#ଡିବିରି
ସନ୍ଧ୍ୟା ସମୟ, ଘର ସାଜସଜ୍ଜାରେ ବ୍ୟସ୍ତ ଥିଲେ ଚାନ୍ଦିନୀ ମ୍ୟାଡ଼ାମ | ହଠାତ ଖାକି ପୋଷାକରେ ଥିବା ପ୍ରୀତମ ବାବୁ ଘର ଭିତରକୁ ପଶିଯାଇ ଚାନ୍ଦିନୀଙ୍କ ଶାଢ଼ୀ କାନିକୁ ଧରି ପକେଇଲେ | ଚାନ୍ଦିନୀ ପଛକୁ ବୁଲିଯାଇ ଟିକେ ରାଗିକି କହିଲା, ” ମୁଁ ଜାଣିଥିଲି ତମେ ହିଁ ଆସିଥିବ, ଇଏ ସବୁ କି ଦୁଷ୍ଟାମୀ କରୁଛ ! ବୁଢ଼ା ବୟସରେ ପ୍ରେମ ଉଛୁଳି ପଡୁଛି, ନିଜ ବୟସକୁ ଟିକେ ଦେଖ ”
ଏକଥା ଶୁଣୁ ଶୁଣୁ ପ୍ରୀତମ ବାବୁ ଟିକେ ରାଗିଯାଇ କହିଲେ ” ମୁଁ କଣ ବୁଢ଼ା ? କଣ ଭୁଲିଗଲଣି କି ତମେ ? ତମେ ମତେ କଲେଜ ବେଳେ ‘ ହାଏ ହ୍ୟାଣ୍ଡସମ ‘ ଡାକ | ଏବେ କଣ ବୁଢା କହୁଛ ? ” ଏତିକି କଥା କହି ପାହାଚ ଉପରେ ବସିଗଲେ ପ୍ରୀତମ ଏବଂ ସେହି ସମୟରେ କରେଣ୍ଟ ମଧ୍ୟ ପଳେଇଲା ଓ ଚାରିଆଡ଼ ଅନ୍ଧାର | ଝରକା ଫାଙ୍କରେ ଟିକେ ଟିକେ ଜହ୍ନ ଆଲୁଅରେ ଚାନ୍ଦିନୀ ପ୍ରୀତମଙ୍କ ମୁହଁକୁ ଚାହିଁ କଣେଇ କଣେଇ ହସୁଥିଲେ ଆଉ ଖଣ୍ଡି କାଶ ମାରି ପଚାରିଲେ “ସେଦିନ କଥା ମନେ ପଡୁଛି କି ନାହିଁ, ଅନ୍ଧାରରେ ଜହ୍ନ ଆଲୁଅରେ ଲୁଚି ଲୁଚି ଦେଖା ଏବଂ ଡିବିରି ଜଳେଇ ପ୍ରେମ ପତ୍ର ଲେଖା “ପ୍ରୀତମ ବାବୁ ସଙ୍ଗେ ସଙ୍ଗେ କହିବାକୁ ଲାଗିଲେ ” କେମିତି ଭୁଲିବି, ସେକଥା ଭୁଲିବା ସମ୍ଭବ ନୁହେଁ | ମୋର ସମ୍ପୂର୍ଣ ମନେ ଅଛି ଡିବିରି ଜଳେଇ ଯେଉଁ ଚିଠି ଲେଖିଥିଲ, ସେଥିରେ ଶେଷକୁ ଇତି ତୁମର ପ୍ରିୟା ବଦଳରେ ଡିବିରିରୁ ତେଲ ସରିଗଲା ବୋଲି କେବଳ ତୁମର ଲେଖିକି ଛାଡିଦେଇଥିଲ ” |
ସେହି ବସନ୍ତ ଋତୁରୁ ହିଁ ଆମ ପ୍ରେମ ସମ୍ପର୍କ ମଜବୁତ ହେଇଥିଲା |
ଏତେ ମଜବୁତ ଯେ ମୋ ହାତରେ ହାତ ମିଶେଇ ସାରା ଦୁନିଆକୁ ଛାଡ଼ି ଦେବାକୁ ତୁମେ ପ୍ରସ୍ତୁତ ଥିଲ | ମୋ ଦେହ ଖରାପ ହେଲେ ତୁମକୁ କଷ୍ଟ ହେଉଥିଲା, ମୋ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲ, ମୁଁ ନଖାଇଲେ ରାଣ ପକେଇଦେଉଥିଲ, ଶିବ ମନ୍ଦିରରୁ ଗଲା ବେଳେ ଯେଉଁ ମୁରୁକି ମୁରୁକି ହସିକି ଚାଲିଯାଉଥିଲ, ସେ ହିଁ ତ ପ୍ରେମ | ପ୍ରେମ ଆଉ କଣ କି ? ମନ ସହ ମନର ମିଳନ ଏବଂ ପରସ୍ପର ସହ ସାରା ଜୀବନ ଏକାଠି ରହିବାର ପ୍ରତିଶ୍ରୁତି | କିନ୍ତୁ ନା ଆଜି ସେ ଡିବିରି ଅଛି, ନା ଅଛି ବସନ୍ତ ଋତୁର ମାଧୁର୍ଯ୍ୟତା… | କିନ୍ତୁ ସେ ସ୍ମୃତି ଆଜି ବି ମନେ ଅଛି, ଆଉ ପୁଣି ଥରେ ସେହି ଦିନକୁ ଫେରିଯିବାକୁ ଏ ମନ କହୁଛି ଏବଂ ସେଇ ସ୍ମୃତିକୁ ଛାତିରେ ଜାବୁଡି ରଖି ମନ ଖୋଲି ହସିବାକୁ ଇଚ୍ଛା ହେଉଛି | ସେ ମିଛିମିଛିକା କଣ୍ଢେଇରାଣୀ ଖେଳ, ବୋହୁ ଚୋରି, ଲୁଚକାଳି ସତରେ ବହୁତ ଖୁସି ଦେଉଥିଲା | ଡିବିରିରୁ ତେଲ ସରିଗଲେ ଆମ ଚିଠି ମଧ୍ୟ ଅଧାରେ ରହିଯାଏ, କହିବାକୁ ଗଲେ ଆମ ପ୍ରେମ ମଧ୍ୟ ଅଧୁରା ରହିଯାଏ | ଏତିକି କହି ପ୍ରୀତମ ବାବୁ ହସିବାକୁ ଲାଗିଲେ | ଚାନ୍ଦିନୀ ଏ ହସ ଦେଖି ଟିକେ ଲାଜେଇ ଯାଇ କହିଲେ, ” ତମେ ପରା କହିଥିଲ ମହାଶୟ, ଡିବିରିରୁ ଆମ ପ୍ରେମ, କିନ୍ତୁ ଡିବିରିରୁ ତେଲ ସରିଯିବ ହେଲେ ଆମ ପ୍ରେମ ସବୁଦିନ ପାଇଁ ଅମର ହେଇଯିବ ଏବଂ ପରପିଢୀ ପାଇଁ ଉଦାହରଣ ହେଇ ରହିଯିବ ” | ଏତେ କଷ୍ଟ ଓ ଦୁଃଖ ସମୟରେ ମୋ ସହ ଛିଡ଼ା ହେଇଛ ମୋର ସାଥ ଦେଇଛ | ନିଜେ ଅସୁବିଧା ସବୁକୁ ସାମ୍ନା କରି ମୋ ମୁହଁରେ କେବଳ ହସ ଭରିଦେଇଛ |
କିନ୍ତୁ ଏବେ ସମୟ ସହ ସବୁକିଛି ବଦଳିଗଲାଣି | କିଛି ଜିନିଷ ହଜିଗଲାଣି ଓ ସେ ମିଠା ମିଠା ସମୟକୁ ମଣିଷ ମନରୁ ପାସୋରି ଦେଲାଣି | ”
ଏମିତି କଥୋପକଥନ ଚାଲୁ ଚାଲୁ ଅକସ୍ମାତ କରେଣ୍ଟ ଆସିଗଲା ଓ ଦୂରରୁ ଶୁଭୁଥିଲା, ” ହାପି ମ୍ୟାରେଜ ଆନିଭର୍ସରୀ ବାବା ଓ ମାମା, ତୁମ ପାଇଁ ଆମ ତରଫରୁ ଗୋଟେ ଛୋଟ ଗିଫ୍ଟ, ଖୋଲିକି ଦେଖ କେମିତି ହେଇଛି ? ” ଦୁହେଁ ମିଶି ଖୋଲିଲା ବେଳକୁ ଗୋଟେ ଡିବିରି ହିଁ ଥିଲା ଓ ଗୋଟେ ରଙ୍ଗୀନ କାଗଜରେ ଲେଖା ହେଇଥିଲା, ” ଆମ ମାମା ଓ ବାବାଙ୍କ ପ୍ରେମର ପ୍ରତୀକ ” |
ପ୍ରୀତମ ଓ ଚାନ୍ଦିନୀ ବହୁତ ଖୁସି ହୋଇଗଲେ ଏ ଡିବିରି ଦେଖି ଆଉ କହିଲେ, ” ସାଇତିକି ରଖିଲୁ ଆମ ନାତି ଆମ ନାତୁଣୀ ବୋହୂକୁ ଗିଫ୍ଟ ଦେବ ଓ ନିଜ ପ୍ରେମକୁ ଆହୁରି ସୃଦୃଢ କରିବ ” |
ଏତିକି କହି ପ୍ରୀତମ ଚାନ୍ଦିନୀକୁ ଚାହିଁ ଡିବିରିକୁ ଧରି ଅଜଣା ରାଇଜରେ ହଜିଯାଇଥିଲେ |
ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ
ଜାରକା, ଯାଜପୁର
ଚମତ୍କାର
ଧନ୍ୟବାଦ
ଆପଣଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି
ଅଶେଷ ଧନ୍ୟବାଦ