ଦେବଦୂତ ବାବୁଲା
ବର୍ଷାରେ ଭିଜି ଭିଜି ଚଣା ପାଇଁ ଅଳି କରୁଥିବା ଭୋକିଲା,ଲଙ୍ଗଳା ପାଞ୍ଚ ଛଅ ବର୍ଷର ଶିଶୁ ବାବୁଲା,ଯେମିତି ବାସ୍ତବ ଦୁନିଆକୁ ବାହାରିଆସିଛି। ବର୍ଷାରେ ଭିଜି ସ୍କୁଟର ପାଖକୁ ଆସିବା ବେଳେ ପୋଟ୍ରେଟ୍ ପାଣିରେ ପଡ଼ିଯାଇଛି । ସଙ୍ଗେ ସଙ୍ଗେ ଲୋକମାନେ ଘେରିଗଲେ ବାବୁଲାକୁ, ଆଉ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଲେ “କିଏ ତୁ ? କଉଠି ତୋ ଘର ? ” ବାବୁଲା କିନ୍ତୁ ନୀରବ ଥାଏ ।ଯେତେ ଯିଏ ଯାହା ପଚାରିଲେ ବି କାହାକୁ କିଛି କହୁ ନଥାଏ। ବଲ ବଲ କରି କେବଳ ଯାହା ସମସ୍ତଙ୍କ ମୁହଁକୁ ଚାହିଁରହିଥାଏ । ହଠାତ୍ ସୁରମା ମ୍ୟାଡ଼ାମ୍ ଦୌଡ଼ି ଦୌଡ଼ି ଆସି ସଙ୍ଗେସଙ୍ଗେ ବାବୁଲାକୁ ପୋଟ୍ରେଟ୍ ପାଣିରୁ ବାହାର କଲେ । ପାଖକୁ ଭିଡ଼ି ଆଣି ଜାବୁଡ଼ି ଧରିଲେ , ଆଉ ପଚାରିଲେ ବାବୁରେ.. ତୋର କିଛି ହୋଇନି ତ ? ତୁ ଠିକ୍ ଅଛୁ ତ ? ନିସ୍ତେଜ ମନରେ ପିଲାଟି ଚାହିଁରହିଥାଏ ତାଙ୍କ ମୁହଁକୁ, ତାଙ୍କ ଭିତରେ ଥିବା ମମତ୍ଵବୋଧକୁ ସ୍ପଷ୍ଟ ରୂପେ ବାରିପାରୁଥାଏ ବାବୁଲା..। ଆଖିରୁ ତା’ର ଝରି ପଡୁଥାଏ ବୁନ୍ଦା ବୁନ୍ଦା ଲୁହର ଧାର ।
ସୁରମା ମ୍ୟାଡ଼ାମ୍ ପଚାରିଲେ, “କିରେ,ତୋ ଘର କଉଠି ? ୟା ଭିତରେ ପଡିଲୁ କେମିତି ତୋ ସହ ଆଉ କିଏ ଆସିଛନ୍ତି ନା ତୁ ଏକୁଟିଆ,ତୋ ମା’ , ବାପା କାହାନ୍ତି..?” ପିଲାଟି ଉତ୍ତରରେ କେବଳ ଗୋଟିଏ ପଦ କହିଲା “ମୁଁ ଅନାଥ”। ଏକଥା ଶୁଣି ମ୍ୟାଡ଼ାମ୍ ସ୍ତବ୍ଧ ହୋଇଗଲେ ଏବଂ ତାକୁ ଆଉ କୌଣସିବି ପ୍ରଶ୍ନ ନ ପଚାରି ନିଜ ସହିତ ନିଜ ଘରକୁ ନେଇଗଲେ । ପିନ୍ଧିବାକୁ ଲୁଗା ଦେଲେ,ଖାଇବାକୁ ଖାଦ୍ୟ ଦେଲେ,ନିଜ ଘରେ ନିଜ ପୁଅ ପରି ତାକୁ ରଖିଲେ ।
ଏମିତି ଚାରି ପାଞ୍ଚ ବର୍ଷ ବିତିଗଲା । ଦିନେ ବାବୁଲା ଚୁପ୍ ଚାପ୍ ହୋଇ ବସିଥାଏ ବାଲ୍କୁନିରେ, ସୁରମା ଏବଂ ତାଙ୍କ ସ୍ଵାମୀ ଗୌତମ ଦୁହେଁ ଯାଇ ପଚାରୁଥାନ୍ତି, କିରେ ! ଆଜି କାହିଁ ଏତେ ମନ ଦୁଃଖ, କ’ଣ ଭାବୁଛୁ କି ? ବାବୁଲା କହିବା ଆରମ୍ଭ କଲା ହଁ ଆଜି ମୋ ମା’ କଥା କାଇଁ ମୋର ବେଶି ମନେ ପଡୁଛି।ଜାଣିଛନ୍ତି,ମୋର ଆଜି ବି ମନେ ଅଛି ବଞ୍ଚିଥିଲା ବେଳେ ମୋ ମା’ ମୋତେ ସବୁବେଳେ କହୁଥିଲା “ବାବୁଲାରେ ବହୁ ପୂଜା, ତପସ୍ୟାପରେ ମୁଁ ତୋତେ ପାଇଛି ମୋ ଠାରୁ କେବେ ଦୂରେଇ ଯିବୁନିରେ” କିନ୍ତୁ, ସେ କ’ଣ କଲା ଆଗ ମୋତେ ଛାଡି ଚାଲିଗଲା, ଜାଣିଛନ୍ତି ମ୍ୟାଡ଼ାମ୍ *”ମୋ ମାଆ ମଧ୍ୟ ବହୁବର୍ଷ ନିଃସନ୍ତାନ ଥିଲେ। ଥରେ ଜଣେ ମହାପୁରୁଷଙ୍କୁ ଯାଇ ସେ ସନ୍ତାନ ପାଇଁ ବର ପ୍ରାର୍ଥନା କରନ୍ତେ, ମହାପୁରୁଷ ମୋ ମା’ଙ୍କୁ ସେ ସାଇତି ରଖିଥିବା ତାଙ୍କର କୌଣସି ପ୍ରିୟ ବସ୍ତୁ ନେଇ ଆସିବାକୁ ନିର୍ଦ୍ଦେଶ ଦେଲେ। ମା’ ଦୂରବର୍ତ୍ତୀ ନିଜ ଗ୍ରାମକୁ ଲେଉଟି ଆସି, ବାପଘରୁ ଆଣିଥିବା ପୁରୁଣା ରୂପାମୁଦ୍ରାଟିଏ ବାହାର କରି ମହାପୁରୁଷଙ୍କୁ ଭେଟିବାକୁ ଯାଇ ଦେଖିଲାବେଳକୁ ସେ କୋଡିଏ କୋଶ ଉତ୍ତରକୁ ଯାଇ ଡେରା ପକାଇଲେଣି। ମା’ ମୋର ପୁଣି ବାଟ ଚାଲିଲେ। ବାଟରେ ନଈ। ନଈରେ ବନ୍ୟା। ନାଆ ର ଦେଖାନାହିଁ। ମା’ ସ୍ରୋତ ସହ ଯୁଝି ନଈ ପାର ହେଲେ। କିନ୍ତୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ଶୁଣିଲେ, ମହାପୁରୁଷ ସେଠାରୁ ଆହୁରି ତିରିଶ କ୍ରୋଶ ଦୂରବର୍ତ୍ତୀ ଏକ ଗ୍ରାମକୁ ପ୍ରସ୍ଥାନ କଲେଣି।ମା’ ମୋର ପୁଣି ବାଟ ଚାଲିଲେ। ଅବଶେଷରେ ମହାପୁରୁଷଙ୍କୁ ଭେଟି, ଆଣିଥିବା ମୁଦ୍ରାଟି ସମର୍ପଣ କଲେ। ମହାପୁରୁଷ ତାହା ଗ୍ରହଣ କରି ଧ୍ୟାନସ୍ଥ ହେଲେ ଏବଂ ମା’ଙ୍କୁ ସନ୍ତାନ ପ୍ରାପ୍ତିର ବର ପ୍ରଦାନ କଲେ। ଫଳରେ ମୁଁ ଜନ୍ମ ନେଲି ।*
ଏତିକି କହିସାରିଲା ବେଳକୁ ସୁରମା ମ୍ୟାଡାମ୍ ଭୋ ଭୋ ହୋଇ କାନ୍ଦି ଉଠିଲେ, ଆଉ ସଙ୍ଗେ ସଙ୍ଗେ ଗୌତମ ବାବୁଙ୍କୁ କହିଲେ ମୋତେ ତୁମେ ସେ ମହାପୁରୁଷଙ୍କ ପାଖକୁ ନେଇ ଚାଲ । ମୁଁ ମଧ୍ୟ ମା’ ହେବାକୁ ଚାହେଁ । ଭଗବାନଙ୍କର ବୋଧେ ଏଇଆ ଇଚ୍ଛା । ସେଥିପାଇଁ ବୋଧେ ଦେବଦୂତ ସାଜି ବାବୁଲା ଆଜି ଆମ ପାଖେ ଅଛି । ସେଦିନର ସେଇ ରାସ୍ତା କଡ଼ରୁ ଉଠେଇ ଆଣିଥିବା ଅନାଥ ଶିଶୁ ବାବୁଲା ତାଙ୍କର ଆଖି ଖୋଲି ଦେଲା, ଅନେକ ଦିନରୁ ସବୁ ଆଡୁ ନିରାଶ ହୋଇ ନିଜ ଭିତରେ ମାରି ଦେଇଥିବା ଇଚ୍ଛା ସୁରମାଙ୍କର ପୁଣିଥରେ ଜାଗିଉଠିଲା । ଆଉ ସେ ବାବୁଲା କହିଥିବା କଥା ଅନୁସାରେ ମହାପୁରୁଷଙ୍କୁ ଭେଟି ସନ୍ତାନବତୀ ହେଲେ । ଏବଂ ବାଃ ବାଃ ଦେଇ ବାବୁଲାକୁ ଖୁସିରେ ସବୁ ଦିନ ପାଇଁ ନିଜ ପାଖେ ରଖିଲେ ।
ଲକ୍ଷ୍ମୀପ୍ରିୟା ବେହେରା
ବାଲେଶ୍ଵର