ଦୟାର ସାଗର
ହେ ବିଶ୍ଵମୋହନ ଜୟ ଗୋବିନ୍ଦ ଗୋପାଳ
ଦୟାର ସାଗର ପ୍ରଭୁ ଭକତ ବତ୍ସଳ
ବୁଦ୍ଧି ଜ୍ଞାନ କର ଦାନ
ଅଧମ ସନ୍ତାନ କରେ ନିତ୍ୟ ନିବେଦନ।
ସର୍ଜନା କରିଛ ସୁନ୍ଦର ସବୁଜ ଧରା
କୁଳୁ କୁଳୁ ମିଠା ଗୀତ ଗାଇ ମଧୁଝରା
ଝରଣା ନଦୀ ଯେ ଧାଏଁ
ଜଳ ଦାନ କରି ପ୍ରାଣୀ ଜନ ମନ ମୋହେ।
ଫୁଲ ଫଳେ ହସେ ଶ୍ୟାମଳ ଭରା ବନାନୀ
ବିହଙ୍ଗମର ମଧୁର କୁଜନ ରାଗିଣୀ
ନିତ୍ୟ ସୁନ୍ଦର ଏ ଧରା
ପ୍ରଭାତ ଆଣଇ ରଙ୍ଗୀନ ରୋଷଣୀ ଧାରା।
ଆକାଶେ ଖଞ୍ଚିଛ ଶୁଭ୍ର ଚାନ୍ଦର ଚାନ୍ଦିନୀ
ହୀରକ ପରାୟେ ତାରା ଝଲମଲ ପୁଣି
ସଦା ନଭ ମନଲୋଭା
କଳାମେଘୀ ଶାଢ଼ୀ ପିନ୍ଧି ରାତ୍ରି ରାଣୀ ଉଭା।
ଧରାକୁ କରଇ ଚଞ୍ଚଳ ପ୍ରାଣୀ ଆତଯାତ
ଶୋଭା ଦିଏ ବିଭିଧ ତା’ ଦାନ ଅଯାଚିତ
ଅସୀମ କରୁଣା ଦାନ
କୃପା କରୁଥାଅ ସଦା ମୁଢ଼ ମୁଁ ଅଜ୍ଞାନ।
ଅସୀମ ଦାନର ପ୍ରଭୁ କରୁଣା ସାଗର
ତୁମ କୃପା କରୁଣା ସଦା ପୂର୍ଣ୍ଣ ଭଣ୍ଡାର
ଦୟାମୟ କୃପା ସିନ୍ଧୁ
କରୁଣା ରାଶିରୁ ନିବେଦନ ମାତ୍ର ବିନ୍ଦୁ।
ଡଃ ପ୍ରିୟମ୍ବଦା ସାମଲ
ଭୁବନେଶ୍ୱର।
135 total views, 1 views today