ଯାଆରେ ଭାସି ଯାଆ
-ଜାନକୀ ମହାନ୍ତ
——————————————————-
ଯା’ରେ ଭାସି ଯା’ ମୋ କାଗଜ ଡ଼ଙ୍ଗା ଯା’
ଭାସି ଭାସି ତୁହି ଯାଆ,
ସାତୋଟି ସମୁଦ୍ର ତେର ନଈ ପାରି
ହୋଇ ତୁହି ଭାସି ଯାଆ ।।
ମୋର ପ୍ରିୟ ସାଥି ପାଖେ ଯିବୁ ତୁହି
କହିବୁ ଧୀରେ ତା’କାନେ,
ମୋ ନାଲି ଗୋଲାପ ଚିଠି ସାଙ୍ଗେ ଦେବୁ
କହି, ମୁଁ ପଡ଼ୁନି ମନେ?
ପ୍ରେମ ଆଲିଙ୍ଗନ ପ୍ରୀତିର ଚୁମ୍ବନ
ମୋର ଦେବୁ ସରାଗରେ,
ତା’ର ଦେଇ ଥିବା ସ୍ନେହ ଉପହାର
ସାଇତିଛି ମୁଁ ଯତ୍ନରେ ।।
ଆଜି କାଲି କିଆଁ ଲୁଚକାଳି ଖେଳେ
ତା’କୁ ପଚାରି ବୁଝିବୁ,
ଗୋପପୁର ଯାଇ ଭୁଲିଲା ରାଧାକୁ
କାହ୍ନା’କୁ ତୁ ପଚାରିବୁ ।।
ପୁଣି ହସିଦେଇ ବିଦାୟ ମାଗିକି
ମୋ ପାଖେ ଆସିବୁ ଫେରି,
ଦେଇ ଥିବା ବାର୍ତ୍ତା ସାଥିରେ ଆଣିବୁ
ପ୍ରତୀକ୍ଷା କରେ ତୋହରି ।।
ଯାଆରେ ଭାସି ଯାଆ….
ଜାନକୀ ମହାନ୍ତ