✨ବଦମାସ୍ ପ୍ରେମିକ ✨
ସ୍ରୋତସ୍ବିନୀ ପରିଡା
******************************
ତୁମେ ତ ସେଇ
ଯାହା ପାଇଁ ଧକ୍କା ହୁଏ
ଭାବନାର ସୌଧ ସହ
ବାରମ୍ବାର,ପ୍ରତିଥର
ଆଉ ପ୍ରତି ମୁହୂର୍ତ୍ତରେ।
ତୁମେ ତ ସେଇ ନଈ
ଯାହାର ବିସ୍ତୀର୍ଣ୍ଣ ବାଲି
ଲମ୍ବିଛି ବହୁଦୂର
ଅସୀମ ବିସ୍ତାର ରୁ
ମୁଁ ପାଇଛି ବାସ୍ କାଣିଚାଏ।
ତୁମେ ସେଇ ଅଜଣା ସ୍ପର୍ଶ
ଯାହା ଟାଣିନିଏ ଅନତି ଦୂରକୁ
ପାଖକୁ, ବହୁ ନିକଟକୁ
ଏ ସ୍ପନ୍ଦନର ପରିପାଟୀ ରେ
ଧରିରଖେ ତୁମକୁ।
ତୁମେ ତ ସେଇ ପକ୍ଷୀ
ଯିଏ ନିଡ ତୋଳିବା ବାହାନାରେ
ଉଡିଯାଇଛି ବହୁ ଦୂର
ସମ୍ପର୍କ ର ସୂତା ଖିଅ
ଏ ମନକୁ ଧରିଛି ଜାକି।
ତୁମେ ସେଇ ଦୂର ପାହାଡ଼
ଯାହାକୁ ଦେଖୁଛି ନିଇତି
ନିଜକୁ ଅବାନ୍ତର ପ୍ରଶ୍ନ କରି
ଲମ୍ବିବାକୁ ଚେଷ୍ଟା କରେ
ସେ ପାର୍ଶ୍ବ ର ଅନତି ଦୂରକୁ।
ତୁମେ ତ ସେଇ ବାସ୍ନା
ଯାହାର ମହକ ଅନନ୍ୟ
ଅଦିନର ବନ୍ୟା ପରି ମାଡ଼ି ଆସ
ନିଜ ଅଧୀନରେ ଧରିରଖ
ଜାହିର କରି ନିଜତ୍ବ।
ତୁମେ ସେଇ ବଦମାସ୍ ପ୍ରେମିକ
ଯିଏ ସଜେଇଛି ମୋତେ ଭାବୁକ
ହୃଦୟରେ ତୋଳିଛ
ଅସଂଯତ ଭାବନାର ଘର
ମୁଁ ଆଜି ବି ଖୋଜେ ଠିକଣା ତୁମର।
– ସ୍ରୋତସ୍ବିନୀ ପରିଡା✍️
196 total views, 1 views today
Heya i am for the first time here. I came across this boardand I find It truly helpful & it helped me out a lot.I hope to provide something back and help others such as you helped me.