**ଭସାମେଘ**
ମେଘାଗମେ ନୀଳନଭେ ଭସା ମେଘ ସମ
ମୋ ଜୀବନେ ଆସିଥିଲ ଆହେ ପ୍ରିୟତମ
ପୁଲକିତ କରିଥିଲ ତନୁ ମନ ମୋର
ଆଜି କିମ୍ପା ଦୂରେଇଲ ଦେବ କି ଉତ୍ତର?
ସାଗରବେଳା ରେ କେତେ ବିନିଦ୍ର ରଜନୀ
ସାଥୀ ହୋଇ କାଟିଥିଲେ ଭୁଲି କି ଗଲଣି
ଜ୍ୟୋତ୍ସ୍ନା ବିଧୌତ ରଜନୀ କେଡ଼େ ମନୋହର
ଭସାମେଘ ସାକ୍ଷୀ ଆମ ପ୍ରେମ ପ୍ରଣୟ ର।।
ସ୍ବପ୍ନ ଥିଲା ମେଘ ସମ ଦୂରେ ଭାସିଯିବା
କେଉଁ ଦୂର ଦିଗ୍ ବଳୟେ ବିଲୀନ ହୋଇବା
କଥା ନ ରଖି ଏକାକୀ ଛାଡ଼ି ଚାଲିଗଲ
ତୁମ ବିନା ଏ ଯାମିନୀ ଲାଗେ ବିଷ ତୁଲ୍ୟ।।
ସହିଦ୍ ହୋଇଲ ଦେଶ ମାତୃକା ର ପାଇଁ
ତାରା ହୋଇ ରହିଅଛ ଦୁରାକାଶେ କାହିଁ
ଚିଠି ମୁଁ ଲେଖୁଛି ଚକ୍ଷୁ ଲୁହ କାଳି ଦେଇ
ଭସା ମେଘ ହାତେ ତାହା ଦେବି ହେ ପଠାଇ।।
ମନ ସ୍ଥିର କରି ପତ୍ର ପଢ଼ିବ ମୋହର
ଦୋଷାଦୋଷ କ୍ଷମି ଦେବ ତାର ପ୍ରତ୍ୟୁତ୍ତର
ତୁମ କୁଶଳ ବାରତା ପାଇବାର ପାଇଁ
ଭସାମେଘ କୁ ଚାହିଁଛି ଚାତକିନୀ ମୁହିଁ।।
(ସନ୍ଧ୍ୟାରାଣୀ ହୋତା)
ଶିକ୍ଷୟିତ୍ରୀ, ଡାବୁଗାଁ, ନବରଙ୍ଗପୁର
Sandhyarani Hota
712 total views, 1 views today