*ଛୋଟରୁ ବଡ଼*
କାନନେ ଫୁଟି ଛୋଟ ଫୁଲଟି
ବିତରି ଯାଏ ବାସ
ଛୋଟ କୂଅଟି ଯୋଗାଏ ଜଳ-
ଲୋକେ ବରଷ ମାସ |୧|
କ୍ଷୁଦ୍ର ଏକ ପ୍ରଦୀପ ଶିଖା
ତମସା ପାରେ ଜିଣି
କ୍ଷୁଦ୍ର ବାରି ଧାରାଟେ ହୁଏ
ପ୍ରବଳ ସ୍ରୋତସ୍ବିନୀ |୨|
ପୁଲକ ଆଣେ କ୍ଷୁଦ୍ର ଗୀତି
ଲକ୍ଷ ଜନ ମନେ
ଅମିୟ ଢାଳେ ଲଳିତ ସ୍ବର
ବିଧୁର ବହୁ ପ୍ରାଣେ |୩|
କ୍ଷୁଦ୍ର ଏକ ତରଣୀ ଲଙ୍ଘେ
କ୍ଷୁବ୍ଧ ଜଳଧାରା
କ୍ଷୁଦ୍ର ନର ବୁଦ୍ଧି ବଳେ
ଜିଣିଛି ବସୁନ୍ଧରା |୪|
ସେ ହୁଏ ବନେ ବିରାଟ ତରୁ
ଯେଥିଲା ଦିନେ ସାନ
ଛୋଟ ଶିଶୁଟି ବଢ଼ି ରଖଇ
ଦେଶ ଜାତିର ମାନ |୫|
କ୍ଷୁଦ୍ର ଯାହା ନିହିତ ତହିଁ
ସମ୍ଭାବନା ବହୁ
ସାଧନା ବଳେ ଶକତି ଯୋଗେ
ବିକାଶ ଲଭେ ସେହୁ |୬|
ହେଲେ ବି ଛୋଟ ଶକତି ତା’ର
ଦିନେ ନା ଦିନେ ଫୁଟେ
ଯୁକ୍ତ ହୋଇ ବହୁର ସାଥେ
ଦିଗ୍-ବିଦିଗ ଛୁଟେ |୭|
*କବି ପରିଚୟ-*
ଡକ୍ଟର ଜାନକୀବଲ୍ଲଭ ମହାନ୍ତି (ଭରଦ୍ବାଜ) ଜଣେ ବିଶିଷ୍ଟ ଆଧୁନିକ କବି, ସମାଲୋଚକ, ଗାଳ୍ପିକ ଓ ଶିଶୁ ସାହିତ୍ୟିକ । ସେ ପିଲାମାନଙ୍କ ପାଇଁ ଅନେକ କାହାଣୀ, ଗଳ୍ପ ଓ କବିତା ଲେଖିଛନ୍ତି ।ଛୋଟରୁ ବଡ଼ କବିତାରେ ବହୁ କ୍ଷୁଦ୍ର ଜିନିଷ ମଧ୍ୟରେ କିପରି ବିରାଟତ୍ବ ଲୁଚି ରହିଛି କବି ତାହା ବର୍ଣ୍ଣନା କରିଛନ୍ତି । ସାମାଜିକ ମୂଲ୍ୟ ବୁଝି ନୂତନ ଚେତନାରେ ଆଗେଇ ଯିବାକୁ ଯୁବଗୋଷ୍ଠୀକୁ ସେ ଆହ୍ବାନ କରିଛନ୍ତି ।