[ *ଦେହ* ]
ସେଇ ଦେହ ଚାରିପାଖେ
ନବଗ୍ରହ ସାଜି ଘୁରିବା ହିଁ ଆମ ଧାର୍ଯ୍ୟ ନିୟତି ,
କେହି କ’ଣ ମୁକୁଳିପାରେ ସେ ଅଠାଳିଆ ଦେହ ମୋହରୁ..?
ଆମେ ଜାଣୁନା କିଏ ସେ ସ୍ରଷ୍ଟା
ଯେ ଆୟୁଷ ର ସୀମିତ କ୍ଷେତ୍ରଫଳ କଂଟା ମାରି
କ୍ଷଣିକ ସୁଖ ଜଞ୍ଜିର ବାନ୍ଧିଦେଲେ ପାଦେ,
ଆମେ ଚିହ୍ନୁନା ତାଙ୍କୁ ଯେ ଅଭିଶାପ ଦେଲେ
ଦେହ ଲଂଠନ ଉତ୍ତାପେ ବିଗଳିତ ହେବ ଆଉ ଏକ କୃତଘ୍ନ ଶରୀର,
କାହାର ସେ ଦୁଃସାହସ ଯେ ହୃଦୟରେ ରଖିଗଲେ
ଜିଅନ୍ତା ଭୂତ ପାଲଟି ଘୁରିବା ଆସ୍ପର୍ଧା,ସେ କିଏ କି ଆମର..?
କିନ୍ତୁ କ୍ୟାଲେଣ୍ଡର ପୃଷ୍ଠା ପରି ତାଙ୍କ ନିର୍ଦ୍ଧାରିତ ଆମ ଦେହ ଭୋଗ
ଅପରିମିତ ଭୋକ ଜ୍ବାଳା ,
ଚିରକାଳ ଆମ ଦେହରେ ଢଙ୍କା ପାପର ଚାଦର
ଚିରକାଳ ଦେହ ସର୍ବସ୍ବ କହି ଆମେ ଭୂପତିତ
ଭୁଲିଯାଉ ସ୍ଵର୍ଗଗଂଗା ଦ୍ବାର
ରଚୁଥାଉ ନାନା ରଙ୍ଗେ କେତେ ରାସ ଲୀଳା..!
ଯଦିଓ ଆମକୁ ଭଲଭାବେ ଜଣା
ବାହୁଡ଼ା ବେଳର ସଙ୍ଗ ନୁହେଁ ଏ ଦେହମୋହ
ଦିନେ ପିନ୍ଧା ଲୁଗା ପରି ଉତାରି ଦେବାକୁ ହେବ ଏ ପ୍ରିୟତମ ଦେହ
ଦିନେ ପାଚିଲା ପତ୍ର ପରି ପଡ଼ି ପଡ଼ି ଗନ୍ଧେଇବ ମାଟି
ମାଟି ମୁଠେ ହେବ ଆହାଃ ଆପଣାର ଏ ଦେହ,
ତଥାପି ଭାରି ସୁଆଦିଆ ଏ ଦେହ ମୋହ
ଭାରି ଆପଣାର ଦେହ ପାଇଁ ଦେହରୁ ଝରୁଥିବା ଲହୁ ଲୁହ..!
ଅତଏବ ଅଗ୍ରାହ୍ୟ ନୁହେଁ ଏ ଦେହ ,
ଆମକୁ ଭଲଭାବେ ଜଣା
ଶୂନ୍ୟ ମନ୍ଦିରେ ଦିଅଁ ଫେରିବା ବେଳକୁ ଲୋଡ଼ା ହେବ ଏ ଦେହ ରଥ ,
କୂଳ ପାର ହେବାପାଇଁ ଡଙ୍ଗା ଟିଏ ଅବା ଭେଳାଟିଏ ମାତ୍ର
ଆମର ଏ ସୁସଜ୍ଜିତ ଦେହ ପଥ..!
*ଶିବ ଚରଣ ମହାପାତ୍ର*( *କେନ୍ଦୁଝର* )