ଡିବିରି
_________
“କୁନାବୋଉ ! ଆରେ ଏ କୁନାବୋଉ, ପାଇଲ ନା ନାହିଁ ବା ?” “ଆହେ, ଖୋଜୁଛି ପରା, ଟିକେ ରୁହ ।” “ଆରେ ଟିକେ ଝଅଟ ଖୋଜ, ତେଣେ ବେଳ ଗଡ଼ିଯିବ, ମୁଁ ଭାଗବତ ପଢ଼ିବି କେମିତି ? ତା ପରେ ପୁଣି ସାହୁକାରଙ୍କ ଘରକୁ ଯିବି, ବାବୁ ପରା ଡକେଇଛନ୍ତି ।”
“ତମେ ତ ନିତି ସେଥିରେ ଭାଗବତ ପଢ଼ । ଭାଗବତର ଜ୍ଞାନ ଆଉ ତା ଆଲୁଅ ମିଶିଗଲେ ଆମ କୁଡ଼ିଆ ସାରା ପରା କୃଷ୍ଣ କୃଷ୍ଣ ବାସେ । କୁଡ଼ିଆର ଅନ୍ଧାର ସାଙ୍ଗେ ସାଙ୍ଗେ ମନର ଅନ୍ଧାର ବି ମିଳେଇଯାଏ । ସେ ଦିପି ଦିପି ଆଲୁଅରେ କୃଷ୍ଣ ଲୀଳା ପଢ଼ି ପଢ଼ି ତମେ ହଜିଯାଅ ଯେମିତି । ତମ ମୁହଁରୁ ଭାଗବତ ଶୁଣି ମୁଁ ବି ହଜିଯାଏ । କାଲି ପଢ଼ି ସାରିବା ପରେ ତମେ ହିଁ କେଉଁଠି ଥୋଇ ଦେଇଥିବ, ଟିକେ ହେତୁ କରୁନା ।”
“ନାଇଁ କୁନାବୋଉ ! ତମେ ପା ସବୁଦିନ ମୋ ଠୁ ଭାଗବତ ଶୁଣି ସାରି ତାକୁ ଚୁଲି ପାଖକୁ ନେଇ ଯାଅ ଆଉ ତାରି ଆଲୁଅରେ ରନ୍ଧାରନ୍ଧି କର । ଗୋଟେ ହାତରେ ତାକୁ ଧରିଥାଅ ଆଉ ଗୋଟେ ହାତରେ ଭଜା ଘାଣ୍ଟୁଥାଅ । ଭାତ ଗାଳିଲା ବେଳେ ତାକୁ ପାଖରେ ରଖିଥାଅ, କାଳେ ପେଜ ସାଙ୍ଗରେ ଭାତ ବି ଗଳି ପଡ଼ିବ ଆଉ ଅନ୍ଧାରରେ ତମେ ଜାଣି ପାରିବନି । ତାହେଲେ ମୁଁ କେମିତି କେଉଁଠି ରଖିଲି ଯେ ତମେ ହିଁ ରନ୍ଧା ବଢ଼ା ସାରି ବାଁ ହାତରେ କେଉଁଠି ଥୋଇ ଦେଇଥିବ, ଟିକେ ବେଗି ହେତୁ କର ।”
“ହେଲେ….. ରାତି ଖାଇବା ପରେ ତ କୁନା ଟିକେ ସମୟ ସେଥିରେ ପାଠ ପଢ଼େ । ତା ଆଲୁଅରେ କେତେବେଳେ ଅଙ୍କ କଷେ, କେତେବେଳେ ପଦ ଘୋଷେ, କେତେବେଳେ ଇତିହାସ ପଢ଼ୁ ପଢ଼ୁ ଘୁମେଇ ପଡ଼େ, ପୁଣି ବେଳେବେଳେ ଚିତ୍ର ବି ଆଙ୍କେ । ସିଏ ବୋଧେ କାଲି ରାତିରେ ପଢ଼ି ସାରି କୋଉଠି ଥୋଇ ଦେଇଛି ।” “ହଉ ତମେ ଟିକେ ଝଅଟ ଖୋଜାଖୋଜି କର କୁନାବୋଉ !” “ଘରଟା ସାରା ତ ଦରାଣ୍ଡି ସାରିଲିଣି, କେଉଁଠି ଆଉ ଖୋଜିବି ?” “ହେଇ ପା କୁନା ଖେଳି ସାରି ଆସିଲାଣି, ତାକୁ ଟିକେ ପଚାରି ଦଉନା ।”
“କୁନା ! କୁନାରେ, ଡିବିରି ଟା କୋଉଠି ଅଛି ଦେଖିଛୁ କିରେ ବାପ ?” “ଓହୋ, କି ଡିବିରି, ମୁଁ ସେ ଡିବିରି ଫିବିରି କଥା ଜାଣିନି ।” “କୁନା ! ଇଏ କି ଶିଷ୍ଟାଚାର ? ନିଜ ବୋଉ ସହ କିଏ ଏମିତି କଥା ହୁଏ !” “ତମେ ମତେ ସେସବୁ ଶିଖାଅନି ବାପା, ମୁଁ ତମକୁ କେତେ ଥର କହିଲିଣି ଘରକୁ ବିଜୁଳି ଆଣ ବୋଲି । ହେଲେ ତମେ ଦି ଜଣ ଖାଲି ଡିବିରି ଡିବିରି ହଉଛ । ମୁଁ ସଫା ସଫା କହି ଦଉଛି ମୁଁ ଆଉ ସେ ଡିବିରି ରେ ଚଳି ପାରିବିନି ।”
“ଶୁଣିଲ, ଶୁଣିଲ ତ ତମ ଗୁଣବନ୍ତ ପୁଅ କ’ଣ କହିଲା ।” “କ’ଣ ଆଉ କରିବା କୁନାବାପା, ଆମ କପାଳ । ଯାହା ଘରେ ଡିବିରି ଜାଳିବାକୁ ସମ୍ବଳ ନାହିଁ ତା ପୁଅକୁ ବିଜୁଳି ଦରକାର୍, ସେ କୁଆଡ଼େ ଡିବିରିରେ ଆଉ ଚଳି ପାରିବନି ।” ଚୁଲି ମୁଣ୍ଡରୁ କିରୋସିନ ନ ଥିବା ଖାଲି ଡିବିରିଟି ପାଇ କହିଲେ କୁନାବୋଉ ।
ପ୍ରିୟଦର୍ଶିନୀ ମହାପାତ୍ର, ଗଞ୍ଜାମ
Priyadarshani Mahapatra
ଆପଣଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ଆଜ୍ଞା ବିଷୟ -ଡିବିରି ଗଳ୍ପକୁ ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରି ଗାରେଇ ଦେଇଛନ୍ତି
ଅଶେଷ ଧନ୍ୟବାଦ ଭାଇ