।। ତୁମକୁ ପ୍ରଣାମ ହେ ଶାସ୍ତ୍ରୀ।।
ଭାସ୍କର ରାଉତ
********************
ପିଲାଟି ବେଳରୁ ପିତାଙ୍କୁ ହରାଇ
ବଢ଼ିଲହେ ମାମୁଁ ଘରେ
ଅଭାବ କଷଣ ସହି ଅନୁକ୍ଷଣ
ଚାଲ ଜୀବନ ପଥରେ।
ନିଷ୍ଠାର ବଳରେ କର୍ତ୍ତବ୍ୟ କର୍ମରେ
ହେଳା ନକରିଣ ତିଳେ
ଭାରତୀୟ ଗଣ- ତନ୍ତ୍ର ମଙ୍ଗ ଧର
ନିଜର ଉଦ୍ୟମ ବଳେ।
ସାଂସଦ ହୋଇଲ ରେଳ ମନ୍ତ୍ରୀ ଥିଲ
ରେଳ ଦୁର୍ଘଟଣା ଘଟେ
ଅପାରଗ ଭାବି ପଦକୁ ବରଜି
ଭାବିଲ ମୁଁ ଦୋଷୀ ଅଟେ।
ନିଷ୍ଠାର ବଳରେ ପ୍ରଧାନ ମନ୍ତିରୀ
ହୋଇଥିଲ ଭାରତର
ଶାନ୍ତି ଚୁକ୍ତି ପାଇଁ ଯାଇଥିଲ ଧାଇଁ
ଋଷିଆ ତାସକେଣ୍ଡର।
କିବିଚାରି ମନେ ନଫେରିଲ ଦିନେ
ହଜିଗଲ ସେହିଠାର
ଆଜିବି ହିସାବ ମିଳୁନି ତାହାର
ଶୋଇଲ ଚିର ନିଦ୍ରାର।
ପାର୍ଥୀବ ଶରୀର ହେଲା ଛାରଖାର
ଯଶୋଦେହେ ଅମଳାନ
ଆଜିବି ଭାରତ ଘୋଷୁଅଛି ସେତ
ଜୟ ଯବାନ କିଶାନ।
ଭାରତୀୟଙ୍କର ହୃଦ କମଳରେ
ତୁମେଯେ ଅଭୁଲା ସ୍ମୃତି
ତବ ଜନ୍ମଦିନେ କରୁଛୁ ତୁମକୁ
କୋଟିପ୍ରଣାମ ହେ ଶାସ୍ତ୍ରୀ
***************************
777 total views, 1 views today