ସାଥୀ ଜନ୍ମ ଜନ୍ମାନ୍ତର ର
ଜାନକୀ ମହାନ୍ତ
*************************
ରକ୍ତିମ ଓଷ୍ଠର ନାଲି ରଙ୍ଗ ମୋର
ଗାଲରୁ ତ ପୋଛି ଦେଲ,
ହୃଦୟ ରେ ଥିବା ଦାଗକୁ ତୁମର
ପୋଛି କି ପାରିବ ବୋଲ ?
ମୋ’ ଦେହ ବାସ୍ନାକୁ ତୁମ ମନ ଝରେ
ଜଳେ ଧୋଇ ସଫା କଲ,
ମନ ମନ୍ଦିରର ସ୍ମୃତି ଫରୁଆରୁ
ମୋତେ କି ଭୁଲି ପାରିଲ?
ସିମନ୍ତେ ସିନ୍ଦୂର ନାଲି ଶଙ୍ଖା ମୋ’ର
ଆଉ କାହା ହାତେ ଦେଲ,
ଏଇ ଜନମରେ ହେବକି ନା ଦେଖା
ଲକ୍ଷ୍ମଣ ରେଖା ଟାଣିଲ ।।
ନିର୍ଜନ ନିଶୀଥେ ତମିସ୍ରାର ତୀରେ
ପ୍ରୀତି ଭିଜା ଜହ୍ନ ରାତି,
ସପନ ପିୟାସୀ ଏ ମନ ପ୍ରେୟସୀ
ତୁମେ ମନେ ପଡ଼ ସାଥି ।।
ତୁମେ ଆକର୍ଷଣ ତୁମେ ଆକାଙ୍କ୍ଷିତ
ମୋ’ ଇପ୍ସିତ ଅଭିସାର,
ଭିଜା ଶୃଙ୍ଗାରର ତନୁ ମନ ସିକ୍ତ
କଳ୍ପ ବାଞ୍ଛାନିଧି ମୋର ।।
ସଦା ଖୁସି ରୁହ ସଦା ହସୁ ଥାଅ
ଏତିକି କାମନା ମୋର,
ମୋ ମନ ଅଳିନ୍ଦେ ସ୍ମୃତି ହୋଇ ରୁହ
ସାଥି ଜନ୍ମ ଜନ୍ମାନ୍ତର ।।
ଜନକୀ ମହାନ୍ତ