ଅଣୁ ଗଳ୍ପ – ଡିବିରି
****************
ରାତିର ଅନ୍ଧାର ବଢ଼ି ବଢ଼ି ଯାଉଥାଏ। ଝାଟିମାଟିର କାନ୍ଥକୁ ଡେରି ହୋଇ ଖଣ୍ଡିଏ ବହିଧରି ମୁନା ପାଠ ପଢୁଥାଏ। ମନରେ ଅନେକ ଆଶା ଓ ଆକାଂକ୍ଷା ଉଙ୍କି ମାରୁଥାଏ। ବଡ଼ ହେଲେ ଜଣେ ସଚ୍ଚୋଟ ପୋଲିସ ଅଫିସର ହୋଇ ନିଜ ଗ୍ରାମ ଓ ଦେଶର ରକ୍ଷା ପାଇଁ ଲଢ଼ିବ। ଏମିତି ଅନେକ ସ୍ବପ୍ନ ଦେଖୁଥାଏ। କିନ୍ତୁ ପରିବାରର ପରିସ୍ଥିତି ଏତେ ଖରାପ ଥାଏ ଯେ ସେ ଠିକସେ ପାଠପଢ଼ା ପାଇଁ ଖୋରାକ ପାଇପାରୁନଥାଏ।
ତଥାପି ନିଜର ପରିସ୍ଥିତିକୁ ପଛରେ ପକାଇ ଡିବିରିର କ୍ଷୀଣ ଆଲୋକରେ ପାଠ ପଢୁଥାଏ।ହଠାତ କିଛି ଶବ୍ଦ ସେ ଶୁଣିବାକୁ ପାଇଲା। ମନରେ ସାହସ ବାନ୍ଧି ସେଇ ଡ଼ିବିରିକୁ ନେଇ ବାହାରକୁ ଯାଇ ଦେଖିଲା ଯେ କେତେ ଜଣ ଅଜଣା ଲୋକ ମୁହଁରେ କଳା କପଡ଼ା ଢାଙ୍କି ଚୋରି କରିବାକୁ ପ୍ରସ୍ତୁତ ହେଉଥାନ୍ତି। ଏହା ଦେଖି ମୁନା ବଡ଼ ପାଟିରେ କହିବାକୁ ଲାଗିଲା ଦୌଡ଼ି ଆସ ଦୌଡ଼ି ଆସ ଆମ ଗାଁରେ ଚୋର ପସିଚି । ତା’ର ପାଟି ଶୁଣି ଗାଁର ଅନ୍ୟ ଲୋକମାନେ ଆଲୁଅ ଆଣି ବହାରକୁ ଆସିଗଲେ। ଚୋର ମାନଙ୍କୁ ଘେରିଯାଇ ବହୁତ ମାରିଲେ। ତା’ ପରେ ପୋଲିସଙ୍କୁ ଡ଼ାକି ସେ ଚୋରମାନଙ୍କୁ ଧରାଇଦେଲେ। ଗ୍ରାମର ପ୍ରତ୍ୟେକ ବ୍ୟକ୍ତି ମୁନା ପାଖକୁ ଧାଇଁ ଆସି ତା’ମୁଣ୍ଡରେ ହାତମାରି ଆଶୀର୍ବାଦ କରି କହିଲେ – ମୁନାକିରେ ତୁ ଛୋଟ ହେଲେ କଣ ହେଲା ତୋର ଅଦମ୍ୟ ସାହସ ପାଇଁ ଆଜି ଏତେ ଲୋକଙ୍କର ଧନଜୀବନ ସୁରକ୍ଷିତ ହୋଇ ପାରିଲା। ତୁ ବଡ଼ ହେଲେ ନିଶ୍ଚୟ ଜଣେ ସଚ୍ଚୋଟ ପୋଲିସ ଅଫିସର ହେବୁ। ସମସ୍ତଙ୍କ ସ୍ନେହ,ଶ୍ରଦ୍ଧା ଓ ଆଶୀର୍ବାଦ ଯେମିତି ମୁନା ଉପରେ ଅଜାଡ଼ି ହୋଇ ପଡ଼ିଲା କିନ୍ତୁ ମୁନା କହିଲା ମୁଁ କିଛି ବି କରିନି। ଯାହା ଏଇ ଡିବିରି କରିଛି। ତା’ ପାଇଁ ହିଁ ମୁଁ ଏ ଚୋରମାନଙ୍କୁ ଦେଖି ପାରିଲି । ଯଦି ଡ଼ିବିରିର ସାହାଯ୍ୟ ନେଇ ନଥାନ୍ତି ମୁଁ କିଛି ବି କରିପାରି ନଥାନ୍ତି।
ଏ ଜିନିଷଟି ଛୋଟ ହେଲେ କ’ଣ ହେଲା କେତେ ଲୋକଙ୍କ ଜୀବନକୁ ଏହା ଗଢ଼ି ପାରିଛି। ସତରେ ଏ ଡ଼ିବିରିର ମୂଲ୍ୟ ବହୁତ ଅଧିକ।
ମୁନାର ଏହି ସାହାସିକତା ଦେଖି ଗ୍ରାମର ଜଣେ ବିଜ୍ଞ ବ୍ୟକ୍ତି କହି ପକାଇଲେ – ନ ଜାଣି କବି ଡ଼ଃ.ଜାନକୀ ବଲ୍ଲଭ ମହାନ୍ତି କହିଥିଲେ :-
“କ୍ଷୁଦ୍ର ଏକ ପ୍ରଦୀପ ଶିଖା
ତମସା ପାରେ ଜିଣି,
କ୍ଷୁଦ୍ର ବାରୀ ଧାରାଟି ହୁଏ
ପ୍ରବଳ ସ୍ରୋତସ୍ୱିନୀ।
ଏହି କଥାରୁ ସ୍ପଷ୍ଟ ହୋଇଗଲା ଯେ ଛୋଟ ଭିତରେ ମହତ ଗୁଣ ନିହିତ ଅଛି।
– ସମାପ୍ତ –
ତା – ତପସ୍ୱିନୀ ଜେନା
କୁଜଙ୍ଗ,ଜଗତସିଂହପୁର
ତା – ୧୧-୦୩-୨୦୨୨
ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରି ଗାଧେଇ ଦେଲେ ବିଷୟ-ଡିବିରି ଗଳ୍ପକୁ ଆଉ ଆଗକୁ ମଧ୍ୟ ଏଭଳି ଲେଖି ଚାଲନ୍ତୁ ଏବଂ ନାମ ରୋଷନ କରନ୍ତି ଆପଣଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ❤️
ବହୁତ ବହୁତ ଧନ୍ୟବାଦ ଭାଇ