ଦିନ ସରେ କାନ୍ଦୁ କାନ୍ଦୁ
ସମ୍ପଦ ଆଗରେ ମାନବିକତାର
ପଡ଼ି ଯାଏ ଆଜି ବନ୍ଧା,
ସେନେହ, ସରାଗ,ସେବା,ସମ୍ମାନ
ହୁଏ କିଣା ବିକା ଧନ୍ଦା।
ସଭିଏଁ ଏଇଠି ଅର୍ଥର ଗୋଲାମ
ଅର୍ଥ ବିନା ସର୍ବ ଶୂନ୍ୟ,
ମାନବ ଭୁଲଇ ମାନବିକ ଧର୍ମ
ଯା’ଲାଗିହୁଏ ସେଧନ୍ୟ,
ସଂସାରର କର୍ମ ମାନବିକ ଧର୍ମ
ସମ୍ପଦେ ହୁଅଇ ଛନ୍ଦା,
ସମ୍ପଦ ଆଗରେ ମାନବିକତାର
ପଡ଼ି ଯାଏ ଆଜି ବନ୍ଧା।
ଅର୍ଥ ଆକର୍ଷଣ ମାନବିକ ଗୁଣ
ମଣିଷଠୁ ନିଏ ଶୋଷି,
ମଣିଷର ପଣ ହୁଏ ଅକାରଣ
ଅପାତ୍ରେ ହୁଏ ଆକର୍ଷି।
ହଜି ଗଲେ ଧନ ହରାଏ ସମ୍ମାନ
ମଣିଷ ଆଜିର ଦିନେ,
ପୂରୁବ ଗୌରବ ପୂରୁବ ମହିମା
ରହେ ନାହିଁ ପର କ୍ଷଣେ,
ସମ୍ପତ୍ତିର ଭ୍ରମ କରଇ ଗୋଲାମ
ପରିଜନ କରେ ନିନ୍ଦା,
ସେନେହ, ସରାଗ, ସେବା,ସମ୍ମାନ
ହୁଏ କିଣା ବିକା ଧନ୍ଦା।
ଗାରିମାରେ ଜ୍ଞାନ ରତ୍ନାକର ସମ
ଧନ ସାଗରର ବିନ୍ଦୁ,
ଜ୍ଞାନ ତେଜି ଧନ ପଶ୍ଚାତ ଧାବନ
ଦିନ ସରେ କାନ୍ଦୁ କାନ୍ଦୁ।
***********************
ସୀମାଞ୍ଚଳ ପଣ୍ଡା
ଶିକ୍ଷକ,ଡେଙ୍ଗାଡି,ଗଞ୍ଜାମ,
୯୫୮୩୪୩୮୧୭୪।