ଈଶ୍ବରଙ୍କୁ ଚିଠି
ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା
ବିନ୍ଦୁ ବିନ୍ଦୁ ମିଶି ସିନ୍ଧୁ ସୃଜିପାର
ସେ ସିନ୍ଧୁ ସିନା ଆନନ୍ଦ
ପ୍ରତି ଆନନ୍ଦର ସମଷ୍ଟିକୁ ନେଇ
ହସୁଛ ପରମାନନ୍ଦ ।
ସାରା ସର୍ଜନାର ସୁରଭି ସୃଷ୍ଟିରେ
ତୁମରି ମମତା ଝରେ
ଚାହେଁ କୃପା ଧୂଳି ଆଶିଷ ଅଞ୍ଜଳି
ବିଛୁରିତ ତୂଳୀକାରେ।
ସୂର୍ଯ୍ୟ ଚନ୍ଦ୍ର ତାରା ଶ୍ୟାମଳିମା ଧରା
ରଚିଅଛ ପ୍ରଭୁ ତୁମେ
ପ୍ରତି ନୟନରେ ଜ୍ୟୋତି ରୂପେ ସ୍ଥିତି
କର୍ତ୍ତା କ୍ରିୟା କାଳକ୍ରମେ ।
ଶତପଦ ହସ୍ତ ସହସ୍ର ଶରୀରେ
ଶୂନ୍ୟଦେହୀ ବୋଲାଉଛ
ନିୟତି ନିଷ୍ପତ୍ତି ଅଦୃଷ୍ଟର ରୀତି
ସତ୍ୟ ଶିବ ସାଜିଅଛ।
ସତ୍ୟେ ମହୀ ପାଳି ଅଶିବ ସଂହାରି
ସୌନ୍ଦର୍ଯ୍ୟମୟ ଦୁନିଆ
ଯାହା ସବୁକିଛି ସବୁ ତ ତୁମର
ମୋର ହିଁ ମାୟା କିମିୟା ।
ଇଛାର ଇଲାକା ତବ ତୂଳୀ ସ୍ପର୍ଶେ
ଜ୍ଞାନଜ୍ଞେୟ ଇନ୍ଦ୍ରିୟର
ଜ୍ଞାତା ଜ୍ଞାନଜ୍ଞେୟ ଧାତା ଧ୍ୟାନ ଧ୍ୟେୟ
ଆଦିଅନ୍ତ ସୂତ୍ରଧର ।
ସବୁରି ହୃଦୟ ଆସନରେ ତୁମ
ଉପସ୍ଥିତି ଭଗବାନ
ଅନେକରେ ଏକ ହେ ସର୍ବବ୍ୟାପକ
ରୂପେ ସିନା ଭିନ୍ନା ଭିନ୍ନ ।
ଝରିଯାଏ କେତେ ନୟନରୁ ଅଶ୍ରୁ
ଗମ୍ଭୀର ହୃଦୟ ସ୍ୱର
ମରିଯାଏ କେତେ ଆଶା ଅସୁମାରି
ଜଳେ ସ୍ୱପ୍ନ ଜଉଘର।
ହେ ବିଶ୍ୱନିୟନ୍ତା ଜଗତର ସ୍ଥିତି
ସ୍ୱାଭାବିକ ଦିଅ କରି
ଇଛାରୂପୀ ଚିଠି ପଠାଏ ଈଶ୍ବର
ଆତ୍ମା ଲଫାପାରେ ଭରି।
ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା