// କୁହୁକ ତାନ //
ଜାନକୀ ମହାନ୍ତ
***************************
କୋଇଲିର ତାନ ମିଠା କୁହୁ ଗାନ
ଯଦିଓ ତା’ରଙ୍ଗ କଳା,
ବଗତ ଅଟଇ ଶ୍ୱେତ ବର୍ଣ୍ଣା ସେଇ
ତା’ପାଖେ ନାହିଁ ସେ’କଳା ।।
ପଳାଶ କୁସୁମ ଅତି ମନୋରମ
କିନ୍ତୁ ବାସ ନାହିଁ ତା’ର,
ମଲ୍ଲୀ ଫୁଲ ଟିଏ ବାସ ଚହଟାଏ
ସଭିଙ୍କୁ କରେ ବିଭୋର ।।
କସ୍ତୁରୀର ନାଭି ଭିତରେ ସୁରଭି
ରହିଥାଏ ଲୁକ୍କାୟିତ,
ଶାମୁକା ଗର୍ଭରେ ସୁପ୍ତ ଅବସ୍ଥାରେ
ମିଳଇ ମୁକ୍ତା ଗର୍ଭସ୍ଥ ।।
ବହୁରୂପୀ ରଙ୍ଗ ବଦଳାଏ ଢଙ୍ଗ
ଭିନ୍ନ ଭିନ୍ନ ତା’ର ବେଶ,
ତା’ଲାଗି ସତର୍କ ରୁହ ସବୁ ଲୋକ
ସ୍ୱାର୍ଥ କରେ ନରେ ଗ୍ରାସ ।।
ତୁମେ ମୋ’ର ସାଥି ସୌମ୍ୟ ଶାନ୍ତି କାନ୍ତି
ସ୍ୱଚ୍ଛ ତୁମ ତନୁ ମନ,
ଅପୂର୍ବ ଚାହାଁଣୀ ପ୍ରେମର ରାଗିଣୀ
ତୁମ ପ୍ରୀତି ସମ୍ମୋହନ ।।
ଭୁଲି ନାହିଁ କେବେ ନ ଭୁଲିବି ଯେବେ
ଯାଏଁ ଥିବ ପିଣ୍ଡେ ପ୍ରାଣ,
ତୁମ ପାଇଁ ଧନ ନେବି ଶତ ଜନ୍ମ
ଆତ୍ମା କହେ ପ୍ରିୟ ଶୁଣ ।।
ଜାନକୀ ମହାନ୍ତ