*ବୟସର ଅପରାହ୍ନେ*
ଭାସ୍କର ରାଉତ
ପିଲାଦିନ କଥା ଲାଗେ ଭାରି ମିଠା
ଯେବେ ପଡ଼ିଯାଏ ମନେ
ଚୁପିଚୁପି ଆସି ପାଖେ ବସି ହସି
କହୁଥାଏ କାନେ କାନେ।
ଶିହରି ଉଠଇ ତନୁ,
ଯେତେ ଚେଷ୍ଟାକଲେ ଦୂରେଇ ରହିଲେ
ନଲିଭଇ କେବେ ମନୁ।।
ବୟସର ସାଥେ ଚାଲି ନିଜ ପଥେ
ହୁଅନ୍ତି କେତେ ଅନ୍ତର
ଦେଖ ଆଉ କେତେ ରହିଣ ସଙ୍ଗତେ
ଗଢ଼ନ୍ତି ସୁଖ ସଂସାର।
ଝଡ଼ ଝଞ୍ଜା ସହି ସହି,
ଅତୀତର ସ୍ମୃତି ଭୁଲିସେ ଯାଆନ୍ତି
ମନେ କିଛି ପଡ଼େନାହିଁ।।
ରହିଲେ ଦୂରେଇ ମନେ ଆସୁଥାଇ
ଅତୀତର ସେଇ କଥା
କିଛି ଦିଏ ସୁଖ କିଛି ଦିଏ ଦୁଃଖ
ସେହି ଅଭୁଲା ବାରତା।
ଲୁଚାଇ ରଖେ ତାହାକୁ,
ଅତି ଆପଣାର ଜନଟା ତାହାର
ନଜାଣେ ସେହି କଥାକୁ।।
ଅକସ୍ମାତ କେବେ ଦେଖାହୁଏ ଯେବେ
ଦୁହେଁ ଦୁହିଁଙ୍କୁ ଚାହିଁଣ
ପାଷାଣ ସ୍ବରୂପ ଉଭୟଙ୍କ ରୂପ
ନିଶ୍ଚଳ ସାଥେ ମଉନ।
ମଉନ ଭାଙ୍ଗିଣ କହେ,
ପିଲାଦିନେ କେତେ ଧୂଳି ଖେଳ ସାଥେ
ମିଶି ଖେଳୁଥିଲେ ଦୁହେଁ।।
ଖରାବେଳେ ଆମ୍ବ ତୋଟାର ଛାଇରେ
ମିଛ ବାହାଘର ଖେଳ
ବର କନିଆଁର ବେଶରେ ସଜାଇ
ପକାନ୍ତି ସେ ଫୁଲମାଳ।
ଦିନେ ସେହି ଫୁଲହାର,
ଦୁହିଁଙ୍କ ଜୀବନ ମଝିରେ ପଶିଣ
କରାଇ ଦେଲା ଅନ୍ତର।।
ଦୁହେଁ ଦୁହିଁଙ୍କଠୁ ଅନ୍ତର ହୋଇଲେ
ଦୁହିଁଙ୍କ ଶୁଭ ମନାସି
ଅତୀତ ସ୍ମୃତିକୁ ନଫିଙ୍ଗି ତାହାକୁ
ବଞ୍ଚିଲେଯେ ହସିହସି।
ବୟସର ଅପରାହ୍ନେ,
ଦୁହେଁତ ଦୁହିଁଙ୍କୁ ସମ୍ମୁଖେ ପାଇଣ
ଲୋତକ ଝରେ ନୟନେ।।
************
ଭାସ୍କର ରାଉତ