ଅକ୍ଷର ବ୍ରହ୍ମ (ସ୍ବର ବର୍ଣ୍ଣ)
—————————
ବିଶ୍ୱେଶ୍ୱର ମାଝୀ
*****************
ଅଜନ୍ମା ଅଚ୍ୟୁତ ଅନନ୍ତ ଅବ୍ୟକ୍ତ
ଅଘାବକାସୁର ଅରି
ଅମର ଅର୍ଚ୍ଚିତ ଅଭୀଷ୍ଟ ଦାୟକ
ଅନ୍ନପୂର୍ଣ୍ଣା ନାଥ ହରି।
ଆରତ ନାଶନ ଆପଦ ଭଞ୍ଜନ
ଆନ କିଏ ତବ ସରି
ଆକାଶରୁ ଝରି ଆଶୀର୍ବାଦ ବାରି
ଆପଣଙ୍କ ନାମ ସ୍ମରି।
ଇ’କାର ବିଶିଷ୍ଟ ଇଶାନାଦି ଇଷ୍ଟ
ଇଛନ୍ତି ଚରଣାମୃତ
ଇଛାରେ ଜଗତ ଇଷ୍ଟ ଅଭିପ୍ରେତ
ଇଛୁକ ବର୍ଣ୍ଣିବି ଗୀତ।
ଈଶାନ ତ୍ର୍ୟମ୍ବକ ଈଶ ଚତୁର୍ମୁଖ
ଇନ୍ଦ୍ର ଯା’ର ପଦେ ଧ୍ୟାନ
ଇପ୍ସିତ ଅବଶ୍ଯ ଇହକାଳେ ଦୃଶ୍ଯ
ଇଷ୍ଟ ହୋଇବ ପ୍ରସନ୍ନ।
ଉଦ୍ଭବ କାରକ ଉତ୍କର୍ଷ ଦାୟକ
ଉତ୍ପତ୍ତି ପାଳନାନ୍ତକ
ଉଟଜ ଧାରକ ଉଦକ ମୋଦକ
ଉଷା ସନ୍ଧ୍ୟା ପ୍ରଦାୟକ।
ଊର୍ଣ୍ଣନାଭ ସମ ଉତ୍ପୀଡକ ଯମ
ଉଦାନ ବ୍ୟାନ ସମାନ
ଊର୍ଦ୍ଧ୍ବରେତା ଋଷି ଊର୍ଦ୍ଧ୍ବମୁଖେ ବସି
ଉଷତେ କରନ୍ତି ଧ୍ୟାନ।
ଋଷି ମୁନି ଜନେ ଋଚି ଅନୁଗମେ
ଋପି ମନେ ତବ ନାମ
ଋକ ଯଜୁ ସାମ ଋଚିର ଅଥର୍ବ
ଋପେ ଧର୍ମ ଅର୍ଥ କାମ।
ଏକ ମୁଖ ହୋଇ ଏକାନ୍ତରେ ରହି
ଏ ନାମ କରିବି ଗାନ
ଏକାନ୍ତ କାମନା ଏକହିଁ ଭାବନା
ଏତଦ୍ ବିନା ନାହିଁ ଆନ।
ଐରାବତ ଗତି ଐଶ୍ୱର୍ଯ୍ୟ ପ୍ରାପତି
ଐକାନ୍ତିକେ ମନୁ ତେଜି
ଐକତାନେ ହରି ଐଶ୍ୱର୍ଯ୍ୟ ନିବାରି
ଐଶୀ ଶକ୍ତି ଚିତ୍ତେ ସୃଜି।
ଓଁକାର କାରକ ଓଁକୃତି ଧାରକ
ଓତପ୍ରୋତେ ବିଜଡିତ
ଓଜ ତେଜ ଭାଜି ଓଁକାରରେ ମଜ୍ଜି
ଓଁ ହ୍ରିଂ କ୍ରିଂ ତତ୍ତ୍ବ।
ଔଷଧ ସାଜିବ ଔରସ ନ ଦେବ
ଔଦ୍ଧତ୍ୟ ହରିବ ନାଥ
ଔଷଧୀଶ ପ୍ରଭୁ ଔଦାର୍ଯ୍ୟ ପ୍ରଭାବୁ
ଔଷଧ ବୈଷ୍ଣବେ ଗୀତ।
ବିଶ୍ୱେଶ୍ୱର ମାଝୀ
551 total views, 1 views today