#ପ୍ରୀତିଭାଷା
ସ୍ମୃତି ଡାଇରୀରେ ସାଇତି ରଖିବି
ତୁମର ସେ ଅଭୁଲା ପ୍ରତିଛବିକୁ
ଆଲବମ କରି ।।
ଜୀବନ ମୃତ୍ୟୁର ମଝି ଅଗଣାରେ
ଭଅଁର ସମ ମନମାରି
ତୁମକୁ ଏଇତ ବିଦାୟ ଦେଇ ଆସିଲି ।।
ତୁମକୁ ନୀତି ସ୍ବପ୍ନରେ ଭୋଗିବାକୁ
ଏତେ ସ୍ବପ୍ନ କାହିଁ ଅବା ରାତି କାହିଁ ?
ତୁମ ପ୍ରୀତିର କାଉଁରୀ ଛୁଆଁରେ
ସୁରୁଜଙ୍କ ନାଲି ଆଖିଟା
ପୁଷ୍ପ ପାଖୁଡା ସମ ନରମି ଯାଏ,
ଛାତିର ପଞ୍ଜରା ତଳୁ ଦୂରେଇ ଯାଆନ୍ତି
ସବୁ ଦୁଃଖ ଓ ଯାତନା ଅଳ୍ପକ୍ଷଣ ପାଇଁ ।।
ଏତେ ସ୍ନେହ ପ୍ରେମରେ କିଆଁ ବାନ୍ଧୁଛ ?
କିଆଁ ଏତେ ଆତ୍ମୀୟତାର ଫସଲ ଛାଡି ଯାଉଛ
ସମ୍ପର୍କର ଭିଟାମାଟିରେ ?
ତୁମେ କ’ଣ ଜାଣିନ ମୋର ପ୍ରତ୍ୟେକ ପଥ ମରୁଭୂମି
ଆଉ ପ୍ରତି ପଥରେ କାକଟସ ଭର୍ତ୍ତି ?
ତୁମେ କ’ଣ ଜାଣିନ ବୟସ ମୋ ଝୁଣ୍ଟିଲାଣି,
ଦେହ ଗଛରୁ ଆୟୁଷର ପତ୍ରଝଡା ଦେଲାଣି ?
କାହିଁକି ତୁମେ ଏତେ ଅବୁଝା ହୁଅ ?
କାହାର କ୍ଷୋଭ, ତାଡନା ଅବା ଭାବାନ୍ତରକୁ
ମାୟାର ସମ୍ଭ୍ରମ ଆକର୍ଷଣରେ ନିଜ ମନର କଳିକାକୁ କବର ଦେଇ
ମୋର ସବୁ ଦୁଃଖ, ରୋଗ, ଶୋକ ଆଉ ଯାତନା କୁ
ସଦର୍ପରେ ଅଙ୍ଗୀକାର କରିନିଅ
ସାଉଁଳେଇ ସାକୁଲେଇ…..?
ଥରେ ଭାବିଦେଖ ତୁମର ଏହି ପ୍ରୀତି ଅର୍ଘ୍ୟର
ଆବାହନି ମୋ ପାଇଁ ବ୍ୟର୍ଥ ଯିବନି ତ ?
ହେ ମଧୁକ୍ଷରା ! ତୁମେ ଫେରିଯାଅ ତୁମ ପଥେ
ମୁଁ ଯୋଗ୍ୟ ନୁହେଁ ପଢିବାକୁ ତୁମ ପ୍ରୀତିଭାଷା…….
*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା ଏବଂ ମୁଖ୍ୟ ସଚିବ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*
*ଅଡା, ବାଲେଶ୍ଵର*
556 total views, 1 views today