#ସମୟର_ଚିହ୍ନା_ବେଳା
ସଞ୍ଜିତା ପ୍ରଧାନ
——————————-
ଭାବାନୁବନ୍ଧିତ ଚିତ୍ତ
ବିଭୋଳିତ, ଅମୋଦିତ
ବିଗତ ମୁହୂର୍ତ୍ତର ସ୍ମୃତିରେ
ନିଜକୁ ଜୁଡୁବୁଡୁ କରି ।।
ଛାତିର ସେ ଚିହ୍ନା ଚିହ୍ନା କୋଣରେ
ଦୁକଦୁକ ହେଉଥିବା କମ୍ପନଟା
ତୂଳୀ ଧରି ହୃଦୟ ଫଳକରେ
ଆଙ୍କିସାରିଛି ଜମାଟ ବାନ୍ଧିଥିବା
ପ୍ରେମ ରଙ୍ଗର ପ୍ରଲେପରେ
ଅବିସ୍ମରଣୀୟ ସେ ଉଦ୍ଭାସିତ ସ୍ୱରୂପକୁ ।।
ପାର୍ଥିବ କାମନାର ବିସର୍ଜନ ଅପରାନ୍ତେ ବି
ମୁଁ ନିର୍ବିକାର
କେବେ ତଟସ୍ଥ
ଅସ୍ତବ୍ୟସ୍ତତାରେ ଲଟପଟ ହୋଇ
ଅନୁସନ୍ଧାନ କରେ ତୁମକୁ
ସେ ଶୂନ୍ୟ ଗହଳି ଭିତରେ
ଠେଲାପେଲା ଆବେଗରେ
ଅଟକିଥିବା ସମୟର ଚିହ୍ନା ବେଳାରେ ।।
ସଞ୍ଜିତା ପ୍ରଧାନ
———————————————————————
655 total views, 1 views today