ମୁଁ ଶେଫାଳି
ପ୍ରିୟଦର୍ଶିନୀ ମିଶ୍ର
************************
ଶୁଭ୍ର ଶେଫାଳି ମୁଁ ହସ-ଖୁସି ମୋର
ଭୂମିରେ ରଜନୀ କାଳେ,
ଅଳପ ଆୟୁଷ ଯାମିନୀ ଯାଏଁ ମୋ
ପ୍ରଭାତେ ପ୍ରାଣ ଝାଉଁଳେ l(୧)
ସୂରୁଯମୁଖୀକୁ ସୂରୁଯ ଯେମିତି
ମୟଙ୍କ ମୋ ମନମୀତ,
ସୁମନ-ଷଟପଦ ସହଚର ପରି
ମୋର ତ ସାଥି ଖଦ୍ୟୋତ l(୨)
ବିଭାବରୀ ବେଳେ ହସି ହସି ଖେଳେ
ପ୍ରତ୍ୟୁଷରେ ପ୍ରାଣ ମୋର,
ହଜି ଯାଇଥାଏ ଅସ୍ଥାୟୀ ଅସ୍ତିତ୍ଵ
କ୍ଷଣିକ ଆୟୁ ମୋହର l(୩)
ଜାଣିଛି ମୋହର କ୍ଷଣ-ପ୍ରାଣ ବୋଲି
ମନେ ମୋ ନାହିଁ ବିଷାଦ,
ବନେ-ଉପବନେ ନିଶାରାଣୀ ସାଜି
କରେ ନାହିଁ କେବେ ଖେଦ l(୪)
କେଇ ମାସ ନିତି ନିଶିକାଳେ ହସି
ହୃଦୟେ ଭରି ହରଷ,
ମନର ବିଷାଦ ଯେତେ ନିଏ ବୋହି
ଢାଳି ମୋ ବାସ-ସୁବାସ l(୫)
ମହକାଇ ଯିବି କୋଣ-ଅନୁକୋଣ
ଯେତେ କାଳ ଥିବ ପ୍ରାଣ,
ଆହ୍ଲାଦିତ କରି ଅନ୍ତର ନରର
ଛାଡି଼ ଯିବି ଏ ଭୁବନ ।(୬)
ପ୍ରିୟଦର୍ଶିନୀ ମିଶ୍ର