ଧରିତ୍ରୀ ଦିବସ
କ୍ଷିତି ଆପ ତେଜ ମରୁତ ବ୍ୟୋମ ପଞ୍ଚଭୂତ ଜାତ ଦେହୀ
ମୃତ୍ୟୁ ପରେ ସେଇ ପଞ୍ଚଭୂତେ ମିଶିଯିବ ଏ ଶରୀର କହି।
ଅଖଣ୍ଡ ମଣ୍ଡଳ ବ୍ରହ୍ମାଣ୍ଡ ଆମର ତହିଁରେ ଆମ ମେଦିନୀ
ଜଳବାୟୁ ବୃକ୍ଷଲତା ପଶୁପକ୍ଷୀ ସମାହାର ତା’ର ଘେନି।
ସ୍ଥାବର ଜଂଗମ ସାଗର ସଙ୍ଗମ ନଦନଦୀ ସବୁଜିମା
ପର୍ବତ ଝରଣା କାନ୍ତାର କେଦାର ମରୁଭୂମି ବ୍ୟାପି ଭୂମା।
ତୁଷାର ପାତରେ ବରଷା ଶୀତରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ
ଜୀବଜଗତର ପରମ ବାନ୍ଧବ ବୃକ୍ଷ ସେବା ଅହରହ।
ଅଙ୍ଗାରକାମ୍ଳକୁ ଶୋଷି ଯୋଗାଏ ସେ ଅମ୍ଳଜାନ ଆମ ପାଇଁ
ଦିଏ ଫୁଲ ଫଳ ଡାଳ ହୁଏ ଜାଳ ପଥିକକୁ ଛାୟା ଦେଇ।
ହରିତ ଧରିତ୍ରୀ ବରଷାକୁ ଡାକେ ବାଦଲ ଆସେ ଓହ୍ଲାଇ
ଶୀତର ଶୀତଳ କାକର ହେମାଳ ଶସ୍ଯ ରାଜି ଉପୁଜାଇ।
ଜଂଗଲ ବଢିଲେ ବରଷା ବଢିବ ନଦୀନାଳ ହେବ ପୁର୍ଣ୍ଣ
କାନନ କେଦାର ସବୁଜିମା ଭରି ଫସଲ ଫଳିବ ସ୍ୱର୍ଣ୍ଣ।
ଧରଣୀର ଶ୍ରେଷ୍ଠ ଜୀବ ମନୁ ପୁତ୍ର ହୋଇଛି ଉମରମତା
ପାହାଡକୁ ଭାଙ୍ଗି ଜଙ୍ଗଲକୁ କାଟି ଜଣାଇ ଦିଏ ତା ସତ୍ତା।
ହିଂସ୍ର ପଶୁ ଭୟେ ଜନପଦ ସୃଷ୍ଟି କରିଥିଲା ଏ ମନୁଷ୍ୟ
ମଣିଷ ଡରରେ ସେହି ହିଂସ୍ର ଆଜି ସନ୍ଦିହାନ ତା ଭବିଷ୍ୟ।
କୀଟନାଶକର ବହୁଳ ପ୍ରୟୋଗ ଆଧୁନିକ ଯନ୍ତ୍ରପାତି
ବାୟୁମଣ୍ଡଳରେ ଓଜୋନ ସ୍ତରକୁ ହ୍ରାସ କରେ ଦିବାରାତି।
ଆଣ୍ଟାର୍କର୍ଟିକାରୁ ବରଫ ତରଳେ ବଢୁଛି ସାଗର ସ୍ତର
ସୁନାମି କ୍ୟଟ୍ରିନା ଫାଇଲିନ୍ ହୁଡହୁଡ୍ ତିତ୍ଲି ଫୋନିର ଡର।
ଉତ୍ତରାଖଣ୍ଡରେ ଭୁସ୍ଖଳନ ପୁଣି ଭୁଜ ର ଭୂମିକମ୍ପ
ବିପର୍ଯ୍ୟସ୍ତ ଆମ ସୁନ୍ଦର ପୃଥିବୀ ପ୍ରଳୟେ ହୁଏ ପ୍ରକମ୍ପ।
*ଅପ୍ରେଲ ବାଇଶ ଧରିତ୍ରୀ ଦିବସ* ଦିନେ ପକାଇବା ମନେ
ମାଟିମାଆ କୋଳେ ଶରୀର ମିଶିବ ଶେଷ ଠିକଣା ଶ୍ମଶାନେ।
ବିବେକ ବିଚାର ସମ୍ପଦ ଆମର ପ୍ରଗତି ନିଶାରେ ମତ୍ତ
ସନ୍ତୁଳିତ କରି ଆଗକୁ ବଢିଲେ ପରିବେଶ ସୁରକ୍ଷିତ।
ବିଶ୍ୱେଶ୍ୱର ମାଝୀ
@ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ।