#ମୃତ ଶୈଶବ
◆◆◆◆◆◆◆
ଅତୀତ ସ୍ୱପ୍ନର ଅସୁମାରୀ ବନ୍ଧ
ବର୍ତ୍ତମାନର ସୁନାମୀରେ ଭାଙ୍ଗିରୁଜି
ଧରାଶାୟୀ ହୁଏ ଭବିଷ୍ୟତ
ଏବେ ଏବେ ଅନୁଭବ ହୁଏ
ଉଚ୍ଚ ହେବାର ଆକାଂକ୍ଷା ଯେମିତି
ଜଳିପୋଡି ମୁଠାଏ ଅଙ୍ଗାର ହେବାକୁ ପ୍ରସ୍ତୁତ
ମୋ ଭୋକିଲା ପେଟର ଜ୍ୱାଳାରେ ।
ଶୈଶବର ପୁଲକତା ସହପାଠୀଙ୍କ ମିତ୍ରତା
ହଜିଗଲା ଅନାୟାସେ
ଆତ୍ମୀୟ ପରିଜନ ଅଭାବୀ
ଏଇ ବିଶାଳ ଦୁନିଆର
ସଂକୀର୍ଣ୍ଣ ଅନ୍ଧାରିଆ
କୋଣର ଅତଳ ଗର୍ଭରେ ।
ମୁଠାଏ ଦାନା ଦିଅ ବାବୁ !
ଚାଖଣ୍ଡେ ପେଟ ପାଇଁ ପରା
ଯେତେସବୁ ନାଟ
ବହି ବସ୍ତାନୀ ବଦଳରେ
ମୁଣି ଭର୍ତ୍ତି ଶ୍ରମ ଧରିଛି ଏଇ ହାତ ।
“ଅ”, “ଆ”, “ଇ” ପରିବର୍ତ୍ତେ ଶୁଣିଛି
ମେଞ୍ଚା ମେଞ୍ଚା ତିରସ୍କାର ଭତ୍ସନା,
ଏଠି ତ’ ତେଲିଆ ମୁଣ୍ଡରେ ତେଲ
ଦାମୀଦାମୀ ନାମଜାଦା
ମାଗଣାରେ କିବା ଦେବେ ସାନ୍ତ୍ୱନା ?
ବିନା ଛାତର ଟିକି ମୁଣ୍ଡଟି
କେବେ ରାତିରେ ଅହରହ ବର୍ଷା
ପାହାର ଖାଏ
କେବେ ପୁଣି ସେହି ଟିକି ମୁଣ୍ଡଟି
ଖରାର କୋପରେ ଜଳିପୋଡି ଯାଉଥାଏ ।
ମନେନାହିଁ କେବେ ଶେଷଥର
ପେଟପୁରା ଓଳିଏ ଖାଇଥିଲି
ପିନ୍ଧିଥିବା ଚିରା ଜାମାର ବିକଳ୍ପ
ଖଣ୍ଡେ ନୂଆ ଜାମା ପିନ୍ଧିଥିଲି ।
ଦେଖ ବାବୁ ମାନେ ଦେଖ…
ଶିଶୁରୁ କେମିତି ପାଲଟିଯାଇଛି
ଆଜି ମୁଁ ଶିଶୁ ଶ୍ରମିକ
ଜୀବନ୍ତ ସହରେ ଜୀଅନ୍ତା ଦଗ୍ଧିଭୁତ
ଏକ ମୃତ ।
ସୁକୋମଳ ଦରଫୁଟା ଫୁଲଟି
ଆଜି ରୁଗ୍ଣ ଦୁଃସ୍ଥ
ଶୁଖିଲା ଓଠରେ ଗହୀରିଆ ଦାଗ ଅନେକ
ପେଟ ପିଠିକି ଲାଗି ପାଣ୍ଡୁର ମୁହଁ
କଳା ଆଖି ତଳ
ପାରିବ ଯଦି ଦେଖିଯାଅ
ମୋ ଶୈଶବର କଙ୍କାଳ ।
★★★★★★
©ଦୀପିକା ଦାଶ