*ସମୟର ଆଗେ ସବୁ ଦୁର୍ବଳ!*
****************************
ସୀମାଞ୍ଚଳ ପଣ୍ଡା
***********
ବିଳାସରେ ମୋହ ଜାଣ ଆତ୍ମଦାହ
ରୋଗ ଆବାହନ ନକର ଜାଣି,
ଶ୍ରମରେ କାତର ଅଜ୍ଞାନ ବିଚାର
ମଣ ଜୀବନର ପରଶ ମଣି।
ଶ୍ରମ କଦାଚନ ମଣ ନାହିଁ ହୀନ
ବଳରେ ତାହାର ହୁଅ ମହାନ,
ଆଳସ୍ୟ ବ୍ୟସନ କର ବରଜନ
ବେଳରେ ବଳର ବଢ଼ାଅ ମାନ,
ହୁଅ ପରିଶ୍ରମୀ ଜୀବନେ ସଞ୍ଜମୀ
କରମ କାରଣେ ସୃଷ୍ଟି ଧରଣୀ,
ବିଳାସରେ ମୋହ ଜାଣ ଆତ୍ମଦାହ
ରୋଗ ଆବାହନ ନକର ଜାଣି।
କର୍ମ ପାଇଁ ଜନ ମରତେ ଜନମ
କର୍ମ ଏକା ତା’ର ପରାଣ ନିଧି,
ନରୋଚିତ କର୍ମ ସାଂସାରିକ ଧର୍ମ
କରି ପାରିହେବ ଭବ ବାରିଧି।
କରିଗଲେ ହେଳା ବୁଡ଼ି ଯାଏ ଭେଳା
ଖେଳ ଭାବ ନାହିଁ ଜୀବନ କାଳ,
ହେଉ ମହାବଳୀ କାଳେ ହୁଏ ଦଳି
ସମୟର ଆଗେ ସବୁ ଦୁର୍ବଳ,
କର ପରିଶ୍ରମ ମାନବର ଧର୍ମ
ଜୀବନ ସୁଗମ ସୁପଥ ଜାଣି,
ଶ୍ରମରେ କାତର ଅଜ୍ଞାନ ବିଚାର
ମଣ ଜୀବନର ପରଶ ମଣି।
ଶ୍ରମ କରି ଜନ ଲଭ ଧନ ମାନ
ସରାଗେ ଚଳାଅ ଜୀବନ ରଥ,
ଜୀବନର କାଳ ଭାଳ ଅନୁକୂଳ
ଆଗେ ଯାଅ ଚଳି ଖୋଜି ସୁପଥ।
**************************
ସୀମାଞ୍ଚଳ ପଣ୍ଡା
******************