#ଡିବିରି
ମନୁଆଟା ବାପ ଛେଉଣ୍ଡ।ବଡ଼ ଘର ପିଲା ହିଁ କୁଆଡେ ଅଧିକ ପଢନ୍ତି ଏତିକି ମନୁଆ ବୋଉ କହେ,ହେଲେ ସେ କିଛି ବୁଝେନି।ପାଠ ପଢିବା ହିଁ ତା’ର ଏକମାତ୍ର ଉଦ୍ଦେଶ୍ୟ। ତା ବୋଉ ପର ଘର ପାଇଟି କରିବାକୁ ଗଲାବେଳେ ମନୁଆ କହି ଦିଏ,”ବୋଉ ଲୋ ବୋଉ!!ଆସିଲା ବେଳେ ଭାତ ମାଗି ଆଣି ମାଗିବୁନି,ଆଣିବୁ ଖାଲି ଡିବିଏ ତେଲ।ରାତି ଯାକ ପଢ଼ିବି ବସି।”
ଅନେକ ଥର ମା ପୁଅ ଉପାସ ଶୋଇଛନ୍ତି।ହେଲେ ମନୁଆ ଡିବିରିର ପେଟ ଫୁଲ୍ ଥାଏ।ସେ ରାତି ଯାକ ଆଖିକୁ କଷ୍ଟ ଦିଏ,ମୁଣ୍ଡକୁ ବୋଝେଇ କରେ।ବେଳେବେଳେ ନିଗିଡ଼ି ପଡୁଥିବା ଝାଳ ଆଉ ଲୁହ ପଡେ ଯାଇ ସେଇ ମିଞ୍ଜି ଆଲୁଅ ଉପରେ।ହେଲେ ସେ ଲିଭେନା ସେମିତି ଜଳେ।ସକାଳ ହେଲେ ଅତି ସ୍ନେହରେ ଡିବିରି ପୋଛି ଦିଏ। ସେ ଯେ କେତେ କଷ୍ଟ କରେ ତା’ର ଏକ ମାତ୍ର ସାକ୍ଷୀ ଏଇ ଡିବିରି।
କିଛି ବର୍ଷ ପରେ ଅନେକ ଝଡ଼କୁ ସାମ୍ନା କରି ମନୁଆ ବଡ଼ ପ୍ରଶାସନିକ ଅଧିକାରୀ ହେଲା।ତା’ ମା ଉପରକୁ ହାତ ଟେକିଲା ଆଉ ଡିବିକୁ ଜାବୁଡ଼ି ଧରି ମେଞ୍ଚେ ଧନ୍ୟବାଦ ଭରା କିଛି ଶବ୍ଦ ଗଦା କରିଦେଲା। ମନୁଆର ନିଜ ବଡ଼ ଘର ହେଲା।ଘର ଯାକ ବିଦେଶୀ ଜିନିଷ ହେଲେ ତା ପଢା ଘରେ ସଜା ହୋଇ ଥୁଆ ହେଲା ସେଇ ଡିବିରି।କେମିତି ଛାଡ଼ି ଦେଇଥାନ୍ତା ତାକୁ!!ସେଇ ତ ତା’ ପ୍ରକୃତ ବନ୍ଧୁ ପୁଣି ପ୍ରେରଣାର ଉତ୍ସ।କେତେ ରାତି ସେ ନିଜକୁ ଜାଳି ମନୁଆ ଭବିଷ୍ୟତ ଉଜ୍ବଳ କରିଛି ଖାଲି ସେ ଦୁହେଁ ଜାଣନ୍ତି।ସେଥି ପାଇଁ ସେ ଶୋଭା ପାଏ ମନୁଆ ଛାତିରେ ପୁଣି ତା ଘରେ।ଅନେକ ଲୋକ ଆସନ୍ତି ଡିବିରି ଟାକୁ ଦେଖି ହସନ୍ତି।” କିହୋ ବାବୁ!!ଆଜିକାଲି ଏ ଡିବିରିକୁ କିଏ ପଚାରେ?”ଏମିତି କି ତା ନିଜ ପିଲା,ସ୍ତ୍ରୀ ବି ମଜା ଉଡେଇ ଦିଅନ୍ତି।ହେଲେ “ତା ମୂଲ୍ୟ ବୁଝିବା କି ସମ୍ଭବ ତାଙ୍କୁ!!ମନୁଆର ସ୍ୱର୍ଣ୍ଣିମ ଅତୀତ ଯେ ତା ସହ ଯୋଡା।”
ମନୁଆ ଆଜିକାଲି ଅନେକ ସଭାରେ ଭାଷଣ ଦେବାକୁ ଯାଉଛି।ଲୋକେ “ଏଲ୍ ଇ ଡି” ଯୁଗରେ ବି ତାରତମ୍ୟ କରୁଛନ୍ତି ଓଡିଆ ସ୍କୁଲ୍ ଆଉ ଇଂରାଜୀ ମାଧ୍ୟମ ସ୍କୁଲ ଭିତରେ।ସେଥି ପାଇଁ ତାକୁ ଜଣେ ପଚାରିଲେ,”ଏବେ ର ପିଲାମାନେ କହୁଛନ୍ତି ତାଙ୍କୁ କୁଆଡେ ଭଲ ଶୈକ୍ଷିକ ପରିବେଶ ମିଳୁନି,ମାନସିକ ଚାପ ବଢୁଛି,ସେ ଲାଗି ଏଠି ଛାତ୍ର ଆତ୍ମହତ୍ୟା।ଏ ପ୍ରସଙ୍ଗରେ କଣ କହିବେ?”ସେ ହସି ଉତ୍ତର ଦେଲା:-
“ସବୁ ନିଜ ଇଚ୍ଛାର କଥା
ପରିଶ୍ରମ ବଳେ
ଡିବିରି ବି ଲେଖି ପାରେ ଗାଥା।”
ମୁଁ ନିଜେ ଡିବିରି ଆଲୁଅରେ ପଢ଼ି ଆଜି ସୂର୍ଯ୍ୟ ପରି ଆଲୋକ ଦେଉଥିବା ଚାକଚକ୍ୟ ମଞ୍ଚରେ ପହଞ୍ଚି ପାରିଛି,ତେବେ ଅନ୍ୟ ମାନେ କାହିଁକି ନୁହଁନ୍ତି?ଜୀବନରେ ଦୃଢ଼ ସଂକଳ୍ପ ନେବାକୁ ହେବ।ଝରଣା ବି ସାଗରରେ ସହଜରେ ମିଶି ପାରି ନଥାଏ,ସେମିତି ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ୟାକୁ ଛୋଟ ମନେ କରିଦେଲେ ସଫଳତାକୁ ଖୁବ୍ ପାଖରୁ ଅନୁଭବ କରି ହୁଏ।ଚେଷ୍ଟା କଲେ ସମସ୍ତେ ନିହାତି ଆଲୁଅ ହେଇ ପାରିବା ପଛେ ସେ ଡିବିରି ଆଲୁଅ ହଉ ନା କାହିଁକି!!ଏ ଜୀବନ ଜଳିବ ଦିକିଦିକି ହେଇ, ଆଲୋକିତ କରିବ ଆଖପାଖ ସବୁକୁ ଆଉ ନିଜକୁ..
ସ୍ୱାଗତିକା ବେହେରା
Swagatika Behera(ctc
ଡିବିରି ଗଳ୍ପ ଟି ହୃୟସ୍ପର୍ଶୀ। ଏକ ନିଛକ ସତ୍ୟ ର ଗାଳ୍ପିକ ପରିପ୍ରକାଶ ।
ଖୁବ୍ ସୁନ୍ଦର ଭାବରେ ଲେଖିଛନ୍ତି ଆପଣ ଡିବିରି ଗଳ୍ପକୁ ଆପଣଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି