ଫଗୁ ଅଭିର
————
ପ୍ରୀତି ସରାଗରେ ଫଗୁ ଅଭିରରେ
ଖେଳିବ କହ୍ନେଇ ହୋଲି,
ଦୋଳ ଗୋବିନ୍ଦ ସେ ଦୋଳ ବିମାନରେ
ଯିବେ ପୁରପଲ୍ଲୀ ବୁଲି ।
କାହ୍ନୁ ସାଥେ ରାଇ ପ୍ରେମ ରଙ୍ଗ ନେଇ
ରଚିବେ ବସନ୍ତ ରାସ,
ଅମୃତର ବର୍ଷା ଧରା ବକ୍ଷେ ହେବ
ପୁଣି ଏତ ମଧୁମାସ।
ପ୍ରତିଟି ପ୍ରାଣକୁ ପୁଲକିତ କରି
ବହେ ଯମୁନା ଉଜାଣି,
କାହ୍ନୁ ପଥ ଚାହିଁ ନିରବଧି ବହି
ଉର୍ମି କୂଳ ଲଙ୍ଘିଲାଣି ।
ଫୁଲ ପତରରେ ପ୍ରୀତିର ପରାଗ
ବୁଣିଛି ମଳୟ ଛୁଆଁ,
ପିଆସୀ ପ୍ରାଣରେ ଅପୂର୍ବ ଉନ୍ମାଦ
ଲଗାଏ ମନରେ ନିଆଁ।
କାକ,ପିକ,କଳକଣ୍ଠ ଉଚ୍ଚ ତାନେ
ପ୍ରକମ୍ପିତ କଲେ ରସା,
ପ୍ରାଚୀ କପାଳରେ ସିନ୍ଦୁର ଲଗାଇ
ଉପଗତ ହେଲା ଉଷା।
ନଗରେ ନଗରେ ଖୁସିର ଲହରୀ
ଆସିଛି ଦୋଳ ପରବ,
ସତ ସତ ଗୋପାଙ୍ଗନାଙ୍କ ସାଥିରେ
କାହ୍ନୁ ରଙ୍ଗ ଲଗାଇବ।
ତପସ୍ୱିନୀ ଜେନା
କୁଜଙ୍ଗ, ଜଗତସିଂହପୁର