୍ରବଣେ ରାମ ପୂର୍ଣ୍ଣ କଲେ ସର୍ତ୍ତ
ସେହି ଦିନୁଁ ବୋଲାଇଲା ବିଜ୍ଞାନୀ କୈବର୍ତ୍ତ।୨୬।
ସରଳ ନିରୀହ ଅଟେ କୈବର୍ତ୍ତର ମନ
ମନ୍ଦ ମନ୍ଦ ହସୁଛନ୍ତି ରାଜୀବ ଲୋଚନ ।୨୭।
ପଦ ଧୌତ କରି ନିଜ ଗାମୁଛାରେ ପୋଛି
ପଲ୍ଲବିତ ପତ୍ର ଆଣି ପାରି ଦେଲା କିଛି ।୨୮।
ଶ୍ରୀରାମଙ୍କୁ ବସାଇଲା ସ୍ୱହସ୍ତରେ ଧରି
ପାରି କରି ଦେଲା ନାବ ତିନିଙ୍କୁ ସେପାରି ।୨୯।
ଦାଶରଥି କହୁଛନ୍ତି କୈବର୍ତ୍ତ ହେ ଶୁଣ
ବର ମାଗ ତବ ଇଚ୍ଛା କରିବି ପୂରଣ ।୩୦।
ଧୀବର ବୋଲଇ ଆହେ ସଂସାର ନାଉରୀ
ଏ ଭବ ସାଗରୁ ମୋତେ କରି ଦିଅ ପାରି ।୩୧।
ବ୍ରହ୍ମା ଶିବରେ ଯେ ପଦ ନୋହିଛି ଧଉତ
ପୂଣ୍ୟ ବଳେ ଗଙ୍ଗା ଜଳେ ଧୋଇଲା କୈବର୍ତ୍ତ ।୩୨।
ଶ୍ରୀରାମ ପଦ ପଙ୍କଜେ ରହୁ ମୋର ମତି
ଜାନକୀ ପ୍ରଣମି ପ୍ରଭୁ କରୁଛି ବିନତୀ।୩୩।
ଜୟ ଶ୍ରୀରାମ
ବେଙ୍ଗାଲୁରୁ
ଘର:ଲହୁଣୀପଡ଼ା, ସୁନ୍ଦରଗଡ଼
37 total views, 1 views today