।।ଆଶାର କୋଣାର୍କ।।
** ଜାନକୀ ମହାନ୍ତ**
ମନ ମୋର ଆଜି ଉଡ଼ି ଉଡ଼ି ଯାଏ
ଗାଇ ପ୍ରୀତିର ରାଗିଣୀ,
ହାସ୍ୟମୟୀ ଲାସ୍ୟମୟୀ ଛନ୍ଦେ ନାଚେ
ଓଢ଼ି ମୁଁ ନାଲି ଓଢ଼ଣୀ ।।
ଇନ୍ଦ୍ରଧନୁ ରଙ୍ଗେ ପ୍ରମତ୍ତ କଳାପୀ
ନୃତ୍ୟନ୍ତି ଚନ୍ଦ୍ରିକା ତୋଳି,
ପରଦେଶୀ ମେଘ ଆସିକି ତୋଳିବ
ମଧୁଶ୍ଚନ୍ଦ୍ର ପ୍ରେମ ବୋଳି ।।
ଦୂର ଦିଗନ୍ତରେ ସ୍ୱପ୍ନ ସୌଦାଗର
ଉଦିତ ମୋ’ ଅଂଶୁମାନ,
ମରୁ ପ୍ରାଙ୍ଗଣରେ ମରୁସ୍ରୋତ ଆସି
ଫୁଟାଇବ ମଧୁବନ ।।
ମନ ସାଗରରେ ପ୍ରଣୟ ତରଙ୍ଗ
ମାଡ଼ି ଆସେ କ୍ଷିପ୍ର ବେଗେ,
ମୁକ୍ତାଗର୍ଭା ସେଇ ଶାମୁକାଟି ଚାହେଁ
ହୃଦୟ ଭରା ଆବେଗେ ।।
ଆଶାର କୋଣାର୍କ ଗଢ଼ିବାକୁ ଆଜି
ହୃଦୟ ଭାରି ଉଚ୍ଛନ୍ନ,
ଶକୁନ୍ତଳା ଆଉ ଦୁଷ୍ମନ୍ତଙ୍କର ଯେ’
ହୋଇବ ଆଜି ମିଳନ ।।
ବେଙ୍ଗାଲୁରୁ, କର୍ଣ୍ଣାଟକ
ଘର: ଲହୁଣୀପଡ଼ା, ସୁନ୍ଦରଗଡ଼ ଜିଲ୍ଲା।
755 total views, 1 views today