September 21, 2021
11 11 11 AM
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ*
*ନିଃଶବ୍ଦତା-ପ୍ରୀତିପଦ୍ମା ଦାସ*
*CAN’T IGNORE -Prof.Dr.Prasana Kumar Dalai*
*ପରିବର୍ତ୍ତନ – ବନଲତା ଜାଲି *
*THE RAIN IN SEPTEMBER – Prof.Dr.Prasana Kumar Dalai*
*ରିକ୍ସାବାଲା – ତପନ ସାହୁ*
*Mystery of Life – Rudra Narayan Dash*
*ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି*
*କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି*
*ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି*
*ଗୁରୁଦେବ – ଜିତେନ୍ଦ୍ର ଗିରି*
*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ମୁଁ – ଜିତେନ୍ଦ୍ର ଗିରି*
*ଆହେ ଗଣନାଥ – ଜିତେନ୍ଦ୍ର ଗିରି*
*Humanity–Gabriel S. Weah*
*Humanity–Stoianka Boianova*
*CRY HUMANITY–Nevenka Kovacevic*
*THE ONLY ANSWER IS HUMANITY–Dr. Paramita Mukherjee Mullick*
*Real Humanity–Mildred DJ Par*
Latest Post
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ* *ନିଃଶବ୍ଦତା-ପ୍ରୀତିପଦ୍ମା ଦାସ* *CAN’T IGNORE -Prof.Dr.Prasana Kumar Dalai* *ପରିବର୍ତ୍ତନ – ବନଲତା ଜାଲି * *THE RAIN IN SEPTEMBER – Prof.Dr.Prasana Kumar Dalai* *ରିକ୍ସାବାଲା – ତପନ ସାହୁ* *Mystery of Life – Rudra Narayan Dash* *ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି* *କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି* *ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି* *ଗୁରୁଦେବ – ଜିତେନ୍ଦ୍ର ଗିରି* *ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ମୁଁ – ଜିତେନ୍ଦ୍ର ଗିରି* *ଆହେ ଗଣନାଥ – ଜିତେନ୍ଦ୍ର ଗିରି* *Humanity–Gabriel S. Weah* *Humanity–Stoianka Boianova* *CRY HUMANITY–Nevenka Kovacevic* *THE ONLY ANSWER IS HUMANITY–Dr. Paramita Mukherjee Mullick* *Real Humanity–Mildred DJ Par*

*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ*

**ଅଭାଗିନୀ **

ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ

 

” ମାଡାମ୍, ମି. ସାମନ୍ତରାୟ ଙ୍କର ଚେତା ଫେରିଆସିଛି ” ନର୍ସ ର ଏକ‌ଥା ଶୁଣି କ୍ଷଣକ ପାଇଁ ଡ଼କ୍ଟର ସାଗରିକା ଆନନ୍ଦ ହେଲେ, ପରବର୍ତ୍ତୀ ମୂହୁର୍ତ୍ତ ରେ ଗମ୍ଭୀର ହୋଇ କହିଲେ, ” ଠିକ୍ ଅଛି, ତୁମେ ଯାଅ,ମୁଁ ଆସୁଛି”। ‌ ଡ଼ଃ ସାଗରିକା ଆମେରିକାନ୍ କଲେଜ ଅଫ୍ କାର୍ଡୋଲୋଜିଷ୍ଟ ରୁ MD କରି ଭାରତ ପ୍ରତ୍ୟାବର୍ତ୍ତନ ପୂର୍ବକ ନଗରୀ ର ଏକ ପ୍ରସିଦ୍ଧ ହସ୍ପିଟାଲରେ ଯୁବ ପେନ୍ ହାର୍ଟ ସର୍ଜନ ଭାବେ ଯୋଗ ଦେଇଥିଲେ। ତାଙ୍କ ପାଇଁ ସପ୍ତାହ ବ୍ୟାପି ସୁପ୍ରସିଦ୍ଧ ଶିଳ୍ପପତି ଇନ୍ଦ୍ରଜିତ୍ ସାମନ୍ତରାୟ ଙ୍କର କେଶ୍ ଟି ଏକ ଚ୍ୟାଲେଞ୍ଜ ପାଲଟି ଯାଇଛି। ଇନ୍ଦ୍ରଜିତ୍ ଙ୍କୁ congenital heart disease ଥିଲା। ତାହା ପୁଣି ଅତ୍ୟନ୍ତ ସଂଙ୍କଟ ପୂର୍ଣ୍ଣ ଅବସ୍ଥାରେ। ତା’ ସହ ICU ଭିତରେ ଯେଉଁ ମଣିଷ ମୃତ୍ୟୁ ସହ ସଂଗ୍ରାମ କରୁଥିଲା, ଭଗବାନ ଙ୍କ ଅଜବ ଲୀଳା ରୁ ସେ ଥିଲେ ଡ଼ଃ ସାଗରିକା ଙ୍କର ଜନ୍ମଦାତା ପିତା। ଯାହାକୁ କେବଳ ଆଲବମ୍ ଫଟୋ ରେ ଦେଖି ଦେଖି ବଡ଼ ହୋଇଥିଲେ ଡ଼ଃ ସାଗରିକା। ” କିଛି ଲୋକ ଙ୍କ ଆକୃତି ଏବଂ ଆଚରଣ କେବେ ବଦଳେ ନାହିଁ”। ଏତେ ବର୍ଷ ପରେ ମଧ୍ୟ ମିଷ୍ଟର୍ ସାମନ୍ତରାୟ ଙ୍କର ଚେହେରା ରେ ସେହି ପୂର୍ବ ଦାମ୍ଭିକତା ବଜାୟ ରହିଛି। ଯେଉଁ ଦିନ ମି.ସାମନ୍ତରାୟ ହସ୍ପିଟାଲରେ ଏଡ଼ମିଟ୍ ହେଲେ, ସେହି ଦିନଠାରୁ ଡ଼ଃ ସାଗରିକା ଯେପରି କେଉଁ ଗୋଟାଏ ପ୍ରକାର ର ଅନ୍ୟମନସ୍କ, ଓ ବିବ୍ରତ ହୋଇପଡ଼ିଛନ୍ତି। ଏତେ ବର୍ଷ ପରେ ମଧ୍ୟ ନିଜ ପିତା ଙ୍କୁ ଦେଖି ସାଗରିକା ଙ୍କର ମନ ଦୁଃଖ ଓ ଘୃଣା ରେ ଭରିଯାଉଥିଲା। ଯେଉଁ ପିତା ଙ୍କୁ ଏକଥା ବି ଜଣାନାହିଁ ଯେ, ତା’ର ନିଜ ସନ୍ତାନ ଏଦୁନିଆଁ ରେ ବଞ୍ଚିଛି କି ନାହିଁ। ଆଜି ଭାଗ୍ୟ ପୁଣି ଦୁହିଁଙ୍କୁ ସାମ୍ନା ସାମ୍ନି କରିଦେଇଛି। ସେ ଦିନ ରାତିରେ ଯେତେବେଳେ ଡ଼ଃ ସାଗରିକା ତାଙ୍କ ମା’ ନୀଳିମା ଙ୍କୁ ନିଜର କଥାକଥିତ ପିତା ଙ୍କର ରୋଗ ସଂମ୍ପର୍କରେ ଜଣାଇଲେ, ସେତେବେଳେ ଲକ୍ଷ୍ୟ କଲେ ମା” ଙ୍କର ଚେହେରା ରେ ଦୁଃଖ ର ଛାପ।ସାଗରିକା କହୁଥିଲେ – ” ଦେଖିଲ ମା’ ସମୟ କେତେ ଶକ୍ତିଶାଳୀ, “ସମସ୍ତଙ୍କୁ ନିଜ ନିଜର କୃତକର୍ମ ର ଶାସ୍ତି ଏହି ଜନ୍ମ ରେ ଭୋଗ କରିବାକୁ ପଡ଼େ।କାଳ ର ଏହି ଚ଼କ୍ର କବଳରୁ କେହି ବର୍ତ୍ତି ପାରିବ ନାହିଁ। ” ତୁମ ଜୀବନ ର ସବୁ ଦୁଃଖ, କଷ୍ଟ , ଏକାନ୍ତ ପଣ,ଆଖିର ଲୁହ ର ପ୍ରତିଶୋଧ ନେବାର ସୁଯୋଗ ଭଗବାନ ଆମକୁ ଦେଇଛନ୍ତି। ମୁଁ ଯଦି ଚାହିଁବି ………….. “। ସାଗରିକା ଆଉ କିଛି କହିପାରିଲେ ନାହିଁ। ନୀଳିମା ନିଜ କନ୍ୟା ର ଚ଼କ୍ଷୁ ରେ ଦୁଃଖ ର କ୍ରୋଧାଗ୍ନି ସଂଚାରିତ ହେବା ଲକ୍ଷ୍ୟ କଲେ । କାହିଁକି ବା ନହେବ? ସାଗରିକା ନିଜ ପିତା ର ସାହାଯ୍ୟ ବିନା ବଢ଼ି ଆସିଛି । ଅନେକ ସଂଘର୍ଷ ଭିତରେ ନୀଳିମା ସାଗରିକା ଙ୍କୁ ବଡ଼ କରିଛନ୍ତି, ଆଜି ବି ସେ ଅଶୁଭ ଦିନ ସଂମ୍ପର୍କରେ ନୀଳିମା ଙ୍କର ମନେ ଅଛି,ଯେବେ ତାଙ୍କ ଜୀବନ ରେ ଗ୍ରହଣ ଲାଗିଥିଲା। ଇନ୍ଦ୍ରଜିତ୍ ସାମନ୍ତରାୟ ଙ୍କ ସହ ତାଙ୍କର ପ୍ରେମ ବିବାହ ହୋଇଥିଲା। କିଛି ମାସ ପର୍ଯ୍ୟନ୍ତ ସବୁଠିକ୍ ଠାକ୍ ଚାଲିଥିଲା। ଇନ୍ଦ୍ରଜିତ୍ ଥିଲେ ଏକସମ୍ପନ୍ନ ପରିବାର ର ଏକମାତ୍ର ସନ୍ତାନ। ସାମନ୍ତରାୟ ପରିବାର ଅତ୍ୟନ୍ତ ବ୍ୟଗ୍ରତାର ସହ ନିଜ ବଂଶ ର ଉତ୍ତର ଦାୟାଦ ର ପ୍ରତୀକ୍ଷା କରୁଥିଲେ,ଓ ନୀଳିମା ଙ୍କର ମା’ ହେବାର ଖବର ରେ ଯେମିତି ସାମନ୍ତରାୟ ପରିବାର ରେ ଉତ୍ସବ ର ବାତାବରଣ ସୃଷ୍ଟି ହୋଇଥିଲା। ଇନ୍ଦ୍ରଜିତ୍ ତ ନିଜର ଭାବୀ ସନ୍ତାନ ର ନାମ ସୂର୍ଯ୍ୟାଂଶୁ ରଖି ତାକୁ ହାଭାର୍ଡ଼ ରେ MBA ପଢାଇବାର ସ୍ବପ୍ନ ଦେଖୁଥିଲେ। ନୀଳିମା ଯେତେବେଳେ ଇନ୍ଦ୍ରଜିତ୍ ଙ୍କୁ ପଚ଼ାରିଲେ – ‘ ତୁମେ କେମିତି ଜାଣିଲ ଯେ, ପୁଅ ହେବ ବୋଲି? ଝିଅ ମଧ୍ୟ ହୋଇପାରେ?।’ ଇନ୍ଦ୍ରଜିତ୍ ଚିତ୍କାର କରି କହି ଉଠିଥିଲେ- ‘ ତୁମେ କ’ଣ ପାଗେଳୀ ହୋଇଯାଇଛ………? ଝିଅ ଜନ୍ମ କରିବ……?ଜାଣିଛ ତା’ ପରେ ଫଳ କ’ଣ ହେବ? କିଛିଦିନ ପରେ ଟେଷ୍ଟ ରୁ ଜଣା ପଡ଼ିବ,ପୁଅ ହେବ କି ଝିଅ ହେବ। କିନ୍ତୁ, ମୁଁ ତୁମକୁ ଗୋଟିଏ କଥା ସ୍ପଷ୍ଟ କରିଦେଉଛି ଯେ, ମୋର ଓ ତୁମର ସଂମ୍ପର୍କର ଡ଼ୋରି ସେଇ ଶିଶୁ ହାତରେ ରହିଛି ‘। ଇନ୍ଦ୍ରଜିତ୍ ଙ୍କ କଥା ରେ ନୀଳିମା ହତବାକ୍, ବିବ୍ରତ ଓ ଆହତ ହୋଇପଡିଲେ।ସେ ବିଶ୍ବାସ କରିପାରୁ ନ ଥିଲେ ଯେ ୟେ ସେଇ ଇନ୍ଦ୍ର ତ ! ଯାହାଙ୍କୁ ସେ,ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲେ……..! ନୀଳିମା ସେହି ଠାରେ ଚିନ୍ତା କରିଉଠିଲେ ,ୟେ କି ପ୍ରକାର ମାନସିକତା.. ? “ସମସ୍ତଙ୍କୁ ଶର୍ଯ୍ୟା ସଙ୍ଗୀନି ର ଆବଶ୍ୟକତା ଅଛି କିନ୍ତୁ, ଦୋଳି ରେ କନ୍ୟା ସନ୍ତାନ ଙ୍କୁ ଦେଖିବାର ଇଚ୍ଛା କାହାରି ନାହିଁ……? ” ବିତି ଯାଉଥିବା ସମୟ ସହିତ ନୀଳିମା ଗର୍ଭରେ କନ୍ୟାଭୃଣ ର ରିପୋର୍ଟ ଆସିଲା, ତା’ ସହିତ ଡ଼ାକ୍ତରମାନେ ଘୋଷଣା କରିଦେଲେ ଯେ, କିଛି complicacy କାରଣରୁ ନୀଳିମା ପୁଣି ଥରେ ଗର୍ଭ ଧାରଣ କରିବାକୁ ଅକ୍ଷମ । ତା ପରେ ପରେ ଇନ୍ଦ୍ରଜିତ୍ ଙ୍କ ପରିବାର ଲୋକ ମାନଙ୍କର ବ୍ୟବହାର ରେ ପରିବର୍ତ୍ତନ ହେବାକୁ ଲାଗିଲା। ଇନ୍ଦ୍ରଜିତ୍ କ୍ରୋଧ ରେ ଅଗ୍ନି ଶର୍ମା ହୋଇ ଉଠିଲେ,ସେ ଘୋଷଣା କରିଦେଲେ ଯେ ଏବେ ନୀଳିମା ନିକଟରେ ଦୁଇଟି ରାସ୍ତା,- “ସେ ଏହି କଳଙ୍କ କୁ ଦୂରେଇ ଦେଇ ଚ଼ାକରାଣୀ ପରି ଘରକୋଣ ରେ ପଡି଼ରହୁ ନଚେତ୍, ଏହି ପାପର ଚି଼ହ୍ନ କୁ ନେଇ ସବୁଦିନ ପାଇଁ ଘରୁ ବାହାରି ଯାଉ”। ନୀଳିମା ଭାଙ୍ଗି ପଡ଼ିଲେ, ନିଜକୁ ଅତ୍ୟନ୍ତ ଅସହାୟ ମନେ କଲେ।ସେହି ରାତିରେ ନୀଳିମା ଏକ ସ୍ବପ୍ନ ଦେଖିଲେ ଯେ, ଗୋଟିଏ ସୁନ୍ଦର ଛୋଟ ଝିଅ ପରୀ ପୋଷାକ ପିନ୍ଧି ତା’ର ସମ୍ମୁଖରେ ଛିଡ଼ା ହୋଇଛି,ଆଉ କହୁଛି -” ମା’ ମୋତେ ଏ ଦୁନିଆ କୁ ଆସିବା କୁ ଦିଅ, ମୁଁ ତୁମ ନାଁ’ ରଖିବି, ମୋତେ ଏତିକି ଦୟାକର, ମୋତେ ମାରିବନି ମାଁ ।” ନୀଳିମା ଙ୍କର ନିଦ ହଠାତ୍ ଭାଙ୍ଗିଗଲା।ଓ ସେ ସେହି ରାତ୍ର ମୂହୁର୍ତ୍ତ ରେ ସେ ସିଦ୍ଧାନ୍ତ ନେଲେ ଯେ, ଦ୍ଵିତୀୟ ରାସ୍ତା ଟିକୁ ଆପଣାଇବେ । ସୌଭାଗ୍ୟ ବଶତଃ ନୀଳିମା ନିଜ ବାପାଙ୍କର ସହଯୋଗ ପାଇଲେ। ବର୍ଷକ ଭିତରେ ନୀଳିମା ଏକ ସୁନ୍ଦର ଶିଶୁ କନ୍ୟା କୁ ଜନ୍ମଦେଲେ । ଏହା ମଧ୍ୟ ରେ ଇନ୍ଦ୍ରଜିତ୍ ନୀଳିମା ଙ୍କୁ ଛାଡପତ୍ର ଦେଇ ଦ୍ବିତୀୟ ବିବାହ କରିନେଲେ। ନୀଳିମା କିନ୍ତୁ, ପରିସ୍ଥିତି ସମ୍ମୁଖରେ ଭାଙ୍ଗି ନପଡ଼ି ଏକ କଲେଜ ରେ ଅଧ୍ୟାପନା କରିବା ପୂର୍ବକ ନିଜ ଝିଅ ର ଭବିଷ୍ୟତ ଗଢ଼ିବାକୁ ଲାଗିଲେ। ଆଉ ଆଜି ସେହି ଛୋଟ ଝିଅ ଟି ଡ଼ଃ ସାଗରିକା। ଛୋଟ ଥିବା ବେଳେ ସାଗରିକା କୁ ଆଲବମ୍ ଫଟୋ ଦେଖାଇ ନୀଳିମା ତା’ର ବାପାର ପରିଚ଼ୟ ଦେଇଥିଲେ। କିନ୍ତୁ, ବଡ଼ ହେବା ପରେ ସାଗରିକା ଯେତେବେଳେ ସବୁକିଛି ଜାଣିବାକୁ ଜିଦ୍ ଧରିଥିଲେ, ବାଧ୍ୟ ହୋଇ ନୀଳିମା ତାକୁ ସବୁ ଘଟଣା ଶୁଣାଇଥିଲେ। ସେହି ଦିନ ଠାରୁ ସାଗରିକା ଙ୍କର ହୃଦୟ ରେ ନିଜ ପିତା ଙ୍କ ପ୍ରତି ଘୃଣା ଭାବ ଜାଗ୍ରତ ହେଲା,ଓ ସେହି ଭାବ ସମୟ କ୍ରମେ ତାହା ଅଧିକ ଘନୀଭୂତ ହେବାକୁ ଲାଗିଲା ‌। ଆଉ ଆଜି ପୁଣି ଥରେ ସେହି ଅତୀତ ଏକ ପରୀକ୍ଷା ର ରୂପନେଇ ନୀଳିମା ଏବଂ ସାଗରିକା ସମ୍ମୁଖକୁ ଆସି ଯାଇଛି।ନୀଳିମା ନିଜ ଝିଅ ର ମନ ର ଦଶା କୁ ବୁଝିପାରୁଥିଲେ। ତଥାପି ତାଙ୍କୁ ଥରୁଟିଏ ବୁଝାଇବା ଉଦ୍ଧେଶ୍ୟରେ ତାଙ୍କ ରୁମ୍ କୁ ଆସିଲେ। ସାଗରିକା ଏ ପର୍ଯ୍ୟନ୍ତ ଦୁଃଖିତ ହୋଇ ବସିଥିଲେ।ନୀଳିମା ସ୍ନେହରେ ତା’ଙ୍କୁ ବୁଝାଇବାକୁ ଲାଗିଲେ,” ଦେଖ୍ ମା, ଯାହାହେଲେ ମଧ୍ୟ ସେ ତୋ ପିତା” ମୁଁ ତାଙ୍କୁ କେବେ ଠାରୁ କ୍ଷମା କରି ସାରିଛି,ତୁ ମଧ୍ୟ କ୍ଷମା କରିଦେ”।ସାଗରିକା କିଛି ବି କହିଲେ ନାହିଁ। ଅତି ସକାଳୁ ସାଗରିକା କିଛି ନଖାଇ ହସ୍ପିଟାଲ ଚାଲିଯାଇଥିଲେ। ଆଜି ଅପରେସନ୍ ର ଦିନ। ସାଗରିକା ନିଜ ମା’ ଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖିରଖି ଯାଇଥିଲେ -” ମା’ ସମୟ ବି କେତେ ନିଷ୍ଠୁର, କେବେ ଯେଉଁ କନ୍ୟା କୁ ଏ ଦୁନିଆ ର ଆଲୋକ କୁ ଆଣିବାରେ ଯେଉଁ ପିତା ଅନ୍ତରାୟ ହୋଇଥିଲେ, ଆଜି ସେହି ପିତା ର ଜୀବନ କିଛି ମାତ୍ରାରେ ସେହି ଝିଅ ହାତରେ।ମା’ ମୋତେ ସାହାସ ଦିଅ କି ମୁଁ ନିଜ ହୃଦୟ ରୁ ଘୃଣା ଓ କଟୁପଣକୁ ଶାନ୍ତକରି ସେହି ଲୋକ କୁ ଯେମିତି ବଞ୍ଚାଇ ପାରେ, ଯାହାଙ୍କ ନାମର ସିନ୍ଦୂର ଆଜି ମଧ୍ୟ ତୁମେ ସିନ୍ଥି ରେ ପିନ୍ଧୁଛ।” ଝିଅ ର ଚିଠି କିଛି ପରିମାଣରେ ନୀଳିମା ଙ୍କୁ ଶାନ୍ତ୍ବନା ଦେଲା ।ସାଗରିକା ନିଜର ସମ୍ପୂର୍ଣ୍ଣ ଡ଼ାକ୍ତରୀ ଶିକ୍ଷା, ଅଭିଜ୍ଞତା କୁ ପୁଞ୍ଜି କରି ଆପ୍ରାଣ ଉଦ୍ୟମ କଲେ ନିଜ ପିତା ଙ୍କୁ ଜୀବନ ଦାନ କରିବା ନିମନ୍ତେ। ସମ୍ପୁର୍ଣ୍ଣ ବାରଘଣ୍ଟା ର ଅଥକ ପରିଶ୍ରମ ସଫଳ ହୋଇଛି। ତା’ର ସୂଚନା ଏବେ ଏବେ ନର୍ସ ଦେଇ ସାରିଛି। ସାଗରିକା ମା’ଙ୍କୁ ଫୋନ୍ କଲେ – ” ମା’ ମୁଁ ଝିଅର କର୍ତ୍ତବ୍ୟ କରିଛି ‌।ତୁମର ଶଙ୍ଖା ସିନ୍ଦୂର ଏବେ ବିପଦମୁକ୍ତ। ଗୋଟିଏ ଡ଼ାକ୍ତର ହିସାବରେ ରୋଗୀ କୁ ବଞ୍ଚାଇବା ମୋର ପ୍ରଥମ କର୍ତ୍ତବ୍ୟ, ଯାହାକି ମୋର profession ମୋତେ ଶିଖାଇଛି। ଏତିକି କହି ମା’ ଙ୍କର କୌଣସି ପ୍ରତିକ୍ରିୟା କଥା ଚି଼ନ୍ତା ନକରି ସେ ଫୋନ୍ କାଟିଦେଲେ। ଟେବୁଲ୍ ଡ୍ରୟାର୍ ରୁ ପୁରୁଣା ସେହି ଆଲବମ୍ ଫଟୋ ବାହାର କରି ନିରୀକ୍ଷଣ କଲେ। ବାପାଙ୍କୁ ଦେଖି ତାଙ୍କ ଆଖିରୁ ଧାର ଧାର ହୋଇ ଲୁହ ବୋହି ଚାଲିଲା। ଅନାୟାସରେ ସାଗରିକା ପାଟିରୁ ବାହାରି ଆସିଲା-” ମୁଁ ତୁମକୁ କେବେ ମଧ୍ୟ କ୍ଷମା କରି ପାରିବି ନାହିଁ ବାପା, ମୁଁ ତୁମକୁ ଘୃଣା କରେ, ପ୍ରଚଣ୍ଡ ଘୃଣା, ସବୁ ଦିନପାଇଁ, ଆଖି ରୁ ଲୁହ ଧାର ସେହି ପରି ବୋହି ଚାଲୁଥିଲା”।

ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ

ଅଧ୍ୟାପିକା ଓଡ଼ିଆ ଭାଷା ସାହିତ୍ୟ ବିଭାଗ, ଦୂର ନିରନ୍ତର ଶିକ୍ଷା, ଫକୀର ମୋହନ ବିଶ୍ବବିଦ୍ୟାଳୟ, ବାଲେଶ୍ଵର।

 1,758 total views,  4 views today

Leave a Reply

Your email address will not be published. Required fields are marked *