ହଁ ମୁଁ ଫେରିଛି
ସରୋଜିନୀ ବେହେରା
ମୁଁ ଫେରିଆସିଛି ଆଜି ତୁମ ପାଖକୁ
ପୁଣି ତୁମକୁ ପ୍ରେମ ନିବେଦନ ପାଇଁ ନୁହେଁ
କି ତୁମ ହୃଦୟରେ ସ୍ଥାନ ପାଇଁ ନୁହେଁ
ପ୍ରମାଣ ଦେବାକୁ ଫେରିଛି
ଦେଖ ନା ମୁଁ ବଞ୍ଚିଛି
ଜୀବନ୍ତ ଶବ ଟିଏ ହୋଇ
ଅତୀତର ଚଉଡା ଛାତିରେ ବିତେଇଥିବା
ଆଉଜା ସ୍ମୃତିକୁ ନେଇ
ତୁମେ ହିଁ ତ କହିଥିଲେ
“ତୁମେ ମୋତେ ଭୁଲିଯିବ”
କବର ଦେବାକୁ ମୋ ମନରେ ଥିବା ଚୋରା ପ୍ରେମକୁ
ଆଉ କାହା ଅଗଣାରେ ଜଳିବାକୁ
ରଡ଼ମଡ଼ ଅଙ୍ଗାରକୁ ତଣ୍ଟି ରେ ଭରି…..!!
ଦେଖ ମୁଁ ଫେରିଛି ସେଇ ରାସ୍ତାରେ
ଯେଉଁଠି ତୁମକୁ ଅପେକ୍ଷା କରୁଥିଲି
ଦିନ ରାତି ତମାମ
ତଫାତ ଏତିକି ଯେ ସେଦିନ ଥିଲା ଗୋଲାପ
ଆଉ ଏବେ ଅଛି କଣ୍ଟାର ଆଘାତରେ କେଇଟା ଚିହ୍ନ
ଦେଖେଇ ପାରୁନି ଫାଙ୍କା ହୃଦୟର ନିରାଟ ପ୍ରେମକୁ
ଦେଖାଣିଆ ହୋଇଯାଇଛି ପରା
ମୋ ଦେହରେ ବୋଳା ଆଭିଜାତ୍ୟର କଳା ରଙ୍ଗଟା…..!!
ଲେଉଟି ଚାହଁ ନା ମୁଁ ପରା ଫେରିଛି
ତୁମକୁ ନେବା ପାଇଁ ନୁହେଁ
ବାସ ତୁମ ଦୁଇ ଆଖିର ସେ ଘୃଣାର ଆଗ୍ନେୟଗିରିକୁ
ପାଖରୁ ଦେଖିବାକୁ
ତୁମ ହୃଦୟର କ୍ରୋଧର ରଢ଼ି ଶୁଣିବାକୁ
ତୁମ ହାତ ପାପୁଲିର ରେଖାଗୁଡିକରେ
ଦୁଇ ଟୋପା ଲୁହ ଢାଳିବାକୁ
ତୁମେ ରେ ତୁମେ ଚାପିହୋଇଥିବା କିଛି ପ୍ରଶ୍ନ ପାଇବାକୁ…….!!
ଆଜି ବି କଣ ମୁଁ ଫେରିଯିବି
ଏମିତି ତୁମଠୁ ପୁଣି ଥରେ ପୂର୍ବ ପରି
ଶୂନ୍ୟତା କୁ ଘୋଷାଡି ଧରି…..?
ସରୋଜିନୀ ବେହେରା ଟିକିମା