ଶୁଭ କାମନା
– ଜାନକୀ ମହାନ୍ତ
******************************
ପ୍ରଚ୍ଛଦପଟ୍ଟ ର ନାୟକ ମୋହର
କବିତା’ ଅଭିନାୟକ,
ହାତ ପାପୁଲିର ଭାଗ୍ୟରେଖା ମୋର
ହୃଦସଙ୍ଗୀତ ଗାୟକ ।।
ଯିଏ ଆଙ୍କି ଦେଲେ ନିହାଣ ମୁନରେ
କୋଣାର୍କର ଚିତ୍ରପଟ୍ଟ,
କଇଁରୁ କଦମ୍ବ ଯାଏଁ ଯିଏ ମୋ’ର
ପ୍ରେରଣାର ଶ୍ରେଷ୍ଠ ଉତ୍ସ ।।
ସାତ ଜନ୍ମ ପାଇଁ ତନୁ ମନ ଆତ୍ମା
ଯାହା ଲାଗି ସମର୍ପିତ,
ପ୍ରତିଦିନ ଲେଖେ ଯା’ ଲାଗି କବିତା
ଯିଏ ସ୍ପନ୍ଦନେ ସ୍ପନ୍ଦିତ ।।
ଏଇ ମନ ବନ୍ଧା ପଡ଼ିଛି ଯା’ପାଖେ
ହୃଦୟ ସମ୍ରାଟ ମୋର,
ନୟନ ଯାହାର ପ୍ରୀତି ମଧୁଶାଳା
ସେହି ମୋର ଅଭିସାର ।।
ଅନନ୍ତ ଯୁଗର ଅନନ୍ୟ ନାୟକ
କଳ୍ପ ବାଞ୍ଛାନିଧି ମୋର,
ନ ଆସୁ କେବେବି ଜୀବନରେ ବିଘ୍ନ
ସମର୍ପିଲି ଶ୍ରୀପୟର ।।
ତୁମ ଜନ୍ମ ଦିନେ ଶୁଭ ମନାସୁଛି
ଶୁଣ ମୋ’ ଜୀବନ ସାଥି,
ସ୍ୱାସ୍ଥ୍ୟବାନ ରୁହ ଦୀର୍ଘାୟୁ ହୁଅ
ପ୍ରଭୁ’ ଠାରେ ମୋ’ ବିନତୀ ।।
ଜାନକୀ ମହାନ୍ତ