ମାଆ
ବନଲତା ଜାଲି
*****************************
ମା’ସ୍ନେହ ଚିରସ୍ରୋତା ଧାର
ଝରୁଥାଏ ନିରନ୍ତର
ମା’ପରା ଜୀବନ୍ତ ମୂରତୀ
ସର୍ବଂସହା ସେ ଧରିତ୍ରୀ
ରାଗି ବାନ୍ଧେ ଲୁଚି କାନ୍ଦେ
ମିଛେ ନିନ୍ଦେ କୋଳେ ଛନ୍ଦେ
ଶୂଭ ମନାସିଣ ନିତି ।।
କାନି ତା’ଶାନ୍ତିର ପସରା
ଝାଡିଦିଏ ଦୁଃଖ ପରା
ଜାଣଇ ଅନ୍ତର ବେଦନା
ବୁଝେ ଛୁଆ ମନ ସିନା
ଲୁହ ପିଏ ଲହୁ ଦିଏ
ରୁଷି ଯାଏ ହସୁଥାଏ
ସେ ଅଟେ କପଟହୀନା ।।
ତା’କଥା ମହୁଠୁ ମଧୁର
ତା’କୋଳ ସରଗପୁର
ଦୁଃଖବେଳେ ଆତୁରେ କାନ୍ଦେ
ସୁଖରେ ଥାଏ ଆନନ୍ଦେ
ଦିଏ ଗାଳି ରଖେ ଅଳି
ଝାଡି ଧୂଳି ନିଏ ତୋଳି
ମନ ଜାଣି ଖାଦ୍ଯ ରାନ୍ଧେ ।।
ତା’କାନି ପଣତ ଅଭୟ
ପରମ ତୃପ୍ତିର ଆଶ୍ରୟ
ସହେନା ଛୁଆର ବେଦନା
ଡାକ ମଧୁର ମୂର୍ଚ୍ଛନା
ଦିଏ ମାଡ ସହେ ଝଡ
କରି ଆଡହୁଏ ବାଡ
ସେ ଜୀବନ୍ତ ଦେବୀର ପ୍ରତିମା ।।
ସେ ଏକ ଅଦ୍ଭୁତ ଚରିତ୍ର
ତା’ମନ ଅଟେ ବିଚିତ୍ର
ତା’କରୁଣା ଅମୃତର ସ୍ରୋତ
ସେବନରେ ଆତ୍ମା ତୃପ୍ତ
ଦୁଃଖ ସହି ସୁଖ ଦେଇ
ଭୋକେ ରହି ଦିଏ ଖୋଇ
ତା’ସ୍ପର୍ଶେ ଦୁଃଖ ପ୍ରଶମିତ ।।
ବନଲତା ଜାଲି