🌹 ଶରଶଯ୍ୟା ଜୀବନ🌹
ଡ଼ଃ ଲଷ୍ମୀକାନ୍ତ ଦାଶ
ଶରଶଯ୍ୟା ଭାବେ ମଣିଷ ବଞ୍ଚିଛି
ସ୍ମୃତିକୁ ନିଜର କରି
ଉଦବେଳିତ କରେ ଅତୀତ କାହାଣୀ
ନିଃଶବ୍ଦରେ କୋହ ଭରି ।।
ଚେତନାର ଦୃଶ୍ୟ ଉହ୍ୟ ହୋଇଅଛି
ଦିବ୍ୟତ୍ବ ପାଇବା ପାଇଁ
ବ୍ୟତିକ୍ରମ ହୁଏ ଛିନ୍ନ ସମ୍ବେଦନୀ
ପ୍ରତିଘାତ ବ୍ୟଥା ଦେଇ ।।
ଆକାଂକ୍ଷିତ ମନ ପ୍ରତିଶୃତି ପାଇ
ଅନ୍ତଃସିକ୍ତ ହେଉଥାଏ
ସ୍ବପ୍ନର ମନକୁ ବାସ୍ତବ କରିବ
କ୍ଷତାକ୍ତ ଯନ୍ତ୍ରଣା ପାଏ ।।
ଅନାବିଳ ପ୍ରେମ ଇତିହାସ ହୁଏ
ମନ ଭୂଗୋଳରେ ଯାଇ
ଅସହିଷ୍ଣୁ ଭାବ ତାଚ୍ଛଲ୍ୟ କରୁଛି
ଅନୁଚ୍ଚାରିତ ପ୍ରଶ୍ନ ପାଇ ।।
ଗଣ୍ଠିଯେ ପଡିଛି ଶ୍ରେଷ୍ଠ ସମ୍ପର୍କରେ
ଆତ୍ମମ୍ଭରିତାର ପାଇଁ
ସ୍ନେହ ପାରିଜାତ ଅଲୋଡ଼ା ତା ପାଇଁ
ଅବୁଝା ବାଖ୍ୟାକୁ ନେଇ ।।
ଜୀବନ ପୃଷ୍ଠାକୁ ଲେଉଟାଏ ଖାଲି
ଅସନ୍ତୋଷ ମନ ନେଇ
କର୍ମର ଉତ୍ତର ପାଉନି ଶଯ୍ୟାରେ
ଭାବୁଅଛି ମନ ଦେଇ ।।
ସମସ୍ତ ଜୀବନ ଶୂନ୍ୟମୟ ହୁଏ
ଜୀବନର ଗଣିତରେ
ଯୋଗ ବିୟୋଗ କୁ କରିଛି ସମାନ
ଶରଶଯ୍ୟା ଜୀବନରେ ।।
ଡ଼ଃ ଲଷ୍ମୀକାନ୍ତ ଦାଶ
…… ସମାପ୍ତ……
228 total views, 1 views today