ଏକତା ହିଁ ବଳ
ଏକତା ହିଁ ବଳ ବାନ୍ଧିବାକୁ ଥଳ
ଯୋଗାଏ ସାହସ ଶକ୍ତି
ବିଶ୍ବାସ ରଜ୍ଜୁରେ ଅସୀମ ଧୈର୍ଯ୍ୟରେ
ଭରି ଉତ୍ସାହ ଜାଗୃତି
ଅସାଧ୍ୟକୁ ସାଧନ
ସେଥିପାଇଁ ପରା ସର୍ବେ ହୋଇ ତୋରା
ସମାଜ ହିତରେ ଧ୍ୟାନ
ଶୁଭ ଫଳ ଲାଭ ନିତିଦିନ ।
ଅରି ଦର୍ପ ଚୂନା ଜାଗେ ସଦ୍ଭାବନା
ତୋଳିଲେ ଏକତା ମନ୍ତ୍ର
ଦିବ୍ୟ ସ୍ପନ୍ଦନ ପୁଲକରେ ମନ
ଗାଇ ଶାନ୍ତିର ସ୍ତୋତ୍ର
ପାବନରେ ପ୍ଳାବିତ
ମଙ୍ଗଳ ନିନାଦେ ଜୀବନ ଆହ୍ଲାଦେ
ପ୍ରେମ ଶ୍ରଦ୍ଧା କୋଳାଗ୍ରତ
ଥାଏ ଚେତନା ସଦା ଜାଗ୍ରତ ।
ଚିନ୍ତା ଶୋକ ଦୁଃଖ ନଦେଖାଇ ମୁଖ
ରହଇ ବହୁତ ଦୂରେ
ଜାତୀୟ ସଂହତି ସଂସ୍କାର ସଂସ୍କୃତି
ଆବଦ୍ଧ ଐକ୍ୟ ଭାବରେ
ଭିଡ଼ି ଭ୍ରାତୃତ୍ବ ଡୋର
ଅତୁଟ ବନ୍ଧନେ ପ୍ରେମ ଆଲିଙ୍ଗନେ
ଭିଜାଇ ସର୍ବ ଅନ୍ତର
ଆହ୍ବାନ ଅନୁରାଗର ସ୍ବର ।
ଏକତ୍ବ ବନ୍ଧନ ଯେବେ ହୁଏ ଛିନ୍ନ
ଉଠଇ ଧ୍ବନି ବିଭିନ୍ନ
ଈର୍ଷା ଅସୂୟାରେ ଅଜ୍ଞାନ ତିମିରେ
ଆପେଆପେ ସର୍ବେ କ୍ଷୀଣ
ବାହ୍ୟ ଶତ୍ରୁ ପ୍ରବେଶି
ଲୁଟଇ ସମ୍ପଦ ଭରଇ ବିଷାଦ
ବାହୁନଇ ମନହଂସୀ
ପାରେନି କେ ହୃଦୟ ଆଶ୍ବାସି ।
ବିନୋଦିନୀ ଦାଶ
କୁରୁଆଁ, ମୁଗପାଳ, ଯାଜପୁର