*ତୁମେ ମୋର ବନ୍ଧୁ ତୁମେ ମୋର ସଖା*
ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା
ଅଖିଳ ସଂସାର ଅନୁଭବ ଆଶା
ସଂଜୀବନୀ ମନ ପ୍ରାଣ
ନିୟତି ନିଷ୍ପତ୍ତି ସୃଷ୍ଟି ପରାକ୍ରମ
ନରଧର୍ମ ପରାୟଣ ।
ଅଳସୁଆ ମନ ମସ୍ତିଷ୍କ ଧାରଣା
ତୁମେ ହିଁ ତ କର୍ମଶାଳା
ସୈତାନମନର ଲୀଳାଖେଳା ଅଂଶ
ଆଚମ୍ବିତ ବିଧି ବେଳା।
ଧୈର୍ଯ୍ୟର ମେରୁର ସୁଧୀର ସ୍ୱଭାବ
ବୁଣିଥିବା ଫଳପ୍ରାପ୍ତି
ମୃତ୍ୟୁ ନଦୀ ତୀର ମନର ଆତୁର
ବୁଝାମଣା ସୃଷ୍ଟି ସ୍ଥିତି।
ପ୍ରଶ୍ନିଳ ମନର ପରିପୂର୍ଣ୍ଣତାର
ପ୍ରତ୍ୟୁତ୍ତର ଭାବଧାରା
ସ୍ୱପ୍ନିଳ ଚକ୍ଷୁର ସଂଯୋଜନା ସ୍ୱପ୍ନ
ଆଗାମୀର ଆଶ୍ରା ପରା।
ବିପନ୍ନ ବେଳାର ବ୍ୟଥିତ ବେଭାର
ଅବାଞ୍ଛିତ ଛିଦ୍ର ତୁମେ
ଅଭିବାଦନର ଆୟୁର ଆଧାର
ଯଶସ୍ୱୀ ମନସ୍ୱୀ କ୍ରମେ।
ଲୁହର ଠିକଣା ହସର ପାଉଣା
ସୃଜନୀର ସମ୍ଭାବନା
ଅଳ୍ପ ଅତିରିକ୍ତ ଉପସ୍ଥାପନାର
ମନମୁଖୀ ବିଡମ୍ବନା ।
କାର୍ଯ୍ୟ କାରଣର କର୍ତ୍ତା କ୍ରିୟା ତୁମେ
କାଳବେଳା ଭାବବୋଧ
ସଂପର୍କ ସଂଲଗ୍ନ ସୁଯଶପ୍ରୟାସୀ
ଜୀବନର ମୂଲ୍ୟବୋଧ।
ଜନ୍ମ ଓ ମୃତ୍ୟୁର ପାପ ପୁଣ୍ୟ ଭାର
ସ୍ପନ୍ଦନ ସ୍ପନ୍ଦିତ ତିଥି
ବିଷ -ପୀୟୂଷର ବିବିଧ ଭୂଷଣ
ନୃତ୍ୟବିଚକ୍ଷଣା ନୀତି।
ଅତୀତର ସ୍ମୃତି ଅଦ୍ୟ ଅନୁଭୂତି
ଭବିଷ୍ୟର ଭବ୍ୟ ପ୍ରୀତି
ତୁମେ ମୋର ବନ୍ଧୁ ତୁମେ ମୋର ସଖା
ତୁମେ ମୋ ଜୀବନ ଗୀତି।
ରାକମା ଭାପୁର ନୟାଗଡ଼