ବାପା
ରୁଦ୍ର ନାରାୟଣ ଦାଶ
********************************
ଅନାଇଥିଲି ଝରକାବାଟେ
ବାହାରେ ପଡ଼ୁଥିବା ବର୍ଷାର
ଅଗଣିତ ବିନ୍ଦୁକୁ
ଗଣିବାର ଚ଼େଷ୍ଟାରେ,
ତାଙ୍କ ମୁଣ୍ଡରେ ପଡ଼ି
ନିଗିଡ଼ି ଯାଉଛନ୍ତି କପାଳ ଦେଇ
ଦାଉ ସାଧୁଛନ୍ତି ତାଙ୍କ ଭାଗ୍ଯରେ
ଟିକି ଟିକି ଅକ୍ଷର ବିନ୍ଦୁ
ଲେଖି ହେଇ ଚ଼ାଲିଯାଉଛନ୍ତି
ବିରାଟ ମହାସାଗରର ରଚ଼ନାର୍ଥେ..।
ଆକାଶର ବକ୍ଷରେ ଦେଖୁଥିଲି
ଚ଼ମକୁଥିଲେ ବିଜୁଳି
ଭାଗ୍ଯ ଚ଼ମକିବା ପରି
ମାତ୍ର;
ହାୟ!
ଆଲୋକର ସେହି ସୁଖ ଟିକେ
ଛିଣ୍ଡିପଡୁଥିଲେ ଘଡ଼ଘଡ଼ି ହୋଇ
ତାଙ୍କ ମୁଣ୍ଡ ଉପରେ..।
ମାଆର ସେ ଆଣ୍ଠୁଗଣ୍ଠି ପୀଡ଼ାର
ମଲମ ହେଇ କରୁଛନ୍ତି ସବୁ କାମ
ସେ ଟିକି ଚ଼ାଳ ଘରେ
ଚୁଲ୍ଲୀ ପାଖରେ ଦେଖୁଥିଲେ
ହଁ,
ଦେଖୁଥିଲେ ପୋଡ଼ିଯାଇଥିବା
ତାଙ୍କ ଅତୀତର ସ୍ବପ୍ନ ସବୁକୁ।
ପୁଣି ଅନାଇ ଦେଉଥିଲେ
ପାଖରେ ରୁଟି ପଟେ ପାଇଁ ବସିଥିବା
ଅଭିଆଡ଼ୀ ଝିଅର ଖାଲି ପଡ଼ିଥିବା ସିନ୍ଥି
ନିଶ ଉଠା ପୁଅର ଲୁଣାଜୁଆର ରେ
ଧୋଇଯାଇଥିବା ଭବିଷ୍ଯତକୁ
ଜକେଇ ଆସୁଥିଲା ଲୁହ
ହଁ,
ଯେ ନାହିଁ ସେ ଭାବିନେବ
ଚୁଲ୍ଲୀର ସେ ଗରମ ଧୂଆଁରୁ ବାହାରୁଛି ପାଣି
ସୁଁ ସୁଁ ହେଇ ନାକ ଭିତରୁ
ଖାଲି ବାହାରିଗଲା କୋହଭରା କଣ୍ଠରେ
ଆଃ! ଧୂଆଁ।
ମାତ୍ର;
କେ ବା ଜାଣେ
ପାଣିରେ ମିଶିଥିବା ସେ ତିକ୍ତ ଅନୁଭୂତି
ଆଉ କଟା ଘାଆରେ ଛିଞ୍ଚା ଯାଇଥିବା ଲୁଣ
ଆହା, କେତେ କଷ୍ଟ ସତେ!
ସାଧବ ବୋହୂ ଆସିବା ପରି
ଆସୁଛନ୍ତି ନବାଗତ ଅତିଥି
ଆଉ ଯାଉଛନ୍ତି ନିଜ ରକ୍ତ-ରଙ୍ଗ ଦେଖାଇ,
“କେବେ ଚ଼ାଳଘର ଛପର କରିନେ
ଆଉ କ’ଣ କଲୁ ତୋ ଜୀବନରେ
କୋଠାଟେ କର ଆମ ଭଳି”
ଇତ୍ଯାଦି..।
ଦୋକାନରେ,
ଏ ଜିନିଷଟା ଭଲ ପଡ଼ିଲାନି ଶୁକୁଟା
ଏତେ କ’ଣ ନଉଛୁ
ତୋ ପୁଅଟା ଏବେ କ’ଣ କରୁଛି କିରେ
ଝିଅଟାକୁ ଉଠେଇ ଦେ
ଆଉ କେତେ ଦିନ ରଖିବୁ
ବେଧଡକ ଶରର ଶିକାର।
ଘାଇଲା ହୋଇ ବି
ସଂସାର ର ନାଆକୁ ଶାନ୍ତିରେ ଚ଼ଳାଇ
ସେ କୂଳରେ ଲଗାଇବାର ପ୍ରୟାସରେ
ସେହି ଚାଳଘରେ, ଦୋକାନରେ,
କ୍ଷେତରେ, ଚୁଲ୍ଲୀ ପାଖରେ
ବସି ଅହରହ ଯନ୍ତ୍ରବତ ଚ଼ାଲୁଥିବା
ମଣିଷଟିଏ….
ବାପା।
ରୁଦ୍ର ନାରାୟଣ ଦାଶ