**ମାଆ ମହାଗୌରୀ**
(ନବଦୁର୍ଗାଙ୍କର ଅଷ୍ଟମ ରୂପ)
।।ଜାନକୀ ମହାନ୍ତ।।
ଆଶ୍ୱିନ ମାସର ଶୁକ୍ଳାଷ୍ଟମୀ ଦିନ
ଆସ ତୁମେ ମହାଗୌରୀ,
ବୃଷଭ ବାହିନୀ ଦର୍ପ ବିନାଶିନୀ
ମାଆ ଶୁଭ୍ରବର୍ଣ୍ଣା ଗୌରୀ ।।
ମୃଣ୍ମୟୀ ତେଜସ୍ଵୀ ଦେବୀ ଶୁଭଙ୍କରୀ
ଶୁକ୍ଳବସ୍ତ୍ରା ମାହେଶ୍ୱରୀ,
ସ୍ୱାସ୍ଥ୍ୟ ଧନଧାନ୍ୟ ସମୃଦ୍ଧି ପ୍ରଦାନ
କରୁ ମା’ଭୁବନେଶ୍ୱରୀ ।।
ଅନ୍ତର ସ୍ବଚ୍ଛତା ମନ ପବିତ୍ରତା
ପ୍ରତୀକ କରୁଣାମୟୀ,
ବୃଷଭ ବାହିନୀ ଜ୍ଞାନ ପ୍ରଦାୟିନୀ
ଜନନୀ ପ୍ରଶାନ୍ତମୟୀ ।।
ତୁହି କାଳରାତ୍ରୀ ଦୈତ୍ୟ ନାଶ ଲାଗି
ଘେନି ଥିଲୁ କୃଷ୍ଣବର୍ଣ୍ଣ,
ତୋ ଦେହରେ ମାତ ଗଙ୍ଗା ପ୍ରବାହିତ
ହେଲୁ ମୋତି ଶ୍ୱେତବର୍ଣ୍ଣ ।।
ସୌମ୍ୟ ଶାନ୍ତ ଆଭା ରବି ସମ ପ୍ରଭା
ଲଭିଲୁ ନବଯୌବନୀ,
ଦୃଢ଼ ତପସ୍ୟାରେ ତୋଷି ଆଶୁତୋଷେ
ହେଲୁ ଶିବ ଅର୍ଦ୍ଧାଙ୍ଗିନୀ ।।
ମାତା ଚତୁର୍ଭୁଜା ମମତା ସ୍ୱରୂପା
ଶଙ୍କରୀ ପରମେଶ୍ବରୀ,
ତ୍ରିଶୂଳ ଡମ୍ବରୁ ଦୁଇ ହାତେ ଧରୁ
ଭକ୍ତଙ୍କ ସୁରକ୍ଷାକାରୀ।।
ଅଭୟ ମୁଦ୍ରାରେ ଆଶୀର୍ବାଦ ଢାଳେ
ଭକ୍ତେ, ଅଭୟ ଦାୟିନୀ,
ରାହୁ କଷ୍ଟ ଦୂର ମହାମାରୀ ନାଶ
କର ତ୍ରିପୁରା ବାସିନୀ ।।
ଜାନକୀ ମହାନ୍ତ
157 total views, 1 views today