ଏ ବ୍ୟବଧାନ …..!!!
କେଉଁ ମାପକରେ ମାପିବି
ଜନ୍ମରୁ ତମାମ ଜୀବନକୁ
ପ୍ରଶ୍ୱାସରୁ ନିଃଶ୍ୱାସକୁ
ପ୍ରୀତିରୁ ପ୍ରତାରଣାକୁ
ବନ୍ଧନରୁ ବିଚ୍ଛେଦକୁ
ଅପେକ୍ଷାରୁ ଉପେକ୍ଷାକୁ
ବିଶ୍ୱାସରୁ ବିବଶତାକୁ
ଆତ୍ମୀୟତାରୁ ଅଜଣା ଅଚିହ୍ନାକୁ
ଗହଳିରୁ ଗଭୀର ଏକ୍ଲାପଣକୁ
କେମିତି ମାପିବି ମୁଁ
ପ୍ରଲମ୍ବିତ ଏଇ ବ୍ୟବଧାନକୁ……
ସମ୍ପର୍କ ରୁ ସ୍ମୃତି
ଆଉ ସେଇ ସ୍ମୃତିର ହୋମରେ
ନିଜକୁ ଆହୂତି ଦେବାପରେ
ବ୍ୟବଧାନର ମାପ ଖୁବ୍ ଜଟିଳ
କାହିଁକି ନା
ଦହନର ତାତିଠାରୁ
ଲୁହର ତାତି
ବହୁତ ଅଧିକ…..!
ଅପ୍ରକାଶ୍ୟ ଅନୁଭବ ହିଁ ଏଠି
ନିର୍ଣ୍ଣିତ ସାରାଂଶ ।
କ୍ୟାଲେଣ୍ଡରର ତାରିଖ ସହ
ବଦଳୁଥିବା ଋତୁ ଆଉ ମାସ
ଚେହେରାର ତାରତମ୍ୟ
କେଇ ଇଞ୍ଚ ଛାତି ତଳେ
ଗଢିଉଠୁଥିବା ବେଦନାର ପାହାଡ
ଅବସୋସର ଉପନିବେଶ
ଖୁବ୍ ଆଶ୍ଚର୍ଯ୍ୟମୟ…….!
ଏଇ ବ୍ୟବଧାନର ପରିମାପ….. ।
ଓଃ….. ଏ ବ୍ୟବଧାନ ଶବ୍ଦଟା
ସୃଷ୍ଟିକରୁଛି ଅନେକ ପ୍ରଶ୍ନବାଚୀ
ନିଜ ଭିତରେ
ଅନ୍ୟମାନଙ୍କ ପାଇଁ କମ୍
ନିଜ ପାଇଁ ବେଶି……..!!
ପ୍ରୀତିପଦ୍ମା ଦାସ
ଭଦ୍ରକ
290 total views, 1 views today
i like this amazing article