ଡିବିରି
ବାପା! ବାପା! ଆଇ କହୁଥିଲା, ତୁମ ସମୟରେ କରେଣ୍ଟ ବ୍ୟବସ୍ଥା ନଥିଲା କେବଳ ବତୀଟିଏ କାଁ ଭାଁ କିଛି ଲୋକଙ୍କ ପାଖରେ ଥିଲା | ସେକାଳରେ କରେଣ୍ଟ ବ୍ୟବସ୍ଥା ନଥିଲା ତେଣୁ କିଛି ଲୋକ ବତୀର ସାହାଯ୍ୟ ନେଉଥିଲେ କିନ୍ତୁ ବାପା, ମୁଁ ଜେଜେମାଙ୍କ ଠାରୁ ଶୁଣିଥିଲି ଜେଜେବାପାଙ୍କ ଅମଳ ବହୁତ ଗରୀବ ଥିଲେ ତେଣୁ ତୁମ ପାଖରେ ଆର୍ଥିକ ପରିସ୍ଥିତି ଖରାପ ହେତୁ ତୁମ ପାଖରେ ବତୀ ନଥିବ ତେବେ ତୁମେ କେମିତି ପାଠ ପଢ଼ୁଥିଲ ….? ବାପା….. ଏମିତି ଅନେକ ଗୁଡିଏ ପ୍ରଶ୍ନ ପଚାରି ଚାଲିଛି ମିତା! ମିତାର ପ୍ରଶ୍ନରେ କାଶୀଦାସ (ମିତାର ବାପା ) କହିଛନ୍ତି, ମା..“ ତୁ ଟିକେ ଥୟ ଧର!” ମୁଁ ଏବେ ପିଲାଙ୍କୁ ପାଠ ପଢାଇ ସ୍କୁଲରୁ ଫେରୁଛି ଟିକେ ଗୋଡ଼ ହାତ ଧୋଇ ସାରି ସତେଜ ହୋଇ ସାରେ ତାପରେ ମୁଁ ତୋ ପ୍ରଶ୍ନର ଉତ୍ତର ଦେବି !
ହଁ ବାପା ଖାଇଦିଅ | ( ଟିକେ ମନ ଉଣା କରି ମିତା କହିଲା |)
କାଶୀ ଦାସ – ମା… ମନ ଦୁଃଖ କର ନାହିଁ ! ମୁଁ କହିବି |
ବାପା ଝିଅଙ୍କ କଥା ନ ସରୁଣୁ ରୋଷେଇ ଘରୁ ଡାକ ଛାଡିଲେଣି ରମା ଦେଵୀ | (ମିତାର ମା )
ରମା ଦେବୀ – “ହଇଓ ଶୁଣୁଛ!” ବାପ ଝିଅ ପରେ କଥା ଗପିବ ଏଣେ ମୋର କାମରେ ତର ନାହିଁ ମୁଁ ଯେତେ ଜଲଦି ତୁମ ଦୁହିଁଙ୍କୁ ଖାଇବାକୁ ଦେବି ସେତେ ଜଲଦି ଘର ଲିପା ପୋଛା କରିବି | ଆସନ୍ତା କାଲି ଦୀପାବଳି! ଘରେ ବଡ଼ବଡ଼ିଆ ଡକା ହେବ ଆଉ ପିଠାପଣା, ଭୋଗ କେତେ କଣ କାମ…. ତେଣୁ ତୁମେ ଦୁହେଁ ଜଲଦି ଖାଇଦିଅ !
କାଶୀ ଦାସ – ଠିକ୍ ଅଛି ରମା ଆମକୁ ଖାଇବାକୁ ମୁଠାଏ ଦିଅ ବହୁତ ଭୋକ ଲାଗିଲାଣି |
କାଶୀଦାସ ଏବଂ ମିତାଙ୍କୁ ରମାଦେବୀ ଖାଇବା ପାଇଁ ପଖାଳ, ପାଳଙ୍ଗ ଶାଗ ରାଇ, ବଡି ଚୁରା ଖାଇବାକୁ ଦେଲେ | ଦୁହେଁ ପେଟେ ଖାଇସାରି ହାତ ଧୋଇ ସାରି ନିଜ ନିଜ କାମରେ ଲାଗି ପଡିଲେ କିନ୍ତୁ ମିତା ତା’ର ପ୍ରଶ୍ନର ଉତ୍ତର ବାପାଙ୍କ ପାଖରୁ ଜାଣିବା ପାଇଁ ଖୁବ୍ ଉତ୍କଣ୍ଠାର ସହିତ ଚାହିଁ ରହିଛି | ବାପା ନିତିଦିନ ଭଳି ଖାଇ ସାରି ଖବର କାଗଜ ପଢିବାରେ ଲାଗିଛନ୍ତି |
ମିତା ବାପାଙ୍କ ପାଖକୁ ଆସି ହାତରୁ ଖବର କାଗଜ ନେଇ ଯାଇ କହିଛି, “ବାପା!” ମତେ କୁହନା… କେମିତି ପାଠ ପଢୁଥିଲ ବିନା ବିଜୁଳିବତୀର ସାହାଯ୍ୟରେ!
କାଶୀଦାସ — ମିତା! ମୋ ମାଆ ଟା ପରା ଟିକେ ଅପେକ୍ଷା କର ! ମୁଁ ଖବର କାଗଜ ପଢି ସାରି ତତେ କହିବି |
ହେଲେ ମିତା କେଉଁ ଛାଡ଼ିବା ଝିଅ ! ତା’ର ଜିଦ୍ ଆଗରେ କାଶୀ ଦାସ ଶେଷରେ ଖବର କାଗଜ ପଢ଼ା ବନ୍ଦ କରି ଝିଅ ମିତାକୁ କହିଲେ, ” ଶୁଣ ମା ମିତା…. ମୋ ବାପା ଦୀନବନ୍ଧୁ ଦାସ ଭାରି ଦରଦୀ ହୃଦୟର ମଣିଷ ଟିଏ ନାଁ ସିନା ଦୀନବନ୍ଧୁ କିନ୍ତୁ ସେ ଆମ ଗାଁର ସବୁଠାରୁ ଗରିବ ଥିଲେ | ନିତି ପଥର କାଟି ଆମ ପରିବାରର ଭରଣ ପୋଷଣ କରନ୍ତି | ପରିବାର କହିଲେ ଘରେ ଚାରି ପ୍ରାଣୀ ମୁଁ, ବାପା, ବୋଉ ଆଉ ବଡ଼ ଭାଇ | ବାପା ପଥର କାଟି ସେଥିରୁ ଯାହା ପାରିଶ୍ରମିକ ଆଣନ୍ତି ଆମେ ପରିବାର ରେ ଚଳିବାଟା ବହୁତ କଷ୍ଟ | କିନ୍ତୁ ଆମେ ଦୁଇ ଭାଇ କେବେବି ହାର୍ ମାନିନୁ ଅଭାବ ପାଖରେ ! ଆମ ଜେଜେବାପାଙ୍କ ଶେଷ ସନ୍ତକ ବିଲ ତିନି ପା ହେଉଛି ଆମର ସମ୍ବଳ | ତିନି ପା ବିଲରୁ ଯାହା ଖାଇବାକୁ ମିଳେ ସେଥିରେ କଷ୍ଟେ ମଷ୍ଟେ ଚଳିଯାଉ! ବୋଉ ଯୌତୁକରେ ତା ‘ ବାପ ଘରୁ ଡିବିରିଟିଏ ଆଣିଥିଲା ସେଇ ଡିବିରି ସାହାଯ୍ୟ ରେ ଆମେ ରାତି ଅନ୍ଧାରରେ ପାଠ ପଢୁ |”
ମିତା – ବାପା! ଡିବିରି କଣ?
କାଶୀ ଦାସ -‘ ଡିବିରି ‘ହେଉଛି ଏକ ଆଲୋକ ବସ୍ତୁ | ଯାହା ଆମକୁ ଅନ୍ଧାରରେ ଆଲୋକ ଦିଏ |
ମିତା – ଆଲୋକ ବସ୍ତୁ ପୁଣି କ’ଣ ବାପା?
କାଶୀ ଦାସ – ଆମଘରେ କରେଣ୍ଟ ଚାଲିଗଲା ପରେ ଯେମିତି ଆମେ ଯେପରି ଲଣ୍ଠନର ସାହାଯ୍ୟ ନେଉଛୁ ଠିକ୍ ସେପରି ଆଗ କାଳରେ ଡିବିରିର ସାହାଯ୍ୟ ନେଉଥିଲୁ |
ମିତା – ବାପା, ଡିବିରିର ସାହାଯ୍ୟ ନେଇ ତୁମେ ଏତେ ପାଠ ପଢ଼ିଲ ଏବଂ ଶିକ୍ଷକ ହୋଇ ପାରିଛ !
କାଶୀ ଦାସ – ହଁ ରେ ମା!’ ଆମେ ବହୁତ ପରିଶ୍ରମ କରି ପାଠ ପଡ଼ିଛୁ ଏବଂ ନିଜ ଗୋଡ଼ରେ ଠିଆ ହୋଇ ପାରିଛୁ | ଆଜିକା ଆଧୁନିକ ସମାଜର ଡିବିରି ବଦଳରେ ବିଦ୍ୟୁତ ବଲବ ଏବଂ ଲଣ୍ଠନ, ମହମବତୀ ଡିବିରି ପରି ଠିକ୍ ଆଲୋକ ପ୍ରଦାନ କରୁଛନ୍ତି କିନ୍ତୁ ଫରକ୍ ଏତିକି ଆମେ ଡିବିରି ରେ ପାଠ ପଢି ପାଠର ମୂଲ୍ୟ ବୁଝୁଥିଲୁ ଆଉ ତୁମେମାନେ ରଙ୍ଗୀନ ରଙ୍ଗୀନ ବିଦ୍ୟୁତ ବଲବର ଆଲୋକରେ କେବଳ ବାହାର ଚାକଚକ୍ୟରେ ମଜି ଯାଉଛ !
ରିନା ପରିଡା, ଜିଲ୍ଲା -ଖୋର୍ଦ୍ଧା
ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି ଆଜ୍ଞା ଆପଣ ହୃଦୟ ଭରା ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି
ଆନ୍ତରିକ ଧନ୍ୟବାଦ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ରେ ମୋ ଲେଖା ଟି ସ୍ଥାନ ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ ଏବଂ ହୃଦୟରୁ ଆନ୍ତରିକ ଭଲ ପାଇବା ଏବଂ ସମ୍ମାନ ♥️