#ଡିବିରି
ଡିବିରି
ସନ୍ଧ୍ୟାରାଣୀ ଦାଶ, କୋରାପୁଟ
_______
ଆଜି ସକାଳୁ ବହୁତ ବ୍ୟସ୍ତ ଥିଲା ରୀନା ।ଝିଅ ତା’ର ପ୍ରଥମ ଥର ହଷ୍ଟେଲ ଯିବ। ସେଥିପାଇଁ ତାକୁ ସବୁ ସଜାଡିବାକୁ ପଡୁଛି ଛୋଟରୁ ଛୋଟ ଜିନିଷ।
ମନଟା ତା’ର ଭାରି ଭାରି ହେଇ ଯାଇଥିଲା ଏକଦମ୍।ଆଷାଢ଼ର ବର୍ଷା ବୁନ୍ଦା ଭଳି ବଡ଼ ବଡ଼ ଵରକୋଳିଆ ଟୋପା ଯେମିତି ଆଖି ଭିତରେ ଖୁନ୍ଦି ହୋଇ ରହିଛି।ଟିକେ ଅବସର ମିଳିଲେ ଖସି ଆସିବ ଯେମିତି। ତଥାପି ସେ ସବୁକୁ ପୁରା ଲୁଚେଇ ରଖି କାମରେ ଵ୍ୟସ୍ତ ରଖିଥାଏ ନିଜକୁ। ହଠାତ୍ ମନ ପଡ଼ିଲା ଶୀତ ଦିନ ଆସୁଛି। ଗୋଟେ କମ୍ବଳ ଦରକାର ଝିଅକୁ।।ଦିଵାନ୍ ଭିତରେ ସବୁ ଶୀତ ଦିନିଆ ଲୁଗାପଟା ଭିତରୁ ସବୁଠାରୁ ନରମ କମ୍ବଳଟା ଝିଅ ପାଇଁ ବାହାର କଲା ସେ। କମ୍ବଳ ବାହାର କରୁକରୁ ପାଖରେ ଥିବା ଗୋଟିଏ ସୁନ୍ଦରିଆ କାଠ ବାକ୍ସ ଉପରେ ତା’ର ନଜର ପଡିଲା।ଏ ବାକ୍ସଟିକୁ ସେ ପୁରାପୁରି ଭୁଲି ଯାଇଥିଲା କହିଲେ ଚଳେ।ସେ ଖୁବ୍ ଖୁସିରେ ବାକ୍ହଟିକୁ ଟାଣି ଆଣିଲା ଆଉ ଅତି ଯତ୍ନର ସହ ଖୋଲିବାକୁ ଲାଗିଲା।ଏ ବାକ୍ସ ଭିତରେ ଅଛି କେଉଁ ଅସିଆ କାଳର ମସିଆ ଜିନିଷ, କିନ୍ତୁ ସେ ସବୁ ତ ତା ଜୀଵନଠୁ ଵି ପ୍ରିୟ। ସେଥିରେ ସାଇତା ହୋଇ ରହିଛି ଜେଜେମା ଦିଆ ଗୋଟେ ରୂପା କରାଟ, ପୁଣି ଗୋଟେ ବାଘନଖର ଲକେଟ୍,ଆଉ ସବୁଠୁ ପ୍ରିୟ ତା’ର ତମ୍ଵାରେ ଡିଜାଇନ୍ କରା ଗୋଟିଏ ସୁନ୍ଦର ଡିବିରି।ଓହୋ! ଖୁସିରେ କୁରୁଳି ଉଠିଲା ରୀନା।ଅନ୍ଧକୁ ବାଡି ମିଳିଲା ପରି ତା’ର ଖୁସିର ସୀମା ନ ଥିଲା।
ଡିବିରିକୁ ଦେଖି ହଠାତ୍ ସେ ଭାବନା ମଗ୍ନ ହୋଇଗଲା।ଏଇ ଡିବିରି ଆଲୁଅରେ ସେ କେତେ କେତେ ରାତି କଟେଇ ଦେଇଛି ବହିପତ୍ର ସାଥେ।କାରଣ ଜେଜେମାଙ୍କ ଦେହ ଖରାପ ଯୋଗୁଁ ତାକୁ ତା’ର ବୋଉ ସହ ଗାଁ ରେ କଟାଇବାକୁ ପଡ଼ିଛି ପ୍ରାୟ ଦୁଇ ବର୍ଷ। ସେତେବେଳେ ସେ ନବମ ଶ୍ରେଣୀର ଛାତ୍ରୀ। ବାପାଙ୍କ ଆଦେଶ କ୍ରମେ ସେ ଵିତେଇଛି ତା’ର ନବମ ଓ ଦଶମ ଶ୍ରେଣୀର ସେଇ ଅଖ୍ୟାତ ପଲ୍ଲୀରେ। ବିଜୁଳି ଆଲୋକର ଅଭାବକୁ ପୂରଣ କରିଥିଲା ଏଇ ଡିବିରି।ଏଇ ଆଲୁଅରେ ସେ ପାଠ ପଢି ଫାଷ୍ଟ ଡିଭିଜନରେ ପାସ୍ କରିଥିଲା।
ଦୀର୍ଘ ଦୁଇ ବର୍ଷ ପରେ ସେ ଆଉ ତା ବୋଉ ଫେରିଥିଲେ ସହରକୁ ବାପାଙ୍କ ନିକଟକୁ।ସ୍ମୃତିର ସନ୍ତକ ସ୍ୱରୂପ ସେ ନେଇ ଆସିଥିଲା ଡିବିରିଟିକୁ। ସହରକୁ ଆସି ଉଚ୍ଚ ଶିକ୍ଷା ଲାଭ କରି ଅନେକ ସ୍ୱପ୍ନ ଦେଖି ସାରିଥିଲା ସେ ଭବିଷ୍ୟତ ନିମନ୍ତେ କାରଣ ଏକ ଉତ୍ତମ ଛାତ୍ରୀ ରୂପେ ସେ ପରିଗଣିତ ହେଉଥିଲା ତା’ର କଲେଜରେ। କିନ୍ତୁ ହଠାତ୍ ପାଠପଢାରେ ଡୋରି ବନ୍ଧା ହେଲା।ଭଲ ଘର,ଭଲ ବର ମିଳିଲା ବୋଲି ବାପା ଶୀଘ୍ର ବିବାହ କରିଦେଲେ ତାର।ତା ପରେ କଣ, ସଂସାର ଵନ୍ଧନରେ ବାନ୍ଧି ହୋଇ ସବୁକିଛି ସ୍ୱପ୍ନରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା ତା’ର।ଏମିତି ଭାବୁ ଭାବୁ ଝିଅ ଚିକି ଆସି ତା ପାଖରେ କେତେବେଳୁ ଯେ ଛିଡ଼ା ହୋଇଥିଲା,ସେ କିଛି ବି ଜାଣି ପାରିନି।
ହଠାତ୍ ଚିକିର ଡାକରେ ସେ ପ୍ରକୃତିସ୍ଥ ହେଲା।” ମାମା,କ’ଣ ଏତେ ଭାବୁଛ ଯେ? ମୁଁ ଜାଣିଛି, ମୁଁ ଯିବି ବୋଲି ତୁମେ ଏତେ ମନ ଦୁଃଖରେ ଵସିଛ।ଆଉ,ଏଇଟା କ’ଣ ଧରିଛ ଯେ ହାତରେ? ୟାକୁ ଧରି ଘଣ୍ଟାଏ ହେଲାଣି ବସିଛ?”
ରୀନା କହିଲା,” ଆରେ ମାଆ! ଇଏ ହେଉଛି ଡିବିରି।ୟା ଯୋଗୁଁ ତୋ ମାମା ଆଜି ଶିକ୍ଷିତା ହୋଇ ପାରିଛି।
ଚାକିରି ନ କଲେ ନାହିଁ, ଖୁବ୍ ଗୁଡ଼ାଏ ଜ୍ଞାନ ତ ଅର୍ଜନ କରି ପାରିଛି।ଦୀପ ତଳ ଅନ୍ଧାର ପରି ସେସବୁ ମୋ ଚୁଲି ମୁଣ୍ଡରେ ପଡି ପଡି ପାଉଁଶ ହୋଇ ଯାଇଛି।
ତୁମେ ତ ଆଜିକାଲିର ପିଲା।ବିଜୁଳି ଆଲୁଅ ବିନା ତୁମ ଅନ୍ୟ ଗତି ନାହିଁ। ବିଜୁଳି ନ ଥିଲେ ଇନଭର୍ଟର।ତୁମେ କେଉଁଠୁ ଜାଣିବ ୟାର ମହତ୍ତ୍ଵ??
ସେ ଯାହା ବି ହେଉ,ତୁ କିନ୍ତୁ ମୋର କୋଟିଏରେ ଗୋଟିଏ ମଊଡମଣି ହୋଇ ବାହାରିଵୁ,ସେ ଶପଥ ତୁ ଆଜି ମୋ ସାମ୍ନାରେ କର।
ଏ ଡିବିରି ହେଉ ମୂକ ସାକ୍ଷୀ ତୋର ଶପଥର।ମନ ଦେଇ ପାଠ ପଢ଼ିବୁ ଆଉ ତୋ ଜ୍ଞାନର ଆଲୋକରେ ପୁରା ସଂସାରକୁ ଆଲୋକିତ କରିବୁ।ମୋ ଭଳି ଚୁଲି ମୁଣ୍ଡରେ ତୋ ଜ୍ଞାନକୁ ଜଳାଞ୍ଜଳି ଦେଵୁନି।”
କର,ଶପଥ କର ମା…..
ଚିକିର ଆଖିରେ ଲୁହ ଭର୍ତ୍ତି।ସେ ତା ମାମାକୁ ଯୋରରେ କୁଣ୍ଢେଇ ଧରି ସେଇ ଲୁହ ଛଳଛଳ ଆଖିରେ ଶପଥ କଲା,’ ହଁ,ମାମା, ମୁଁ ପ୍ରମିଜ୍ କରୁଛି , ମୁଁ ମନ ଦେଇ ପାଠ ପଢିଵି ଆଉ ତୁମ ନାଁ ରଖିବି।”
ସୁନ୍ଦର ଗଳ୍ପ
ବହୁତ ବହୁତ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ବହୁତ ସୁନ୍ଦର ଭାବରେ “ଡିମ୍ବିରି” ଗଳ୍ପକୁ ଲେଖିଛନ୍ତି