ସତ୍ୟର ଉହାଡରେ
ବନଲତା ଜାଲି
*************************
ଜୀବନ ଯେଉଁଠି ପବନର ଖେଳ
ଶରୀର ମୁଠେ ପାଉଁଶ
ସମ୍ପତ୍ତି ହେଉଛି କିଛି ହାତ ଭୂଇଁ
ଯୁଇ ନିଆଁ ଅବଶେଷ
ତଥାପି ମଣିଷ ମନରେ କାହିଁକି ?
ଏତେ ଲୋଭ,ଅବଶୋଷ ।।
ମରଣ ଯେଉଁଠି ଶେଷ ସୀମାରେଖା
ଶ୍ମଶାନ ସବୁରି ସାଥୀ
ବାର୍ଦ୍ଧକ୍ୟ ହେଉଛି ଅଚଳାବସ୍ଥାର
ନିଶ୍ଚିତ ଜ୍ଜ୍ବଳନ୍ତ ସ୍ଥିତି
ତା’ସତ୍ତ୍ବେ ମଣିଷ ନିଜ ବଡିମାର
ଛାଡି ପାରୁନାହିଁ ଭ୍ରାନ୍ତି ।।
ଯୌବନ ଯେଉଁଠି ମଉଳା କୁସୁମ
ସୌନ୍ଦର୍ଯ୍ୟ ଓ ରଙ୍ଗହୀନ
କାମନା ଅଟଇ ଅସରନ୍ତି ଦୁଃଖ
ଅଶାନ୍ତିର ପ୍ରଜ୍ଜ୍ଵଳନ
ସବୁ ଜାଣିଶୁଣି ମଣିଷ ହୁଅଇ
ଆସକ୍ତିରେ ମ୍ରିୟମାଣ ।।
ସପନ ଯେଉଁଠି ମରୁ ମରିଚିକା
ହତାସର ଉଷ୍ଣ ବାଲି
ଆଶା କେବେ ହେଲେ ହୁଏନି ପୂରଣ
ବହୁଦୂରେ ଯାଏ ଚାଲି
ତଥାପି ମଣିଷ ନିଜ ସ୍ବାର୍ଥ ପାଇଁ
ଅନ୍ଯକୁ ଦିଅଇ ଠେଲି ।।
ନମ୍ରତା ଯେଉଁଠି ସବୁ ସମାସ୍ଯାର
ସମାଧାନର କାରଣ
ମମତା ପାଖରେ କ୍ଷମତା ହାରଇ
ଏକଥା ଅଛି ପ୍ରମାଣ
ମଣିଷ ଚାହିଁଲେ ଅଚିରେ ହୋଇବ
ସୁସ୍ଥ ସମାଜ ନିର୍ମାଣ ।।
ବନଲତା ଜାଲି
152 total views, 1 views today