ଗଜଲ୍
ସନ୍ଧ୍ୟାର ପକ୍ଷୀ ତୁମେ ଫେରିଲନି ନୀଡ଼େ, ହେଲ ବାଟବଣା
ନୀଳ ଆକାଶ ମୋହରେ ବସା ଘର କଥା ତୁମେ ଗଲ ଭୁଲି ॥
ଅଦେଖା ଅଚିହ୍ନା ବାଟୋଇଟେ ପରି ତୁମେ ଗଲ ଦିନେ ଚାଲି
ଆଉ କାହା ଆଖିର ମଧୁର ପ୍ରେମର ମୋ ଘର ଠିକଣା ଭୁଲି ॥
ପଛକୁ ଆଉ ଫେରି ଚାହିଁଲ ନାହିଁ , ଚାହିଁବାରେ କିସ ଲାଭ
ତୁମେ ସିନା ଗଲ ମେଘ ପଥଧାରେ ମୁଁ କି ପାରିଲି ସବୁ ଭୁଲି ॥
ତୁମେ ଯିବାପରେ ଦିନେ ଅବେଳରେ ଆଖିଦୁଇ ଭିଜୁଥିଲେ
ତୁମପରି ସାଥୀ ଆଉ କାହାପାଇଁ ପାରିଲିନି ତୁମକୁ ଭୁଲି ॥
ନୀରବ ମଉନ ପ୍ରୀତି କୁଞ୍ଜବନେ ଯେତେ ସ୍ବପ୍ନିଳ ଆଲିଙ୍ଗନ
ରାତି ଶେଷେ ସାଥୀ ,କହିଦେଲ “ତୁମେ ସ୍ଵପ୍ନକୁ ଯାଇଛ ଭୁଲି”॥
ରାଣ ଦେଲି ତୁମକୁ ଗୋ! ପ୍ରିୟ କୁହ ଥରେ ମାତ୍ର ସତ
ଭୁଲିବାର କଥା ଯେତେ ତୁମେ ସତେ କି ପାରିଛ ଭୁଲି ॥
ତୁମେ ସିନା ପରଦେଶୀ ଉଡ଼ିଗଲ ଯେଣେ ହେଲା ଇଚ୍ଛା
ପାନ୍ଥଶାଳାର ଭାଗ୍ୟ ନେଇ ମୁଁ କି ପାରିଲି ତୁମକୁ ଭୁଲି ॥
✍️ରଶ୍ମୀରେଖା ଦାସ, କଟକ✍️