ଡିବିରି:
-ସେଦିନ ଅ….ଆ….ଇ… ଈ….ଏହି ଶବ୍ଦରେ କମ୍ପି ଉଠୁଥାଏ ବିଦ୍ୟାଳୟ ପରିସର l ମୁଁ ନେଇଥିବା ଚକ୍ ଖଡ଼ିକୁ ଦୁଇଖଣ୍ଡ କରି ରାଣୀ ଆଉ ମୁଁ ଏହି ଚାରୋଟି ଅକ୍ଷର ବାରମ୍ବାର ଘୋଷୁଥାଉ ସିଲଟରେ l ବିଜୁଳି ଚାଲିଗଲା ତେଣୁ ଆମେ ନେଇଥିବା ଡିବିରି କୁ ଜାଳି ପୁଣି
ମାତିଗଲୁ ଅ.. ଆ…ଘୋଷାରେ l ରାଜୁ ଆମ ସହପାଠୀ ଏବେ ସିନା ପୋଲିସ ଚାକିରୀ କରିଛି କିନ୍ତୁ ଛୋଟ ବେଳେ ବଡ଼ ଚୋରଟିଏ ଥିଲା l ଆରେ ସେତେବି ବଡ଼ ଚୋର ନୁହଁ କେବଳ ଆମ ମାନଙ୍କର ବ୍ୟାଗରୁ ମୁଡ଼ିକି, ବିସ୍କୁଟ୍,ଚକଲେଟ୍ ସହ ଚକ୍ ହିଁ ଚୋରୀ କରୁଥିଲା l କାହିଁକି କେଜାଣି ଚକ୍ ରେ ଏମିତି କି ସ୍ୱାଦ ଥିଲା l ସେ ଚକ୍ ଗୁଡ଼ିକୁ ଚୋବାଇ ଚୋବାଇ ଫିଙ୍ଗୁଥିଲା ଆଉ ସେଇଥିପାଇଁ ଘନା ମାଷ୍ଟ୍ରେଙ୍କ ଛାଟରେ ବେଳେ ବେଳେ ଉତ୍ତମ ମଧ୍ୟମ ବି ହୁଏ l
ରାଣୀର ବାମ ପଟେ ମୁଁ ବସିଥାଏ ମୋ ବାମରେ ରାଜୁ l ମୁଁ ପାଠ ପଢ଼ାରେ ଛୋଟ ବେଳୁ ହିଁ ଭାରି ସିରିୟସ୍ l ମୁଁ ମୋର ମନଦେଇ ଅ,ଆ ଘୋଷୁଥାଏ କିନ୍ତୁ ରାଜୁର ମନ ଥାଏ ରାଣୀର ବ୍ୟାଗ୍ ଉପରେ କେତେବେଳେ ଟିକିଏ ସୁଯୋଗ ମିଳିଲେ ରାଣୀର ବ୍ୟାଗରେ ହାତ ମାରି ଚଳୁ କରିବାକୁ l ସେଇଆ ହିଁ ହେଲା ବିଲେଇ କପାଳକୁ ଶିଖା ଛିଡ଼ିଲା ପରି ଘନା ମାଷ୍ଟ୍ରେଙ୍କୁ କିଏ ଜଣେ ଡାକିବାରୁ ସିଏ ଶ୍ରେଣୀ ବାହାରକୁ ଚାଲିଗଲେ ,ଆଉ ଏହି ସୁଯୋଗରେ ଧୀରେ ରାଣୀର ବ୍ୟାଗ୍ କୁ ହାତ ବଡ଼ଉଥିବା ବେଳେ ହଟାତ୍ ରାଜୁର ହାତ ବାଜି ଜଳୁଥିବା ଡିବିରି ଟି ତଳେ ପଡ଼ିଗଲା l ଆଖି ପିଛୁଳାକେ ଡିବିରି ରୁ ସବୁଯାକ କିରୋସିନ ତଳେ ପଡ଼ି ହୁତୁ ହୁତୁ ହୋଇ ନିଆଁ ଲାଗିଗଲା ! ସବୁ ପିଲା ଚିତ୍କାର କରି ଠିଆହୋଇ କିଛି ଦୂରକୁ ଚାଲିଗଲେ l ରାଜୁ ଆଉ ଅଛି ସିଏ ନାକ ସଳଖେ ଦୌଡ଼ି ପଳାଇଛି ଘରକୁ l ରାଣୀ ଭୋ ଭୋ ହୋଇ କାନ୍ଦୁଥାଏ କାରଣ ସେ ପିନ୍ଧିଥିବା ଡ୍ରେସର ଚୁନିରେ ନିଆଁ ଲାଗିଯାଇଥାଏ lସମସ୍ତେ ପାଟି କରିଲେ ଏ ଦେଖ..ଦେଖ…ରାଣୀ ଦେହରେ ନିଆଁ ଲାଗି ଗଲା ନିଆଁ ! ଶତ ଚେଷ୍ଟା କରି ବି ରାଣୀ ତା ଚୁନିଟିକୁ ବାହାର କରିପାରୁନଥାଏ, କାରଣ କାଳେ ତା ଚୁନି ଖସିଯିବ ବୋଲି ତା ବୋଉ ଚୁନିରେ ସେପ୍ଟପିନ୍ ଲଗାଇଥିଲା l ମୋ ମୁଣ୍ଡ ଆଉ କାମ କଲାଣି ମୁଁ ଧାଇଁ ଯାଇ ମୋ ହାତରେ ନିଆଁ ଲିଭାଇବାକୁ ଚେଷ୍ଟା କଲି ଆଉ ନିଆଁକୁ ଲିଭାଇ ରାଣୀର ଜୀବନକୁ ବଞ୍ଚାଇଦେଲି l ସମସ୍ତେ ଖୁସିରେ ତାଳି ମାରିବାକୁ ଲାଗିଲେ ଆଉ ମୁଁ ବି ତାଳି ମାରିବା ମାତ୍ରେ ମୋ ଦୁଇ ହାତ ପାପୁଲିର ଅବସ୍ଥା ସାଙ୍ଘାତିକ ହୋଇ ଯାଇଥିଲା ସେତେବେଳେ ଯାଇ ଜ୍ୱାଳା କଷ୍ଟକୁ ଅନୁଭବ କଲି lସେହି ସମୟ ଭିତରେ ଘନା ମାଷ୍ଟ୍ରେ ପହଞ୍ଚିଗଲେ ଏବଂ ମୋତେ ସାଙ୍ଗେ ସାଙ୍ଗେ ଗାଁ ବଇଦଙ୍କ ପାଖକୁ ନେଇଗଲେ l ଦିନ କେଇଟା ପରେ ମୋ ହାତର ଯନ୍ତ୍ରଣା କମିଗଲା ସତ, କିନ୍ତୁ ସବୁଦିନ ପାଇଁ ପୋଡ଼ା ଦାଗ ରହିଗଲା l ମୁଁ ସୁସ୍ଥ ହୋଇ ପୁଣି ଟିୟୁସନ ଯିବାପରେ ସାର୍ ସମସ୍ତଙ୍କୁ କହିଲେ ଦେଖିଲ ଚଗଲାମୀ ଯୋଗୁଁ କେତେବଡ଼ ବିପତ୍ତି ଟିଏ ଆସିଥିଲା ଆଉ ମୋତେ ପ୍ରଶଂସା କରିବା ସହ ମୋତେ ଡିବିରି ସହ ତୁଳନା କରି କହିଲେ ପିଲେ, ଜୀବନରେ ସମସ୍ତେ ଡିବିରି ପରି ହେବାକୁ ଚେଷ୍ଟା କର ନିଜେ ପଛେ ଜଳୁଥାଉ କିନ୍ତୁ ଅନ୍ୟକୁ ଆଲୋକିତ କରୁଥାଅ l ରାଜୁ ବି ନିଜର ଭୂଲ କୁ ସ୍ୱୀକାର କରି କ୍ଷମା ମାଗି ସେହି ଦିନଠାରୁ ଭଲ ପିଲା ହୋଇଗଲା l
ଜଗନ୍ନାଥ ଚୌଧୁରୀ
ନୂଆପେଣ୍ଠ,ଗଞ୍ଜାମ
ଆପଣଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ଆଜ୍ଞା
କୋଟି ଧନ୍ୟବାଦ ଜଣାଉଛି l